ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା: ସନ୍ତରଣ ଫାଇନାଲ୍‌ରେ ଶ୍ରୀହରି ନଟରାଜନ

ବର୍ମିଂହାମ୍‌: ଭାରତୀୟ ସନ୍ତରକ ଶ୍ରୀହରି ନଟରାଜନ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୧୦୦ ମିଟର ପୁରୁଷ ବ୍ୟାକ୍‌ଷ୍ଟ୍ରୋକ୍‌ ଫାଇନାଲ୍‌ରେ ପ୍ରବେଶ କରି ପଦକ ଆଶା ଦେଖାଇଛନ୍ତି। ଶନିବାର ଶ୍ରୀହରି ସେମିଫାଇନାଲ୍‌ରେ ୫୪.୫୫ ସେକେଣ୍ଡ୍ ସମୟ ନେଇ ଏହି ପର୍ଯ୍ୟାୟରେ ପହଞ୍ଚିଛନ୍ତି। ହିଟ୍‌ରେ ଚତୁର୍ଥ ହେବା ସହ ୨୧ ବର୍ଷୀୟ ଶ୍ରୀହରି ମୋଟ ଉପରେ ସପ୍ତମ ସ୍ଥାନରେ ରହିଥିଲେ। ଦକ୍ଷିଣ ଆଫ୍ରିକାର ପିଟର୍‌ କୋଏଜ୍‌ ୫୩.୬୭ ସେକେଣ୍ଡ୍ ସମୟ ସହ ଦ୍ରୁତତମ ଭାବେ ଫାଇନାଲ୍ ଉଠିଛନ୍ତି। ବେଙ୍ଗାଲୁରୁ ଯୁବକ ଶ୍ରହରି ୧୨ ବର୍ଷ ପରେ ସନ୍ତରଣରୁ ଭାରତକୁ ପଦକ ଦେବାର ଆଶା ଦେଖାଇଛନ୍ତି। ୨୦୧୦ ନୂଆଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଶାନ୍ତ କର୍ମାକର ପାରା ସନ୍ତରଣରେ ଐତିହାସିକ କାଂସ୍ୟ ପଦକ ଜିତିଥିଲେ। ଗତବର୍ଷ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ନଟରାଜନ ପ୍ରଥମ ଭାରତୀୟ ଭାବେ କ୍ଲାସିଫିକେସନ୍‌ ଏ’ ହିଟ୍‌ରେ ଅଂଶଗ୍ରହଣ କରିବାକୁ‌ ଯୋଗ୍ୟତା ଅର୍ଜନ କରିଥିଲେ। ତେବେ ୨୭ତମ ସ୍ଥାନରେ ରହିଥିଲେ। ବର୍ମିଂହାମରେ କିନ୍ତୁ ସାମିଲ ଥିବା ଅନ୍ୟ ଦୁଇ ଭାରତୀୟ କୁଶାଗ୍ର ରାୱତ ଏବଂ ସଜନ ପ୍ରକାଶଙ୍କ ଅଭିଯାନ ଶେଷ ହୋଇଯାଇଛି। ୪୦୦ ମିଟର୍‌ ଫ୍ରିଷ୍ଟାଇଲ୍ ହିଟ୍ସରେ ରାୱତ ୩:୫୭.୪୫ ସମୟ ନେଇ ୧୪ତମ ସ୍ଥାନରେ ରହିଥିଲେ। ୫୦ ମିଟର୍‌ ବଟର ଫ୍ଲାଏରେ ସଜନ ପ୍ରକାଶ ୨୫.୦୧ ସେକେଣ୍ଡ୍ ସମୟ ସହ ଅଷ୍ଟମରେ ରହିଥିଲେ।

ଶୁକ୍ରବାର ଯୋଗ୍ୟତା ପର୍ଯ୍ୟାୟରେ ଶ୍ରୀହରି ୫୪.୬୮ ସେକେଣ୍ଡ ସମୟ‌ ନେଇ ରେସ୍‌ ଶେଷ କରିବା ନିଜ ହିଟ୍‌ରେ ତୃତୀୟ ସ୍ଥାନ ଏବଂ ମୋଟରେ ପଞ୍ଚମରେ ରହି ସେମି ଫାଇନାଲ୍ ଆସିଥିଲେ। ସଜନ ୧୦୦ ଓ ୨୦୦ ମିଟର ବଟରଫ୍ଲାଏ ଏବଂ କୁଶାଗ୍ରା ୧୫୦୦ ଓ ୨୦୦ ମିଟର ଫ୍ରିଷ୍ଟାଇଲ୍‌ରେ ମଧ୍ୟ ଭାଗନେବେ।

ସମ୍ବନ୍ଧିତ ଖବର