ଇତିହାସ ରଚିଲେ ଶ୍ରୀକାନ୍ତ, ବ୍ୟାଡ୍‌ମିଣ୍ଟନ୍‌ ମାନ୍ୟତାରେ ୧ ନଂ

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ତାରକା କିଦାମ୍ବି ଶ୍ରୀକାନ୍ତ ଗୁରୁବାର ଇତିହାସ ରଚିଛନ୍ତି। ପ୍ରଥମ ଭାରତୀୟ ପୁରୁଷ ବ୍ୟାଡ୍‌ମିଣ୍ଟନ ଖେଳାଳି ଭାବେ ସେ ବିଶ୍ୱ ମାନ୍ୟତାର ପ୍ରଥମ ସ୍ଥାନ ଅକ୍ତିଆର କରିଛନ୍ତି। ଏହି ମାଇଲଖୁଣ୍ଟ ଛୁଇଁବାରେ ଶ୍ରୀକାନ୍ତ ମଧ୍ୟ ସାଇନା ନେହ୍ଵାଲଙ୍କ ପରେ ଦ୍ୱିତୀୟ ଭାରତୀୟ ହୋଇଛନ୍ତି। ସାଇନା ୨୦୧୫ରେ ପ୍ରଥମ ଥର ଲାଗି ବିଶ୍ୱ ମାନ୍ୟତାର ଶୀର୍ଷ ସ୍ଥାନ ହାସଲ କରିଥିଲେ। ୨୦୧୭ରେ ୨୫ ବର୍ଷୀୟ ଶ୍ରୀକାନ୍ତ ଲଗାତାର ଭାବେ ୪ ସୁପର ସିରିଜ୍‌ ମୁକୁଟ କରାୟତ କରିଥିଲେ। ଫଳରେ ସେ ୭୬୮୯୫ ପଏଣ୍ଟ୍‌ ହାତେଇ ନେଇଥିଲେ। ଯାହାକି ତାଙ୍କୁ ଡେନ୍‌ମାର୍କର ଭିକ୍ଟର ଆକ୍ସେଲ୍‌ସନ୍‌ଙ୍କୁ ଶୀର୍ଷ ସ୍ଥାନରୁ ହଟାଇବାକୁ ସହାୟକ ହୋଇଥିଲା। ସଂପ୍ରତି ଶ୍ରୀକାନ୍ତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ଅଷ୍ଟ୍ରେଲିଆ ଗସ୍ତରେ ରହିଛନ୍ତି। ଏଠାରେ ସେ ଯୁଗଳ ସ୍ୱର୍ଣ୍ଣ ଜିତିବା ଲକ୍ଷ୍ୟ ରହିଛନ୍ତି। ପ୍ରଥମ ଥର ଲାଗି ମିଶ୍ରିତ ଦଳଗତ ବର୍ଗରେ ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ଦଳରେ ଶ୍ରୀକାନ୍ତ ସଦସ୍ୟ ରହିଥିଲେ। ଏଥିସହ ସେ ମଧ୍ୟ ପୁରୁଷ ଏକକର କ୍ୱାର୍ଟର୍‌ ଫାଇନାଲ୍‌ରେ ପ୍ରବେଶ କରି ଆଉ ଏକ ସ୍ୱର୍ଣ୍ଣ ପଦକ ହାତେଇବା ଦିଗରେ ଅଗ୍ରସର ହୋଇଛନ୍ତି। ଅନ୍ୟ ଭାରତୀୟଙ୍କ ମଧ୍ୟରେ ପୁରୁଷରେ ଏଚଏସ୍‌ ପ୍ରଣୟ ଏକାଦଶ ଏବଂ ମହିଳାରେ ପିଭି ସିନ୍ଧୁ ତୃତୀୟ ଓ ସାଇନା ନେହ୍ଵାଲ୍‌ ଦ୍ୱାଦଶ ସ୍ଥାନରେ ରହିଛନ୍ତି। ସୂଚନାଯୋଗ୍ୟ ଯେ ଅଧୁନିକ ବ୍ୟାଡ୍‌ମିଣ୍ଟନ୍‌ ମାନ୍ୟତା ଆରମ୍ଭ ପୂର୍ବରୁ ଭାରତୀୟ କିମ୍ବଦନ୍ତୀ ବ୍ୟାଡ୍‌ମିଣ୍ଟନ୍‌ ତାରକା ପ୍ରକାଶ ପାଦୁକୋନ୍‌ ବିଶ୍ୱର ଶୀର୍ଷ ଖେଳାଳି ଭାବେ ଗଣା ଯାଉଥିଲେ।

ସମ୍ବନ୍ଧିତ ଖବର