କୋହଲିଙ୍କୁ ଲାରା, ଵ’ଙ୍କ ସହ ତୁଳନା କଲେ ଶ୍ରୀକାନ୍ତ

କୋହଲି ଜଣେ ତେଜସ୍ବୀ ବ୍ୟକ୍ତି: ପୋଲାର୍ଡ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ସ୍ତମ୍ଭକାର କ୍ରିଷ୍ଣାମଚାରୀ ଶ୍ରୀକାନ୍ତ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଵେଷ୍ଟଇଣ୍ଡିଜ୍‌ର ବ୍ୟାଟିଂ କିମ୍ବଦନ୍ତୀ ବ୍ରାଏନ ଲାରା ଓ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର୍ ଷ୍ଟିଭ୍ ଵ’ଙ୍କ ସହ ତୁଳନା କରିଛନ୍ତି। ସେ କହିଛନ୍ତି, କୋହଲିଙ୍କ ବିଷୟରେ କିଛି ନୂଆ କଥା ଲେଖିବା ଦିନକୁ ଦିନ କଷ୍ଟ ହୋଇଯାଉଛି। କ୍ରମାଗତ ଭଲ ପ୍ରଦର୍ଶନ କରିବା ମୁଁ ଆଜି ଯାଏଁ କୌଣସି ଖେଳାଳିଙ୍କୁ ଦେଖିନି। ଆହ୍ବାନକୁ ଗ୍ରହଣ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାର ଦକ୍ଷତା ତାଙ୍କ ନିକଟରେ ରହିଛି ବୋଲି ଶ୍ରୀକାନ୍ତ କହିଛନ୍ତି। ଏହା ବ୍ୟତୀତ ଶ୍ରୀକାନ୍ତ କହିଛନ୍ତି ଯେ ଯଦି ମୁଁ ଖେଳୁଥିବା ସମୟକୁ ଜାଭେଦ୍ ମିଆଁଦାଦ ଓ ଭିଭିଆନ୍ ରିଚାଡ୍ସଙ୍କ ଯୁଗ କୁହାଯାଏ, ତେବେ ବର୍ତମାନ ପିଢ଼ି କୋହଲିଙ୍କୁ ଅସାଧାରଣ ପ୍ରଦର୍ଶନ ପାଇଁ ଜାଣିବେ। ଅନ୍ୟ ପକ୍ଷରେ ଵେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତର ବୋଲିଂ ଓ କ୍ଷେତ୍ରରକ୍ଷଣ ଅତି ସାଧାରଣ ସ୍ତରର ଥିଲା ବୋଲି ଶ୍ରୀକାନ୍ତ ମତ ରଖିଛନ୍ତି। ତେବେ ଭାରତ ଯଦି ଏହି ଶୃଙ୍ଖଳା ପରୀକ୍ଷାରେ ଜିତିଯାଏ ତେବେ ଅଷ୍ଟ୍ରେଲିଆରେ ହେବାକୁ ଆଗମୀ ଟ୍ବେଣ୍ଟି-୨୦ ବିଶ୍ବକପ୍ ପ୍ରସ୍ତୁତିର ବଡ଼ ବିଜୟ ବୋଲି ସେ କହିଛନ୍ତି।

କୋହଲି ଜଣେ ତେଜସ୍ବୀ ବ୍ୟକ୍ତି: ପୋଲାର୍ଡ
ହାଇଦ୍ରାବାଦ ଟ୍ବେଣ୍ଟି-୨୦ରେ ଭାରତକୁ ସ୍ମରଣୀୟ ବିଜୟ ଉପହାର ଦେଇଥିବା ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନିଆରା ‘ନୋଟବୁକ୍’ ଉତ୍ସବ ପାଳନକୁ ପ୍ରତିପକ୍ଷ ଅଧିନାୟକ କିରଣ ପୋଲାର୍ଡ ହାଲକା ଭାବେ ନେଇଛନ୍ତି। କୋହଲିଙ୍କୁ ତେଜସ୍ବୀ ବ୍ୟକ୍ତି ଭାବେ ବର୍ଣ୍ଣନା କରି ସେ କହିଛନ୍ତି ଯେ କୋହଲି ଜଣେ ମହାନ ବ୍ୟାଟ୍ସମ୍ୟାନ୍। ବିଶ୍ବ ସ୍ତରୀୟ ଖେଳାଳି। ସେ ନିୟମିତ ଭାବେ ଏହାର ପ୍ରମାଣ ଦେଇ ଆସୁଛନ୍ତି। ତାଙ୍କ ଉତ୍ସବ ପାଳନ କିମ୍ବା ଠାଣି, ଯାହା ହେଉନା କାହିଁକି, ମୁଁ ଭାବୁଛି ଏହା ଖେଳର ଅଂଶବିଶେଷ। ରନ୍ ସ୍କୋର କରିବା ଲାଗି କେବେ କେବେ ଆପଣଙ୍କୁ ଏମିତି ବି କରିବାକୁ ପଡ଼ିଥାଏ। ବ୍ୟକ୍ତିଗତ ଭାବେ ଏଥିରେ ମୋର କୌଣସି ଅସୁବିଧା ନାହିଁ।

ସମ୍ବନ୍ଧିତ ଖବର