ଭୁବନେଶ୍ବର: ଆଇପିଏଲ୍ରେ ଓଡ଼ିଶାର ପ୍ରତିନିଧିତ୍ବ ନାହିଁ। କିନ୍ତୁ ଭବିଷ୍ୟତର ଆଇପିଏଲ୍ ତାରକା ଗଢ଼ିବା ଦାୟିତ୍ବରେ ଲାଗିପଡ଼ିଛନ୍ତି ଓଡ଼ିଶାର ଏକମାତ୍ର ବିସିସିଆଇ ଲେଭଲ-୩ ପ୍ରଶିକ୍ଷକ ଆର୍ ଶ୍ରୀକାନ୍ତ। ଏହି ଗୁରୁଦାୟିତ୍ବକୁ ସେ ଓଡ଼ିଶାର କୌଣସି ସ୍ଥାନରେ ରହି ତୁଲାଉ ନାହାନ୍ତି। ସୁଦୁର କୋଏମ୍ବାଟୁରରେ ଆଇପିଏଲ୍ ଫ୍ରାଞ୍ଚାଇଜ୍ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଏକାଡେମିରେ ସେ କୋଚିଂ କନ୍ସଲ୍ଟାଣ୍ଟ ଭାବେ କାମ କରିବା ସହ କନିଷ୍ଠ କ୍ରିକେଟର୍ଙ୍କୁ ଆଇପିଏଲ୍ ପାଇଁ ପ୍ରସ୍ତୁତ କରୁଛନ୍ତି। ଆଇପିଏଲ୍ର ସବୁଠୁ ସଫଳ ଦଳ ସିଏସ୍କେ ସହିତ ଯୋଡ଼ି ହେବା ସମ୍ମାନର ବିଷୟ। ତାଙ୍କଠୁ ପ୍ରଶିକ୍ଷଣ ପାଇ ଯଦି କୌଣସି ଖେଳାଳି ଆଇପିଏଲ୍ ତାରକା କିମ୍ବା ଭାରତୀୟ ଦଳରେ ନାମୀ ଖେଳାଳି ହୋଇପାରିବେ ତାହା ତାଙ୍କ ପାଇଁ ଗର୍ବର ବିଷୟ ହେବ ବୋଲି ଶ୍ରୀକାନ୍ତ କହିଛନ୍ତି।
ଶ୍ରୀକାନ୍ତ ଓଡ଼ିଶାରୁ ପ୍ରଥମ ପ୍ରଶିକ୍ଷକ ଭାବେ ବିସିସିଆଇ ଲେଭଲ-୩ ପାଠ୍ୟକ୍ରମରେ ୨୦୦୭ରେ ଉତ୍ତୀର୍ଣ୍ଣ ହେବା ସହ ୨୦୧୦ରେ ରିଫ୍ରେସର କୋର୍ସରେ ମଧ୍ୟ କୃତିତ୍ବ ଅର୍ଜନ କରିଥିଲେ। କିନ୍ତୁ ଏହାର ଢେର୍ ଆଗରୁ ୨୦୦୩ ମସିହାରୁ ସେ ଓଡ଼ିଶାର କନିଷ୍ଠ ଦଳ (୧୫, ୧୭, ୧୯ ବର୍ଷରୁ କମ୍) ଗୁଡିକୁ ପ୍ରଶିକ୍ଷଣ ଦେଇଛନ୍ତି। ତାଙ୍କ ଅଧୀନରେ ୧୫ ବର୍ଷରୁ କମ୍ ଦଳ ସେମିଫାଇନାଲ୍, ୧୯ ବର୍ଷରୁ କମ୍ ଦଳ ପୂର୍ବାଞ୍ଚଳ ବିଜେତା, କୁଚବିହାର ଟ୍ରଫିରେ ସେମିଫାଇନାଲ୍, ୧୭ ବର୍ଷରୁ କମ୍ ଦଳ ନକ୍ଆଉଟ୍ ପର୍ଯ୍ୟାୟରେ ପହଞ୍ଚିବା ଭଳି ଏକାଧିକ ସଫଳତା ରହିଛି। ୨୦୦୯ରେ ଯେତେବେଳେ ଓଡ଼ିଶା କ୍ରିକେଟ୍ ଏକାଡେମି ଆରମ୍ଭ ହୋଇଥିଲା, ସେତେବେଳେ ସେ ଏଠାରେ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହୋଇଥିଲେ। ୨୦୧୪ ମଧ୍ୟରେ ସେ ଅନେକ ଥର ଏନ୍ସିଏର ପ୍ରଶିକ୍ଷକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ଓଡ଼ିଶା ଏକାଡେମିର ବୈଷୟିକ ନିର୍ଦ୍ଦେଶକ ଥିଲେ। କିନ୍ତୁ ୨୦୧୫ରେ ଶିବସୁନ୍ଦର ଦାସ ଏହି ପଦବିକୁ ଆସିଥିଲେ। ୨୦୧୬ରେ ଶ୍ରୀକାନ୍ତ ପୁଣି ଥରେ ପୁରୁଣା ପଦବିକୁ ପ୍ରତ୍ୟାବର୍ତ୍ତନ କରିଥିଲେ। କିନ୍ତୁ ଲୋଧା ସମିତି କଟକଣା ଲାଗିବାରୁ ସେ ଦାୟିତ୍ବ ନେଇପାରି ନଥିଲେ। ୨୦୧୭ରେ ସେ ହାଇଦ୍ରାବାଦ୍ସ୍ଥିତ ଭିଭିଏସ୍ ଲକ୍ଷ୍ମଣ ଏକାଡେମିରେ ପ୍ରଶିକ୍ଷକ ଭାବେ ଯୋଗଦେଇଥିଲେ। ପରେ ଛତିଶଗଡ଼ର କନିଷ୍ଠ ପ୍ରଶିକ୍ଷକ ଭାବେ ମଧ୍ୟ ସେ କାମ କରିଛନ୍ତି। କୋଭିଡ୍ ପରେ ସେ ଓଡ଼ିଶା ଫେରିଥିଲେ ଓ ଏକାଡେମିରେ ପ୍ରଶିକ୍ଷକ ଭାବେ କାମ କରିଥିଲେ। ୨୦୨୨-୨୩ ଋତୁ ପାଇଁ ତାଙ୍କୁ ଓଡ଼ିଶା ରଣଜୀ ଦଳର ମୁଖ୍ୟ ପ୍ରଶିକ୍ଷକ କରାଯାଇଥିଲା। କିନ୍ତୁ ଚଳିତ ଋତୁଠାରୁ ସେ ଚେନ୍ନାଇ ସୁପରକିଙ୍ଗ୍ସ ସହିତ ଯୋଡ଼ି ହୋଇଛନ୍ତି।
ଶ୍ରୀକାନ୍ତ କୁହନ୍ତି, ଓଡ଼ିଶାରେ ଜଣେ ପ୍ରଶିକ୍ଷକର ଦକ୍ଷତାକୁ କେହି ଚିହ୍ନୁ ନାହାନ୍ତି। ରାଜ୍ୟ ବାହାରୁ ଆସୁଥିବା ପ୍ରଶିକ୍ଷକ ଆଖିଦୃଶିଆ ଫଳାଫଳ ଦେଇପାରୁ ନାହାନ୍ତି। ଓଡ଼ିଆ ପ୍ରଶିକ୍ଷକଙ୍କ ଅପେକ୍ଷା ସେମାନଙ୍କର ଗୁରୁତ୍ବ ଅଧିକ ହୋଇଯାଉଛି। ତଥାପି ଆମେ ସ୍ବଇଚ୍ଛାରେ ନିଜ ଘର ଭାବେ କମ୍ ପାରିଶ୍ରମିକ ମିଳୁ ପଛେ ଓଡ଼ିଶା କ୍ରିକେଟ୍ର ଉନ୍ନତି ପାଇଁ କାମ କରିଛୁ। କେହି ଯାଦୁକର ନୁହଁନ୍ତି। ସମସ୍ତଙ୍କୁ ସମୟ ଦରକାର। କୋଏମ୍ବାଟୁରରେ ଯେଉଁ ସ୍ବାଧୀନତା ଦିଆଯାଉଛି, ଓଡ଼ିଶାରେ ସେତିକି ମିଳୁ ନଥିଲା। ଯେବେ ଓଡ଼ିଶାର ଖେଳାଳିମାନେ ଜାତୀୟ କିମ୍ବା ଆନ୍ତର୍ଜାତିକ ସ୍ତରରେ ଆଲୋଚନାକୁ ଆସିବେ ସେତେବେଳେ ପ୍ରଶିକ୍ଷକମାନେ ଅଧିକ ଖୁସି ହେବେ ବୋଲି ଶ୍ରୀକାନ୍ତ କହିଛନ୍ତି। ସୂଚନାଯୋଗ୍ୟ, ୱାସିମ୍ ଜାଫରଙ୍କ ପ୍ରଶିକ୍ଷଣ ସମୟରେ ଓଡ଼ିଶା ମାତ୍ର ୩ ପଏଣ୍ଟ ପାଇଥିଲା। ଦିନେଶ ମୋଙ୍ଗିଆଙ୍କ ପ୍ରଶିକ୍ଷଣରେ ଓଡ଼ିଶା ୧୨ ପଏଣ୍ଟ ପାଇଲା। କିନ୍ତୁ ଶ୍ରୀକାନ୍ତଙ୍କ ଅଧୀନରେ ଓଡ଼ିଶା ୧୪ ପଏଣ୍ଟ ଅର୍ଜନ କରିବା ସହ ସୁନିଲ ରାଉଳ, କାର୍ତ୍ତିକ ବିଶ୍ବାଳ, ପ୍ରୟାସ ଠାକୁର, ତରଣୀ ସା’, ଆଶୀର୍ବାଦ ସ୍ବାଇଁଙ୍କ ଭଳି ଯୁବ ଖେଳାଳିଙ୍କୁ ଗଢିପାରିଥିଲେ। ଯାହାର ସୁଯୋଗ ଓଡ଼ିଶା ଏବେ ପାଇବାକୁ ଯାଉଛି।