ବ୍ରିସ୍‌ବେନ୍‌: ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଆଫ୍‌ଗାନିସ୍ତାନକୁ ସେମିଫାଇନାଲ୍ ରାସ୍ତାରୁ ହଟାଇ ଦେଇଛି ଶ୍ରୀଲଙ୍କା। ମଙ୍ଗଳବାର ଗାବାରେ ଖେଳାଯାଇଥିବା ଏକ ସୁପର୍‌-୧୨ ମ୍ୟାଚ୍‌ରେ ଏସିଆ କପ୍‌ ବିଜେତା ଶ୍ରୀଲଙ୍କା ୬ ୱିକେଟ୍‌ରେ ଆଫ୍‌ଗାନିସ୍ତାନକୁ ପରାସ୍ତ କରିଛି। ୱାନିନ୍ଦୁ ହସରଙ୍ଗା (୩/୧୩)ଙ୍କ ସ୍ପିନ୍‌ ଯାଦୁ ପରେ ଧନଞ୍ଜୟ ଡି’ସିଲଭା (୬୬*)ଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ବଳରେ ଶ୍ରୀଲଙ୍କା ଚତୁର୍ଥ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ହାସଲ କରି ନିଜ ସମ୍ଭାବନାକୁ କାଏମ ରଖିଛି। ସୁପର୍‌ ୧୨ର ଏହି ଗ୍ରୁପ୍‌-୧ରେ ନ୍ୟୁଜିଲାଣ୍ଡ୍‌, ଇଂଲଣ୍ଡ, ଅଷ୍ଟ୍ରେଲିଆ ସମାନ ୫ ପଏଣ୍ଟ‌ ଲେଖାଏଁ ପାଇ ପ୍ରଥମ ୩ ସ୍ଥାନରେ ରହିଛନ୍ତି। ଶ୍ରୀଲଙ୍କା ୪, ଆୟର୍ଲାଣ୍ଡ୍‌ ୩ ପଏଣ୍ଟ ପାଇଥିବାରୁ ଆଶଙ୍କା ଭିତରେ ରହିଛନ୍ତି।

Advertisment

ବର୍ଷା କାରଣରୁ ବିଗତ ୧୦ ଦିନ ‌ହେବ ମ୍ୟାଚ୍‌ ଖେଳିବାରୁ ବଞ୍ଚିତ ରହିଥିବାରୁ ଆଫ୍‌ଗାନିସ୍ତାନ ନିଜ ଲୟକୁ ଫେରିପାରିନଥିବା ଏହାର ଅଧିନାୟକ ମହମ୍ମଦ ନବି ପ୍ରକାଶ କରିଛନ୍ତି। ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଆଫ୍‌ଗାନିସ୍ତାନ ବର୍ଷାର ସର୍ବାଧିକ ଶିକାର ହୋଇ ୨ଟି ମ୍ୟାଚ୍‌ରୁ (ନ୍ୟୁଜିଲାଣ୍ଡ୍‌ ଓ ଆୟର୍ଲାଣ୍ଡ୍‌) ପଏଣ୍ଟ ଭାଗ କରିଥିଲା। ମଙ୍ଗଳବାର ଦଳର ଶୀର୍ଷକ୍ରମରେ ରହମନୁଲ୍ଲା ଗୁରବାଜ (୨୮), ଉସମାନ ଘନି (୨୭), ଇବ୍ରାହିନ୍ ଜଦ୍ରାନ୍‌ (୨୨), ନଜିବୁଲ୍ଲା ଜଦ୍ରାନ (୧୮) ପ୍ରମୁଖ ଭଲ ଆରମ୍ଭ ପାଇଥିଲେ ମଧ୍ୟ କେହି ବି ଏହାକୁ ବଡ଼ ପାଳିରେ ପରିଣତ କରିପାରିନଥିଲେ। ଶେଷକୁ ଏହି ଏସୀୟ ଦେଶ ୧୪୪/୮ରେ ସୀମିତ ରହିଯାଇଥିଲା। ଜବାବରେ ଶ୍ରୀଲଙ୍କା ୧୮.୩ ଓଭରରେ ୪ ୱିକେଟ୍ ହରାଇ ୧୪୮ ରନ୍‌ ସଂଗ୍ରହ କରିନେଇଥିଲା। ଫଜଲାକ୍ ଫାରୁକୀଙ୍କୁ ଚୌକା ମାରି ଧନଞ୍ଜୟ ଡି’ସିଲଭା ମ୍ୟାଚ୍‌ ଶେଷ କରିଥିଲେ। ଧନଞ୍ଜୟ ମଧ୍ୟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଆଫ୍‌ଗାନିସ୍ତାନ ନିଜର ପରବର୍ତୀ ମ୍ୟାଚ୍‌ ଶୁକ୍ରବାର ଅଷ୍ଟ୍ରେଲିଆ ସହିତ ଆଡିଲେଡ୍‌ରେ ଖେଳିବ।

ସଂକ୍ଷିପ୍ତ ସ୍କୋର: ଆଫ୍‌ଗାନିସ୍ତାନ ୨୦ ଓଭରରେ ୧୪୪/୮ (ରହମନୁଲ୍ଲା ଗୁରବାଜ-୨୮, ଉସମାନ ଘନି-୨୭, ୱାନିନ୍ଦୁ ହସରଙ୍ଗା-୩/୧୩, ଲାହିରୁ କୁମାରା-୨/୩୦, ଧନଞ୍ଜୟ ଡି’ସିଲଭା-୧/୯, କାସୁନ ରଂଜିତା-୧/୩୧)। ଶ୍ରୀଲଙ୍କା ୧୮.୩ ଓଭରରେ ୧୪୮/୪ (ଧନଞ୍ଜୟ ଡି’ସିଲଭା-୬୬*, କୁସାଲ ମେଣ୍ଡିସ୍-୨୫, ଚରିତ ଅସଲଙ୍କା-୧୯, ଭାନୁକା ରାଜପକ୍ଷ-୧୮, ମୁଜିବ୍ ଉର୍ ରହମାନ-୨/୨୪, ରସିଦ୍ ଖାନ୍‌-୨/୩୧)।