ଏସିଆ କପ୍ ବିଜୟ ପାଇଁ ଭାରତକୁ ୫୦ ଓଭରରେ ୫୧ ରନ କରିବାକୁ ହେବ

ସିରାଜ, ପାଣ୍ଡ୍ୟା ଓ ବୁମରାଙ୍କ ବୋଲିଂ ଆଗରେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନଙ୍କ ଆତ୍ମସମର୍ପଣ

କଲମ୍ବୋ: କଲମ୍ବୋର ଆର.ପ୍ରେମଦାସା ଷ୍ଟାଡିୟମଠାରେ ଚାଲିଥିବା ଏସିଆ କପ ଫାଇନାଲରେ ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୫୦ ରନରେ ଅଲ ଆଉଟ ହୋଇଯାଇଛି । ଭାରତର ୩ ବୋଲର ମହମ୍ମଦର ସିରାଜ, ଯଶପ୍ରୀତ ବୁମରା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଘାତକ ବୋଲିଂ ଆଗରେ ସମଗ୍ର ଶ୍ରୀଲଙ୍କା ଦଳ ଆତ୍ମସମର୍ପଣ କରିଦେଇଛି । ତେବେ ଦିନିକିଆ ଇତିହାସରେ ଶ୍ରୀଲଙ୍କାର ଏହା ସର୍ବନିମ୍ନ ସ୍କୋର ନୁହେଁ । ପୂର୍ବରୁ ୨୦୧୨ରେ ଦକ୍ଷିଣ ଆଫ୍ରିକା ବିରୋଧରେ ଶ୍ରୀଲଙ୍କା ମାତ୍ର ୪୩ ରନରେ ଅଲଆଉଟ ହୋଇଯାଇଥିଲା ।

ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । କିନ୍ତୁ ଶ୍ରୀଲଙ୍କାର ଏହି ନିଷ୍ପତ୍ତିକୁ ଆରମ୍ଭରୁ ହିଁ ଭୁଲ ପ୍ରମାଣିତ କରିଦେଲେ ଭାରତର ଦୁଇ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ । ପ୍ରଥମ ଓଭରରେ ହିଁ ବୁମରା ଶ୍ରୀଲଙ୍କାର କୁଶଲ ପରେରାଙ୍କୁ ଆଉଟ କରିଦେଇଥିଲେ । ଏହା ପରେ ଆରମ୍ଭ ହୋଇଥିଲା ସିରାଜଙ୍କ ଅଗ୍ନିବର୍ଷୀ ବୋଲିଂ ।  ସେ ଭାରତର ୪ର୍ଥ ଓ ବ୍ୟକ୍ତିଗତଭାବେ ନିଜର ୨ୟ ଓଭର ବୋଲିଂ କରିବାକୁ ଆସି ଶ୍ରୀଲଙ୍କା ଟିମର ଅଣ୍ଟା ଭାଙ୍ଗିଦେଲେ । ଏହି ଓଭରରେ ସେ ଶ୍ରୀଲଙ୍କାର ୪ ଜଣ ବ୍ୟାଟ୍ସମ୍ୟାନ-ପ୍ରଥୁମ ନିଶଙ୍କା, ସଦିରା ସମରବିକ୍ରମା, ଚରିଥ୍ ଅସଲଙ୍କା ଓ ଧନଞ୍ଜୟ ଡିସିଲଭାଙ୍କୁ ପାଭିଲିୟନ ଫେରାଇଥିଲେ । ସେହିପରି ନିଜର ୩ୟ ଓଭରରେ ସେ ସନକାଙ୍କୁ ବୋଲଡ୍ କରିଦେଇଥିଲେ । ସେତେବେଳେ ଶ୍ରୀଲଙ୍କାର ସ୍କୋର ମାତ୍ର ୧୨ ରନ ଥିଲା ଓ ଦଳ ୬ଟି ଓ୍ବିକେଟ ହରାଇଥିଲା । ପରେ ସିରାଜ  ନିଜର ୬ଷ୍ଠ ଓଭର ବୋଲିଂ କରିବାକୁ ଆସି କୁଶଲ ମେଣ୍ଡିସଙ୍କୁ ଆଉଟ୍ କରିଦେଇଥିଲେ । ପରେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ବୋଲିଂ କରିବାକୁ ଆସି ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନଙ୍କୁ ବାନ୍ଧି ରଖିଥିଲେ । ସେ ମୋଟ ୩ଟି ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର