ଶ୍ରୀଲଙ୍କା ୩୭୩ରନ୍‌ରେ ଅଲଆଉଟ, ଭାରତକୁ ୧୬୩ରନ୍‌ ଗୁରତ୍ୱପୂର୍ଣ୍ଣ ଅଗ୍ରଣୀ

ଶ୍ରୀଲଙ୍କା ନୂଆଦିଲ୍ଲୀ, : ଭାରତର ପ୍ରଥମ ପାଳି ସ୍କୋର୍‌ ୫୩୬/୭ ଜବାବରେ ତୃତୀୟ ଦିନ ଶେଷ ସୁଦ୍ଧା ୯ ଓ୍ଵିକେଟ୍‌ରେ ୩୫୬ ରନ୍‌ ସଂଗ୍ରହ କରି ଭାରତକୁ ଦୃଢ଼ ଜବାବ ଦେଇଥିବା ଶ୍ରୀଲଙ୍କା ଦଳ ଆଜି ୪ର୍ଥ ଦିନ ଦଳୀୟ ସ୍କୋରରେ ମାତ୍ର ଆଉ ୧୭ ରନ୍‌ ଯୋଡ଼ି ୩୭୩ରନ୍‌ରେ ଅଲଆଉଟ୍‌ ହୋଇଛି। ଶେଷ ଖେଳାଲୀ ଭାବେ ଶ୍ରୀଲଙ୍କା ଅଧିନାୟକ ଦୀନେଶ ଚାନ୍ଦିମାଲ ୧୬୪ ରନ ( ୩୬୧ ବଲ, ୨୧ ଚୌକା, ଗୋଟିଏ ଛକା) କରିଥିବା ବେଳେ ଇଶାନ୍ତ ଶର୍ମାଙ୍କ ବଲରେ ଧାଓ୍ଵନଙ୍କୁ କ୍ୟାଚ୍‌ ଦେଇ ପରଭିଲିୟନ ଫେରିଛନ୍ତି। ଚାନ୍ଦିମାଳ ନିଜର ଦଶମ ଶତକ ପୂରଣ କରିବା ସହିତ ଏବେ ନିଜ ଟେଷ୍ଟ କ୍ୟାରିୟରର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ପୂର୍ବରୁ ଚାନ୍ଦିମାଲଙ୍କ ବ୍ୟକ୍ତିତ ଶ୍ରେଷ୍ଠ ପ୍ରଦର୍ଶନ ଥିଲା ୧୬୨ ରନ। ତେବେ ଚାନ୍ଦିମାଳଙ୍କ ଆଉଟ୍‌ ସହିତ ଭାରତ ପ୍ରଥମ ଇନିଙ୍ଗସ୍‌ରେ ୧୬୩ରନ୍‌ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ନେଇ ଦ୍ୱିତୀୟ ପାଳି ବ୍ୟାଟିଂ ଆରମ୍ଭ କରିଛି। ତେବେ ଦ୍ୱିତୀୟ ପାଳି ଖେଳ ଆରମ୍ଭରୁ ଭାରତକୁ ଝଟକା ଲାଗିଛି। ଭାରତର ଓପନ୍‌ର ମୁରଲୀ ବିଜୟ ମାତ୍ର ୯ ରନ୍‌ କରି ଲକ୍‌ମଲଙ୍କ ବଲରେ ଓ୍ଵକେଟକିପରଙ୍କୁ କ୍ୟାଚ୍‌ ଦେଇ ପାଭିଲିୟନ ଫେରି ଯାଇଛନ୍ତି। ଦ୍ୱିତୀୟ ପାଳିରେ ଭାରତ ୧୨ ରନକରି ଗୋଟିଏ ଓ୍ଵିକେଟ ହରାଇଛି।
ରବିବାର ପ୍ରଦୂଷଣ ନାଟକ ପରେ ଭାରତ ଆଗୁଆ ପାଳି ଘୋଷଣା କରିବା ପରେ ଶ୍ରୀଲଙ୍କା ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ସୋମବାର ସକାଳେ ଶ୍ରୀଲଙ୍କା ୧୩୧/୩ରୁ ଖେଳିବା ପରେ ପ୍ରଥମ ଦୁଇ ଅଧିବେସନରେ ପ୍ରାଧାନ୍ୟ ବିସ୍ତାର କରିଥିଲା। ଅତିଥି ଦଳର ଦୁଇ ପ୍ରତିଭାବାନ ଖେଳାଳି ପୂର୍ବତନ ଅଧିନାୟକ ଆଞ୍ଜେଲୋ ମାଥ୍ୟୁସ ଏବଂ ଅଧିନାୟକ ଦୀନେଶ ଚାନ୍ଦିମାଳ ତାଙ୍କ ଭାଗୀଦାରିକୁ ଆଗକୁ ବଢ଼ାଇଥିଲେ। ଚା’ପାନ ବିରତି ପର୍ଯ୍ୟନ୍ତ ଭାରତ ଏକ ପ୍ରକାର ଓ୍ଵିକେଟଶୂନ୍ୟ ରହିଥିଲା। ଫର୍ମକୁ ନେଇ ସଂଘର୍ଷ କରୁଥିବା ଅଲ୍‌ରାଉଣ୍ଡର୍‌ ମାଥ୍ୟୁସ ନିଜର ସବୁଠୁ ଭାଗ୍ୟଶାଳୀ ଶତକ ଅର୍ଜନ କରି ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ। ମାତ୍ର ପରେ ପରେ ଅଫ୍‌ସ୍ପିନର୍‌ ଆର୍‌ ଅଶ୍ୱିନଙ୍କ ସିଧା ବଲ୍‌ ତାଙ୍କ ବ୍ୟାଟ୍‌ ଧାରରେ ବାଜି ଓ୍ଵିକେଟରକ୍ଷକ ରିଦ୍ଧିମାନ ସାହାଙ୍କ ଗ୍ଲୋଭ୍‌ସରେ ପଡ଼ିଥିଲା। ମାଥ୍ୟୁସ ୨୬୮ ବଲ୍‌ରୁ ୧୪ ଚୌକା, ୨ ଛକା ସହିତ ୧୧୧ ରନ୍‌ କରିଥିଲେ। ଏଥି ସହିତ ଚାନ୍ଦିମାଳ-ମାଥ୍ୟୁସ ଯୋଡ଼ି ମୋଟ ୪୭୭ ବଲ୍‌ ସମ୍ମୁଖୀନ ହୋଇ ଭାରତ ବିପକ୍ଷରେ ୩ ବର୍ଷ ପରେ ସର୍ବାଧିକ ବଲ୍‌ ଖେଳିଥିଲେ।
ପ୍ରଥମ ଦୁଇ ଅଧିବେସନରେ ଶ୍ରୀଲଙ୍କାର ପ୍ରାଧାନ୍ୟ ରହିଥିଲା। କିନ୍ତୁ ଚା’ପାନ ପରବର୍ତୀ ଶେଷ ଅଧିବେସନରେ ଭାରତୀୟ ବୋଲର ୫ ଓ୍ଵିକେଟ୍‌ ବାହାର କରି ମ୍ୟାଚ୍‌କୁ ନିଜ ପକ୍ଷରେ ରଖିଥିଲେ। ପ୍ରଥମ ଦିନରୁ ଆଘାତପ୍ରାପ୍ତ ଥିବା ସଦୀରା ସମରବିିକ୍ରମା (୩୩)ଙ୍କୁ ଛାଡ଼ିଦେଲେ ଆଉ କେହି ଅଧିନାୟକ ଦୀନେଶ ଚାନ୍ଦିମାଳଙ୍କ ସାଥ୍‌ ଦେଇ ନଥିଲେ। ସମରବିକ୍ରମାଙ୍କୁ ଈଶାନ୍ତ ଓ୍ଵିକେଟ୍‌ ପଛପଟେ କ୍ୟାଚ୍‌ କରାଇ ନେଇଥିଲେ। ଏହା ପରେ ଲଗାତାର ଓଭରରେ ରୋଶନ ସିଲଭା ଏବଂ ଓ୍ଵିକେଟରକ୍ଷକ ବ୍ୟାଟସମ୍ୟାନ୍‌ ନିରୋଶନ ଡିକ୍‌େଓ୍ଵଲାଙ୍କୁ ଅଶ୍ୱିନ୍‌ ଶୂନରେ ଆଉଟ୍‌ କରି ଦେଇଥିଲେ। ଫଳରେ ୫ ରନ୍‌ ଭିତରେ ଶ୍ରୀଲଙ୍କା ୩ ଓ୍ଵିକେଟ୍‌ ହରାଇ ପୁଣି ସଂଘର୍ଷ କରିଥିଲା। ସୁରଙ୍ଗା ଲାକମଲ୍‌ଙ୍କୁ ମହମ୍ମଦ ସାମି ଏବଂ ଲାହିରୁ ଗମାଗେଙ୍କୁ ରବୀନ୍ଦ୍ର ଜାଦେଜା ପ୍ୟାଭିଲିଅନ୍‌ ରାସ୍ତା ଦେଖାଇଥିଲେ।

ସମ୍ବନ୍ଧିତ ଖବର