ଏସିଆ କପ୍‌: ସୁପର -୪ରେ ପାକିସ୍ତାନକୁ ୫ ୱିକେଟରେ ହରାଇଲା ଶ୍ରୀଲଙ୍କା

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଖେଳାଯାଇଥିବା ଏସିଆ କପର ସୁପର – ୪ ମ୍ୟାଚରେ ଶ୍ରୀଲଙ୍କା ପାକିସ୍ତାନକୁ ୫ ୱିକେଟରେ ହରାଇ ଦେଇଛି। ପାକିସ୍ତାନ ଶ୍ରୀଲଙ୍କାକୁ ୧୨୨ ରନର ଟାର୍ଗେଟ ଦେଇଥିବାବେଳେ ମାତ୍ର ୧୭ ଓଭରରେ ଶ୍ରୀଲଙ୍କା ୫ ୱିକେଟରେ ୧୨୪ ରନ୍ କରି ଏହି ଲକ୍ଷ୍ୟ ହାସଲ କରିଛି। ଶ୍ରୀଲଙ୍କା ପକ୍ଷରୁ ପାଥୁମ ନିଶଙ୍କା ଓ ୱିକେଟ ରକ୍ଷକ କୁସାଲ ମେଣ୍ଡିସ ଓପନିଂ କରିଥିଲେ। ତେବେ ଦଳୀୟ ସ୍କୋର ୧ ରନ୍‌ ଥିବାବେଳେ ଶ୍ରୀଲଙ୍କାର କୁସାଲ କିଛି ରନ କରିନପାରି ମହମ୍ମଦ ହାସନାନଙ୍କ ବଲରେ ଇଫତିଖାର ଅହମ୍ମଦଙ୍କୁ କ୍ୟାଚ ଦେଇ ପାଭିଲିୟନ ଫେରିଥିଲେ।

ପରେ ଦାନୁସ୍କ ଗୁଣତିଳକେ ବ୍ୟାଟିଂ କରିବାକୁ ଆସିଥିଲେ ବି ଦ୍ବିତୀୟ ଓଭରରେ ବୋଲିଂ କରିବାକୁ ଆସିଥିବା ହାରିସ ରାଉଫଙ୍କ ବଲରେ ରିଜୱାନଙ୍କୁ କ୍ୟାଚ ଦେଇ ପାଭିଲିୟନ ଫେରିଥିଲେ। ପରେ ଧନଂଜୟ ଡିସଲଭା ଆସିଥିଲେ। ସେ ବ୍ୟକ୍ତିଗତ ଭାବେ ୯ ରନ କରି ପୁଣି ହାରିସ ରାଉଫଙ୍କ ଶୀକାର ହୋଇଥିଲେ। ସେ ବାବର ଆଜମଙ୍କୁ କ୍ୟାଚ ଦେଇ ପାଭିଲିୟନ ଫେରିଥିଲେ। ତେବେ ଦଳୀୟ ସ୍କୋର ୨୯ ଥିବାବେଳେ ଶ୍ରୀଲଙ୍କା ୩ ୱିକେଟ ହରାଇଥିଲା। ପରେ  ଭାନୁକା ରାଜପକ୍ଷ ଆସିବା ପରେ ପାଥୁମ ଓ ରାଜପକ୍ଷ ଦଳକୁ ଏକ ଦୃଢ଼ ସ୍ଥିତିରେ ପହଞ୍ଚାଇଥିଲେ। ତେବେ ଦଳୀୟ ସ୍କୋର ୮୦ରେ ପହଞ୍ଚିଥିବାବେଳେ ଭାନୁକା ବ୍ୟକ୍ତିଗତ ଭାବେ ୨୪ ରନ୍‌ କରି ଆଉଟ ହୋଇଯାଇଥିଲେ। ସେହିପରି ଦାସୁନ ସନକ ଆସି ବ୍ୟକ୍ତିଗତ ଭାବେ ୨୧ ରନ୍‌ କରି ଆଉଟ ହୋଇଯାଇଥିଲେ। କିନ୍ତୁ ପ୍ରଥମରୁ ପାଥୁନ ଓପନିଂରେ ଆସି ଶେଷ ପର୍ଯ୍ୟନ୍ତ ରହି ୫୫ ରନ୍‌ କରି ମ୍ୟାଚ ଜିତାଇବାରେ ସହାୟକ ହୋଇଥିଲେ। ପାକିସ୍ତାନ ପକ୍ଷରୁ ମହମ୍ମଦ ହାସନାନ ୨ଟି, ହାରିସ ରାଉଫ ୨ ଓ ଉସମାନ କାଦିର ଗୋଟିଏ ୱିକେଟ ନେଇଥିଲେ।

ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିବା ପାକିସ୍ତାନର ଷ୍ଟାର ଓପନର ମହମ୍ମଦ ରିଜଓ୍ବାନ ମାତ୍ର ୧୪ ରନ କରି ଆଉଟ ହୋଇଥିଲେ । ବାବର ଆଜମ ୩୦ ରନ କରିଥିବାବେଳେ ଫକର ଜମାନ ଓ ଇଫତିକାର ଅହମଦ ୧୩ ରନ ଲେଖାଏଁ କରିଥିଲେ । ମଧ୍ୟକ୍ରମ ଓ ନିମ୍ନକ୍ରମ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ମହମ୍ମଦ ନଓ୍ବାଜଙ୍କ ବ୍ୟତୀତ ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ । ନଓ୍ବାଜ ୨୬ ରନ କରିଥିଲେ ।

ଶ୍ରୀଲଙ୍କା ପକ୍ଷରୁ ଓ୍ବାନିଣ୍ଡୁ ହସରଙ୍ଗା ୩ଟି ଓ୍ବିକେଟ୍ ନେଇଥିବାବେଳେ ମହିଶ ତିକସନା ଓ ପ୍ରମୋଦ ମଧୁଶଙ୍କା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଧନଞ୍ଜୟ ଡି’ସିଲଭା ଓ ଚମିକା କରୁଣାରତ୍ନେ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଉଭୟ ଶ୍ରୀଲଙ୍କା ଓ ପାକିସ୍ତାନ ଆସନ୍ତା ରବିବାରଦିନ ଫାଇନାଲ ଖେଳିବେ । ଏଣୁ ଏହି ମ୍ୟାଚକୁ ଫାଇନାଲ ପୂର୍ବର ଅଭ୍ୟାସ ଭାବେ ଦେଖାଯାଉଛି । ସୁପର-୪ର ଅନ୍ୟ ଦୁଇଟି ଦଳ ଭାରତ ଓ ଆଫଗାନିସ୍ତାନ ଟୁର୍ଣ୍ଣାମେଣ୍ଟରୁ ପୂର୍ବରୁ ହିଁ ବାଦ ପଡ଼ିସାରିଛନ୍ତି ।

ସମ୍ବନ୍ଧିତ ଖବର