ଶ୍ରୀଲଙ୍କା ଅଧିନାୟକ, ପ୍ରଶିକ୍ଷକ, ପ୍ରବନ୍ଧକ ୨ ଟେଷ୍ଟ୍‌, ୪ ଦିନିକିଆରୁ ବାସନ୍ଦ

ଦୁବାଇ: େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷ ସେଣ୍ଟ ଲୁସିଆ ଟେଷ୍ଟରେ ଆସିଥିବା ବଲ୍‌ ବିକୃତ ଏବଂ ଦୁଇ ଘଣ୍ଟା ଧରି ଖେଳକୁ ଅଟକାଇବା ବିବାଦରେ ଆଇସିସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମାମଲାରେ ସଂପୃକ୍ତ ଥିବା ଶ୍ରୀଲଙ୍କା ଅଧିନାୟକ ଦୀନେଶ ଚାନ୍ଦିମାଳ, ପ୍ରଶିକ୍ଷକ ଚଣ୍ଡିକା ହାଥୁରୁସିଂହ ଏବଂ ପ୍ରବନ୍ଧକ ଅସଙ୍କା ଗୁରୁସିହ୍ନାଙ୍କୁ ୨ ଟେଷ୍ଟ ସହ ୪ ଦିନିକିଆକୁ ବାସନ୍ଦ କରାଯାଇଛି। ଖେଳୁଆଡ଼ ମନୋଭାବ ବିରୋଧରେ କାର୍ଯ୍ୟ କରିଥିବାରୁ ଏଭଳି ବାସନ୍ଦାଦେଶ ଦିଆଯାଇଥିବା ଆଇସିସି ସୋମବାର ଜାରି କରିଥିବା ପ୍ରେସ୍‌ ଇସ୍ତାହାରରେ କହିଛି। ଏହି ବାସନ୍ଦାଦେଶ ପରେ ଚାନ୍ଦିମାଳ, ହାଥୁରୁସିଂହ ଏବଂ ଗୁରୁସିହ୍ନା ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଶୃଙ୍ଖଳାର ଦ୍ୱିତୀୟ ମୁକାବିଲା ସହ ପାଞ୍ଚ ଟିକିଆ ଦିନିକିଆ ଶୃଙ୍ଖଳାର ପ୍ରଥମ ୪ ମ୍ୟାଚ୍‌ରୁ ବାଦ ପଡ଼ିଛନ୍ତି। ତିନି ଦିନରେ ଶେଷ ହୋଇଥିବା ଗଲ୍‌ ଟେଷ୍ଟରୁ ଏହି ତିନି ଜଣ ବାଦ ପଡ଼ି ସାରିଛନ୍ତି।

ଜୁନ୍‌ ମାସରେ ସେଣ୍ଟଲୁସିଆରେ ଖେଳା ଯାଇଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନ ଖେଳ ଅବସରରେ ପଡ଼ିଆ ଅମ୍ପାୟାରମାନେ ଚାନ୍ଦିମାଳଙ୍କ ବିରୋଧରେ ବଲ୍‌ ବିକୃତ ଅଭିଯୋଗ ଆଣିଥିଲେ। ଫଳରେ ଶ୍ରୀଲଙ୍କାକୁ ଆଉଏକ ବଲ୍‌ରେ ଖେଳିବାକୁ ନିର୍ଦେଶ ଦେବା ସହ ୫ ରନ୍‌ ପେନାଲ୍ଟି ଭାବେ େଓ୍ଵଷ୍ଟଇଣ୍ଡିଜ୍‌ ଖାତରେ ଯୋଡ଼ିଥିଲେ। ଏହାକୁ ବିରୋଧ କରି ଚାନ୍ଦିମାଳଙ୍କ ନେତୃତ୍ୱାଧୀନ ଶ୍ରୀଲଙ୍କା ଦଳ ଦୀର୍ଘ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଖେଳିବାକୁ ଆସି ନଥିଲା। ବ୍ୟାପକ ବିଚାର ବିମର୍ଷ ପରେ ଶେଷରେ ଶ୍ରୀଲଙ୍କା ଖେଳାଳିମାନେ ପଡ଼ିଆକୁ ଓହ୍ଲାଇଥିଲେ ଏବଂ ଏକ ବଡ଼ ଧରଣର ବିବାଦ ଟଳି ଯାଇଥିଲା। ଆଇସିସି ଏଥିପାଇଁ ଚାନ୍ଦିମାଳ, ହାଥୁରୁସିଂହ ଏବଂ ଗୁରୁସିହ୍ନାଙ୍କୁ ଦାୟୀ କରି ସେମାନଙ୍କ ବିରୋଧରେ ତୃତୀୟ ସ୍ତରୀୟ ଆଚରଣ ସଂହିତା ଉଲ୍ଲଂଘନ ମାମଲା ଆଣିଥିଲା। ଚଳିତ ମାସ ୧୧ ତାରିଖରେ ଏହାର ଶୁଣାଣି ହୋଇଥିଲା। ଏଥିରେ ତିନି ଜଣ ଯାକ ନିଜ ଦୋଷ ସ୍ୱୀକାର କରି ନେଇଥିଲେ। ଏଥିରେ ତିନି ଜଣ ଯାକଙ୍କୁ ୮ ନିଲମ୍ବନ ପଏଣ୍ଟ ମିଳିଥିଲା। ଯାହା ୨ ଟେଷ୍ଟ, ୪ ଦିନିକିଆ ସହ ସମାନ। ହାଥୁରୁସିଂହ ଏବଂ ଗୁରୁସିହ୍ନା ଆଇସିସି ଆଚରଣ ସଂହିତା ଉଲ୍ଲଂଘନ କରିବାର ଏହା ପ୍ରଥମ ଘଟଣା ହୋଇଥିଲା ବେଳେ ଚାନ୍ଦିମାଳଙ୍କ ପାଇଁ ଦ୍ୱିତୀୟ। ୨୦୧୬ ସେପ୍ଟେମ୍ବରରେ ନୂଆ ନିଲମ୍ବିନ ନୟମ ଆସିବା ପରେ ସେ ଏହା ପୂର୍ବରୁ ଥରେ ଆଇସିସି ଦ୍ୱାରା ଦଣ୍ଡିତ ହୋଇ ସାରିଥିଲେ।

ସମ୍ବନ୍ଧିତ ଖବର