ଶ୍ରୀଲଙ୍କା ୪୮୨ ରନ୍‌ରେ ଆଉଟ୍‌

ଦୁବାଇ: ପାକିସ୍ତାନ ବିପକ୍ଷ ଦିବାରାତ୍ର ଟେଷ୍ଟ୍‍ରେ ଶ୍ରୀଲଙ୍କା ପ୍ରଥମ ପାଳିରେ ୪୮୨ ରନ୍‌ କରିଛି। କରୁଣାରତ୍ନେ (୧୯୬, ୧୯ ଚୌକା, ୧ ଛକା) ଦ୍ୱିଶତକରୁ ବଞ୍ଚିତ ହେବା ପରେ ମଧ୍ୟକ୍ରମରେ ଦୀନେଶ ଚାନ୍ଦିମାଳ (୬୨, ୧୯୫ ବଲ୍‌, ୬ ଚୌକା), ନିରୋଶନ ଡିକ୍‌େଓ୍ଵଲା (୫୨, ୫୩ ବଲ୍‌, ୫ ଚୌକା) ଏବଂ କୁସାଲ ପେରେରା (୫୮, ୭୬ ବଲ୍‌, ୭ ଚୌକା) ଅର୍ଧଶତକ ହାସଲ କରିଥିଲେ। ଶ୍ରୀଲଙ୍କା ଶନିବାର ୨୫୪/୩ରୁ ଖେଳିଥିବାବେଳେ ରାତ୍ରୀ ଭୋଜନ ପରେ ୧୫୯.୨ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ପାକିସ୍ତାନ ପକ୍ଷରୁ ଲେଗ୍‌ ସ୍ପିନର ୟାସିର୍‌ ସାହା (୫୫.୫-୯-୧୮୪-୬) ସଫଳ ବୋଲର ରହିଥିଲେ। ୩ ଦ୍ରୁତ ବୋଲର ମହମ୍ମଦ ଆବାସ, ମହମ୍ମଦ ଆମିର୍‌, ଓ୍ଵାହାବ ରିଆଜ୍‌ ଅବଶିଷ୍ଟ ୪ ଓ୍ଵିକେଟ୍‌ ବାଣ୍ଟି ନେଇଥିଲେ।
ଜବାବରେ ଦ୍ୱିତୀୟ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ପାକିସ୍ତାନ ତା’ର ପ୍ରଥମ ପାଳିରେ କୌଣସି ଓ୍ଵିକେଟ୍‌ ନହରାଇ ୫୧ ରନ୍‌ କରିଛି। ୧୮ ଓଭର ଖେଳିଥିବା ପାକିସ୍ତାନ ପକ୍ଷରୁ ସନ୍‌ ମାସୁଦ୍‌ ୧୫ ଓ ସାମି ଇସ୍‌ଲାମ୍‌ ୩୦ ରନ୍‌ରେ ଅପରାଜିତ ରହିଛନ୍ତି।

ସମ୍ବନ୍ଧିତ ଖବର