ଜୁଲାଇରେ ଭାରତ ସହ ସିରିଜ ଖେଳିବାକୁ ଶ୍ରୀଲଙ୍କା  କ୍ରିକେଟ ବୋର୍ଡର ପ୍ରସ୍ତାବ, ବିସିସିଆଇ ନିଷ୍ପତ୍ତିକୁ ଅପେକ୍ଷା

କଲମ୍ବୋ : କରୋନା ମହାମାରୀ ଯୋଗୁଁ ସମଗ୍ର ବିଶ୍ବରେ କ୍ରୀଡ଼ା ପ୍ରତିଯୋଗିତା ଗୁଡ଼ିକ ବନ୍ଦ ରହିଛି । କ୍ରିକେଟ ମଧ୍ୟ ବନ୍ଦ ରହିଛି । କିନ୍ତୁ ଶ୍ରୀଲଙ୍କା କ୍ରିକେଟ ବୋର୍ଡର ଯୋଜନା ସଫଳ ହେଲେ ଆସନ୍ତା ଜୁଲାଇରୁ ଅନ୍ତର୍ଜାତୀୟ କ୍ରିକେଟ ଆରମ୍ଭ ହୋଇପାରିବ । ପୂର୍ବରୁ ନିର୍ଦ୍ଧାରିତ ଥିବା ଶ୍ରୀଲଙ୍କା-ଭାରତ ଓ ବାଲାଂ:ଦେଶ ସିରିଜକୁ ଆୟୋଜନ କରିବାକୁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପ୍ରସ୍ତୁତି ଆରମ୍ଭ କରିଛି । ତେବେ ଏ ସଂପର୍କରେ ବିସିସିଆଇ ଓ ବାଂଲାଦେଶ କ୍ରିକେଟ ବୋର୍ଡର ମତାମତ ଜଣାପଡ଼ିନାହିଁ ।

ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପକ୍ଷରୁ ବିସିସିଆଇକୁ ଏକ ଇମେଲ ଲେଖି ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବାକୁ ଅନୁରୋଧ କରିଛି । ତେବେ ଏ ସଂପର୍କରେ ବିସିସିଆଇ ଏବେ ସୁଦ୍ଧା ନିଜର ନିଷ୍ପତ୍ତି ଜଣାଇନାହିଁ । ଭାରତ ଜୁଲାଇରେ ଶ୍ରୀଲଙ୍କା ସହ ୩ଟି ଏକଦିବସୀୟ ଓ ୩ଟି ଟି-୨୦ ଖେଳିବାକୁ ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲା । ଭାରତ ପରେ ବାଂଲାଦେଶ ମଧ୍ୟ ସେଠାକୁ ଯାଇ ୩ଟି ଟେଷ୍ଟ ଖେଳିବାର ଥିଲା । କିନ୍ତୁ କରୋନା ମହାମାରୀ ପରେ ଏସବୁ ସିରିଜ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି । କରୋନା ଯୋଗୁଁ ଏବର୍ଷ ଆଇପିଏଲ ମଧ୍ୟ ରଦ୍ଦ ହୋଇଯାଇଥିଲା ।

ଗତକାଲି ଭାରତ ସରକାର କ୍ରୀଡ଼ା ପ୍ରତିଯୋଗିତାକୁ ଅନୁମତି ଦେଇଥିଲେ । କିନ୍ତୁ ଷ୍ଟାଡିୟମରେ ଦର୍ଶକ ରହିପାରିବେ ନାହିଁ । ଏହା ପରେ ବିସିସିଆଇ କହିଥିଲା ଯେ ଖେଳାଳିଙ୍କ ସୁରକ୍ଷା ଉପରେ ଅଗ୍ରାଧିକାର ଦିଆଯାଉଛି । ସେହି ଅନୁସାରେ ହିଁ ପରବର୍ତ୍ତି ନିଷ୍ପତ୍ତି ନିଆଯିବ । 

ସମ୍ବନ୍ଧିତ ଖବର