ଟି-୨୦ ବିଶ୍ୱକପ୍‌ : ୱେଷ୍ଟଇଣ୍ଡିଜ୍‌କୁ ୨୦ ରନ୍‌ରେ ପରାସ୍ତ କଲା ଶ୍ରୀଲଙ୍କା

ଆବୁଧାବି: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ଟି-୨୦ ବିଶ୍ୱକପ୍‌ର ୩୫ତମ ମ୍ୟାଚରେ ୱେଷ୍ଟଇଣ୍ଡିଜ୍‌କୁ ୨୦ ରନ୍‌ରେ ପରାସ୍ତ କଲା ଶ୍ରୀଲଙ୍କା । ପ୍ରଥମ ପାଳିରେ ଶ୍ରୀଲଙ୍କା ୨୦ ଓଭରରେ ୩ଟି ଓ୍ଵିକେଟ୍‌ ହରାଇ ୧୮୯ ରନ୍‌ କରିଥିଲା । ଜବାବରେ ୱେଷ୍ଟଇଣ୍ଡିଜ୍‌ ୨୦ ଓଭରରେ ୮ ୱିକେଟ ହରାଇ ୧୬୯ରନ୍‌ କରିବାରେ ସକ୍ଷମ ହୋଇଥିଲା । ୱେଷ୍ଟଇଣ୍ଡିଜ୍‌ ପକ୍ଷରୁ ଶିମ୍‌ରନ୍‌ ହେଟମାୟେର ସର୍ବାଧିକ ୮୧ ରନ୍‌ କରିଥିବା ବେଳେ ନିକୋଲାସ୍ ପୁରନ୍ ୪୬ ରନ୍‌ କରିଥିଲେ । ଅନ୍ୟପଟେ କୌଣସି ବି ବ୍ୟାଟ୍ସମ୍ୟାନ୍‌ ଦୁଇଅଙ୍କ ସଂଖ୍ୟା ଛୁଇଁବାରେ ସକ୍ଷମ ହୋଇ ନଥି‌ଲେ ।

ସେହିପରି ଶ୍ରୀଲଙ୍କା ପକ୍ଷରୁ ଦମ୍‌ଦାର ‌ବୋଲିଂ ଦେଖିବାକୁ ମିଳିଥିଲା । ବିନୁରା ଫର୍ନାଣ୍ଡୋ, ଚାମିକା କରୁଣାତ୍ନେ ଓ ୱାନିନ୍ଦୁ ହାସରାଙ୍ଗା ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଦୁଷ୍ମାନଥ ଚାମିରା, ଦାସୁନ୍ ଶାନାକା ୧-୧ ୱିକେଟ ନେଇଥିଲେ । ଫଳରେ ଶ୍ରୀଲଙ୍କା ଏହି ମ୍ୟାଚକୁ ୨୦ ରନ୍‌ରେ ଜିତି ନେଇଥିଲା ।

ପୂର୍ବରୁ ୱେଷ୍ଟଇଣ୍ଡିଜ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଶ୍ରୀଲଙ୍କା ଟିମ୍‌ ବ୍ୟାଟିଂ କରିଥିଲା। ଶ୍ରୀଲଙ୍କାର ଇନିଂସ ଆରମ୍ଭ କରିଥିଲେ ପାଥୁମ ନିଶଙ୍କ ଓ କୁଶଲ ପେରେରା। ଉଭୟ ଖେଳାଳି ପ୍ରଥମ ଓ୍ଵିକେଟ୍‌ ପାଇଁ ୪୨ ରନ୍‌ ଭାଗିଦାରୀ ଦେଇଥିଲେ। ୱେଷ୍ଟଇଣ୍ଡିଜର ପ୍ରଥମ ଶିକାର ହୋଇଥିଲେ ପେରେରା। ସେ ୨୧ଟି ବଲ୍‌ ଖେଳି ୨୯ ରନ୍‌ କରିଥିଲେ। ନିଶଙ୍କ ୪୧ଟି ବଲ୍‌ ଖେଳି ୫୧ ରନ୍‌ କରିଥିଲେ। ଏଥିରେ ୫ଟି ଚୌକା ସାମିଲ ଥିଲା। ଆଶଲଙ୍କା ଦଳ ପାଇଁ ବ୍ୟକ୍ତିଗତ ଭାବେ ସର୍ବାଧିକ ୬୮ ରନ୍‌ କରିଥିଲେ। ଏଥିରେ ୮ଟି ଚୌକା ଓ ଗୋଟିଏ ଛକା ଥିଲା। ଅଧିନାୟକ ସନକା ଅପରାଜିତ ୨୫ ରନ୍‌ କରିଥିଲେ। ସେ ୧୪ଟି ବଲ୍‌ ଖେଳି ୨ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।

ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନଙ୍କ ଆଗରେ ୱେଷ୍ଟଇଣ୍ଡିଜ୍‌ ବୋଲରଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଥିଲା। ଆଗଧାଡ଼ିର ବୋଲରମାନେ ସଂପୂର୍ଣ୍ଣ ରୂପେ ବିଫଳ ହୋଇଥିଲେ। ଦ୍ରୁତ ବୋଲର ଜସନ ହୋଲଡର ଓ ରବି ରାମ୍‌ପଲ ୪ ଓଭର ଲେଖାଏଁ ବୋଲିଂ କରି ୩୭-୩୭ ରନ୍‌ ଖର୍ଚ୍ଚ କରିଥିଲେ। ସେହିପରି ଆନ୍ଦ୍ରେ ରସଲ ମଧ୍ୟ ୩୩ ରନ୍‌ ଦେଇଥିଲେ। କିନ୍ତୁ ରସଲ ୨ଟି ଓ୍ଵିକେଟ ନେଇଥିଲେ।  ବ୍ରାଭୋ ୪୨ ରନ୍‌ ଦେଇ ଗୋଟିଏ ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର