କଲମ୍ବୋ: କରୋନା କବଳିତ ଦ୍ବିତୀୟ ମ୍ୟାଚ୍ରେ ଭାରତକୁ ୪ ୱିକେଟ୍ରେ ହରାଇ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୧-୧ରେ ଜୀବନ୍ତ ରଖିଛି ଶ୍ରୀଲଙ୍କା। ତିନି ଟିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍କୁ ୩୮ ରନ୍ରେ ଜିତିଥିବା ଭାରତ ପାଖରେ ବୁଧବାରର ଏହି ମ୍ୟାଚ୍ରେ ଶୃଙ୍ଖଳା ବିଜୟର ସୁଯୋଗ ଥିଲା। ହେଲେ କରୋନା ପଜିଟିଭ୍ ଥିବା କ୍ରୁନାଲ ପାଣ୍ଡ୍ୟାଙ୍କ ସଂସ୍ପର୍ଶରେ ଆସି ୭ ଜଣ ଭାରତୀୟ ଖେଳାଳି ସଂପୂର୍ଣ୍ଣ ଶୃଙ୍ଖଳାରୁ ବାଦ ପଡ଼ିବା ପରେ ଅନଭିଜ୍ଞ ଦଳକୁ ନେଇ ପଡ଼ିଆକୁ ଓହ୍ଲାଇବାକୁ ବାଧ୍ୟ ହୋଇଥିଲା ଟିମ୍ ଇଣ୍ଡିଆ। ଫଳରେ ଏକ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା। ତଥାପି ଅପେକ୍ଷାକୃତ ଭଲ ବୋଲିଂ କରି ଶ୍ରୀଲଙ୍କା ବିଜୟକୁ ଶେଷ ଓଭର ପର୍ଯ୍ୟନ୍ତ ରୋକି ପାରିଥିଲା।
କରୋନା ସଙ୍କଟ ପାଇଁ ଦିନକ ପରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ ଦେଇଥିବା ୧୩୩ ରନ୍ର ଛୋଟିଆ ଲକ୍ଷ୍ୟକୁ ଶ୍ରୀଲଙ୍କା କଷ୍ଟେମଷ୍ଟେ ୬ ୱିକେଟ୍ ହରାଇ ଓ ମାତ୍ର ଦୁଇଟି ବଲ୍ ବାକି ଥାଇ ହାସଲ କରିଥିଲା। ଏପରିକି ଅଷ୍ଟାଦଶ ଓଭର ପର୍ଯ୍ୟନ୍ତ ଶ୍ରୀଲଙ୍କା ହାତରୁ ଭାରତ ମ୍ୟାଚ୍ ଛଡ଼ାଇ ଆଣିବାର ଆଶା ଥିଲା। ତେବେ ଊନ୍ନବିଂଶ ଓଭରରେ ନିର୍ଣ୍ଣାୟକ ଛକା ସହ ୩୪ ବଲ୍ରୁ ୪୦ ରନ୍ର ମହତ୍ବପୂର୍ଣ୍ଣ ପାଳି ଖେଳି ଧନଞ୍ଜୟ ଡି’ ସିଲ୍ଭା ଶ୍ରୀଲଙ୍କାକୁ ଶୃଙ୍ଖଳା ବଞ୍ଚାଇବା ବିଜୟ ଉପହାର ଦେଇଥିଲେ। ସେଥିପାଇଁ ଏବେ ଗୁରୁବାରର ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ନିର୍ଣ୍ଣାୟକ ହୋଇଛି। ସେ ହିଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ବୁଧବାର ଭାରତ ୪ ଜଣ ନବ ପ୍ରତିଭା ଦେବଦତ୍ତ ପଡ଼ିକଲ, ଋତୁରାଜ ଗାଏକ୍ବାଡ୍, ଚେତନ ସାକାରିଆ ଓ ନୀତୀଶ ରାଣାଙ୍କୁ ଚୂଡ଼ାନ୍ତ ଦଳରେ ନେବାକୁ ବାଧ୍ୟ ହୋଇଥିଲା। ଏମାନେ କିନ୍ତୁ ସେମିତି କିଛି ଆଖି ଦୃଶିଆ ପ୍ରଦର୍ଶନ କରି ପାରି ନଥିଲେ। ଋତୁରାଜ ପାଳି ଆରମ୍ଭ କରି ୧୮ ବଲ୍ରୁ ଗୋଟିଏ ଚୌକା ସହାୟତାରେ ୨୧ ଏବଂ ପଡ଼ିକଲ ୨୩ ବଲ୍ରୁ ଗୋଟିଏ ଲେଖାଏଁ ଛକା, ଚୌକା ବଳରେ ୨୯ ରନ୍ କରିଥିଲେ। ଅଧିନାୟକ ଶିଖର ଧାୱନ ଦାୟିତ୍ବବାନ ପାଳି ଖେଳି ୪୨ ବଲ୍ରୁ ୫ ଚୌକା ବଳରେ ୪୦ ରନ୍ର ଯୋଗଦାନ ଦେଇଥିଲେ। ଯୁବ ଖେଳାଳିମାନେ ନିଜ ନିଜ ୱିକେଟ୍ ଫିଙ୍ଗି ଦେବା ପରେ ଭାରତ ଆଶାଜନକ ସ୍କୋର କରି ପାରି ନଥିଲା। ନୀତୀଶ ୯ ରନ୍ କରିଥିଲେ। ସଞ୍ଜୁ ସାମସନ (୭) ବି ନିରାଶ କରିଥିଲେ। ଭାରତ ଅତ୍ୟନ୍ତ ମନ୍ଥର ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ମାତ୍ର ୧୩୨ ରନ୍ କରି ପାରିଥିଲା। ପଡ଼ିକଲ ଏକବିଂଶ ଶତାବ୍ଦିରେ ଜନ୍ମିତ ପ୍ରଥମ ଖେଳାଳି ଭାବେ ଭାରତ ପାଇଁ ବୁଧବାର ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ସମ୍ପୂର୍ଣ୍ଣ ସୁସ୍ଥ ନଥିବା ଦୃତ ବୋଲର ନଭଦୀପ ସୈନି ଖେଳାଳି ଅଭାବରୁ ଚୂଡ଼ାନ୍ତ ଦଳରେ ଥିଲେ ମଧ୍ୟ ବୋଲିଂ କରିନଥିଲେ।
କ୍ରୁନାଲଙ୍କ ସଂସ୍ପର୍ଶରେ ଆସି ୭ ଭାରତୀୟ ଖେଳାଳି ବାଦ୍
କରୋନା ଆକ୍ରାନ୍ତ ଅଲ୍ରାଉଣ୍ଡର କ୍ରୁନାଲ ପାଣ୍ଡ୍ୟାଙ୍କ ସଂର୍ସ୍ପଶରେ ଆସିଥିବା ୭ ଜଣ ଭାରତୀୟ ଖେଳାଳି ପୃଥ୍ବୀ ସ’, ସୂର୍ଯ୍ୟକୁମାର ଯାଦବ, ହାର୍ଦିକ୍ ପାଣ୍ଡ୍ୟା, ଦୀପକ ଚହର, ମନୀଷ ପାଣ୍ଡେ, ଇଶାନ କିଶନ ଏବଂ କୃଷ୍ଣପ୍ପା ଗୌତମ ଶ୍ରୀଲଙ୍କା ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ସମ୍ପୂର୍ଣ୍ଣ ବାଦ ପଡ଼ିଛନ୍ତି। କ୍ରୁନାଲଙ୍କର କାଶ ହେଉଥିଲା ବେଳେ ଗଳାରେ ଯନ୍ତ୍ରଣା ଅନୁଭବ କରୁଥିଲେ। ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା ବେଳେ ଅନ୍ୟ ୭ ଜଣଙ୍କର ରିପୋର୍ଟ ନେଗେଟିଭ୍ ଥିଲା। ହେଲେ ପ୍ରାକ୍ ସୁରକ୍ଷା କାରଣରୁ ସେମାନଙ୍କୁ ଶୃଙ୍ଖଳାରୁ ବାଦ୍ ଦିଆଯାଇଥିବା ବିସିସିଆଇ ପକ୍ଷରୁ କୁହାଯାଇଛି। ଏତେ ସଂଖ୍ୟକ ଖେଳାଳିଙ୍କ ଅଭାବ ଯୋଗୁଁ ରିଜର୍ଭ ଖେଳାଳି ଇଶାନ ପୋରେଲ, ସନ୍ଦୀପ ୱାରିଅର୍, ଅର୍ଶଦୀପ ସିଂହ, ସାଇ କିଶୋର ଓ ସିମ୍ରନଜିତ୍ ସିଂହଙ୍କୁ ଦ୍ବିତୀୟ ମ୍ୟାଚ୍ ପୂର୍ବରୁ ଦଳରେ ସାମିଲ କରାଯାଇଥିଲା। ଅନ୍ୟପକ୍ଷରେ ପ୍ରାଥମିକ ଭାବେ କ୍ରୁନାଲଙ୍କ ସଂସ୍ପର୍ଶରେ ଆସିଥିବା କହି ଅଧିନାୟକ ଶିଖର ଧାୱନ୍ଙ୍କୁ ମଧ୍ୟ ଏହି ମ୍ୟାଚ୍ ଖେଳିବେନି ବୋଲି କୁହାଯାଉଥିଲା। ହେଲେ ଶେଷରେ ସେ ଖେଳିବାକୁ ଅନୁମତି ପାଇଥିଲେ। କରୋନା କବଳରେ ଦଳ ପଡ଼ିଯିବାରୁ ଋତୁରାଜ ଗାଏକ୍ବାଡ, ଦେବଦତ୍ତ ପଡ଼ିକଲ, ନୀତୀଶ ରାଣା ଓ ଚେତନ ସାକାରିୟାଙ୍କୁ ପଦାର୍ପଣ ସୁଯୋଗ ମିଳିଯାଇଥିଲା। ସେହିପରି ବେଞ୍ଚ୍ରେ ବସି ରହିଥିବା କୁଲ୍ଦୀପ ଯାଦବ ଏବଂ ନଭ୍ଦୀପ ସୈନି ମଧ୍ୟ ଚୂଡାନ୍ତ ଏକାଦଶରେ ସାମିଲ ହୋଇଥିଲେ।