ପ୍ରେମଦାସାରେ ଜରୁରୀକାଳୀନ କ୍ରିକେଟ୍‌:ଶ୍ରୀଲଙ୍କାର ଜବରଦସ୍ତ ବିଜୟ

କଲମ୍ବୋ: ନିଦହାସ ଟ୍ରଫି ଟେ୍ଵଣ୍ଟି-୨୦ ତ୍ରିରାଷ୍ଟ୍ରୀୟର ଉଦ୍‌ଘାଟନୀ ଦିବସରେ ଭାରତକୁ ଘରୋଇ ଶ୍ରୀଲଙ୍କା ୫ ଓ୍ଵିକେଟ୍‌ରେ ହରାଇ ଅଭିଯାନ ଆରମ୍ଭ କରିଛି। ଭାରତର ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରୁ ଶ୍ରୀଲଙ୍କା ଫାଇଦା ଉଠାଇବାରେ ସକ୍ଷମ ହୋଇଥିଲା। କିନ୍ତୁ ପ୍ରେମଦାସା ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଜାରି ହୋଇଥିଲା। ଘରୋଇ ଦଳର ଯୁବବାହିନୀ କିନ୍ତୁ ଏଥିରେ ପ୍ରଭାବିତ ନ ହୋଇ ମହତ୍ୱପୂର୍ଣ୍ଣ ବିଜୟ ହାସଲ କରି ନେଇଥିଲା। ଭାରତ ବିପକ୍ଷ ୭ ମ୍ୟାଚ୍‌ ଟେ୍ଵଣ୍ଟି-୨୦ ପରାଜୟ ଧାରାକୁ ମଧ୍ୟ ଘରୋଇ ଦଳ ଅଟକାଇ ଦେଇଥିଲା।
ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ଭାରତ ପ୍ରଥମରୁ ଅଡ଼ୁଆରେ ପଡ଼ିଥିଲା। ଅଧିନାୟକ ରୋହିତ ଶର୍ମା ୪ ବଲ୍‌ ଖେଳି ଖାତା ଖୋଲିବାରେ ବିଫଳ ହୋଇଥିବାବେଳେ ସୁରେଶ ରାଇନା (୧) ମାତ୍ର ୩ ବଲ୍‌ ଖେଳିବାରେ ସକ୍ଷମ ହୋଇଥିଲେ। ଟେ୍ଵଣ୍ଟି-୨୦ କ୍ରିକେଟ୍‌ର ଶୀର୍ଷ ୧୦ ଭିତରେ ଥିବା ଏହି ଦୁଇ ଅଭିଜ୍ଞଙ୍କ ବିଫଳତା କାରଣରୁ ଭାରତ ୯/୨ରେ ସଂଘର୍ଷ କରିଥିଲା। ଶିଖର ଧାଓ୍ଵନଙ୍କ ସହ ମନୀଷ ପାଣ୍ଡେ ଯୋଗଦେବା ପରେ ପରବର୍ତୀ ୧୦.୪ ଓଭରରେ ୯୫ ରନ୍‌ ଯୋଡ଼ି ସ୍ଥିତି ସମ୍ଭାଳି ନେଇଥିଲା। ଶିଖର ଧାଓ୍ଵନ ୩୦ ବଲ୍‌ରୁ ଅର୍ଧଶତକ ହାସଲ କରିଥିଲେ। ମନୀଷ ପାଣ୍ଡେ (୩୭, ୩୫ ବଲ୍‌, ୩,ଚୌକା, ୧ ଛକା) ଏବଂ ଋଷବ ପନ୍ତ (୨୩, ୨୩ ବଲ୍‌, ୧ ଚୌକା, ୧ ଛକା)ଙ୍କୁ ସାଥୀ କରି ଦୁଇଟି ଭଲ ଭାଗୀଦାରି କରିଥିଲେ। ଶିଖର ଧାଓ୍ଵନ (୯୦, ୪୯ ବଲ୍‌, ୬ ଚୌକା, ୬ ଛକା) ଶତକରୁ ବଞ୍ଚିତ ହୋଇଥିଲେ ମଧ୍ୟ ନିଜର ଶ୍ରେଷ୍ଠ ବ୍ୟକ୍ତିଗତ ସ୍କୋର୍‌ ପାଇଥିଲେ। ପୂର୍ବରୁ ତାଙ୍କ ଶ୍ରେଷ୍ଠ ଟେ୍ଵଣ୍ଟି-୨୦ ସ୍କୋର୍‌ ଥିଲା ୮୦ ରନ୍‌। ବିଗତ ୭ ପାଳିରେ ହିଁ ଧାଓ୍ଵନ ନିଜର ଶ୍ରେଷ୍ଠ ୩ ପାଳି ପାଇଛନ୍ତି। ଶେଷ ଭାଗରେ ଦୀନେଶ କାର୍ତିକ (୧୩*, ୬ ବଲ୍‌, ୨ ଚୌକା) ଆକର୍ଷଣୀୟ ପାଳି ଖେଳିଥିଲେ ମଧ୍ୟ ଋଷବ ପନ୍ତ ମନ୍ଥର ଖେଳି ନିରାଶ କରିଥିଲେ। ଭାରତ ପାଳିର ଶେଷ ବଲ୍‌ରେ ପନ୍ତ ଆଉଟ୍‌ ହୋଇଥିଲେ। ଭାରତ ୧୭୪/୫ରେ ସୀମିତ ରହିଥିଲା। ଶ୍ରୀଲଙ୍କା ପକ୍ଷରୁ ଦୁଷ୍ମନ୍ତ ଚାମିରା ୨ ଓ୍ଵିକେଟ୍‌ ନେଇଥିବାବେଳେ ଫର୍ନାଣ୍ଡୋ, ମେଣ୍ଡିସ୍‌ ଓ ଗୁଣତିଳକ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ।
ଭାରତ ଲଢ଼ୁଆ ସ୍କୋର କରିଥିବା ବିଶ୍ୱାସ ହେଉଥିଲା। କିନ୍ତୁ ଶ୍ରୀଲଙ୍କାର ଯୁବ ଦଳ ଦୃଢ଼ ଜବାବ ଦେଇଥିଲା। ପାଓ୍ଵାର ପ୍ଲେ ୬ ଓଭରରେ ଶ୍ରୀଲଙ୍କା ନିଜ ଟେ୍ଵଣ୍ଟି-୨୦ ଅନ୍ତର୍ଜାତୀୟ ଇତିହାସରେ ସର୍ବାଧିକ ୭୫ ରନ୍‌ ଆଦାୟ କରି ଭାରତୀୟ ବୋଲରଙ୍କୁ ଚକିତ କରି ଦେଇଥିଲେ। ଏହାଠାରୁ ଦଳ ଆଉ ପଛକୁ ଫେରି ନ ଥିଲା। ବିଶେଷ କରି କୁସାଲ ପେରେରା ୨୨ ବଲ୍‌ରୁ ଅର୍ଧଶତକ ହାସଲ କରି ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ। ମଧ୍ୟକ୍ରମରେ ସ୍ପିନ୍‌ ଯୋଡ଼ି ଓ୍ଵାଶିଂଟନ୍‌ ସୁନ୍ଦର ଏବଂ ୟୁଜବେନ୍ଦ୍ର ଚହଲ୍‌ ୨-୨ ଓ୍ଵିକେଟ୍‌ ନେଇଥିଲେ ମଧ୍ୟ ଶ୍ରୀଲଙ୍କା ବିଜୟମୁହାଁ ହୋଇସାରିଥିଲା। କୁସାଲ ପେରେରା ୩୭ ବଲ୍‌ରୁ ୬ ଚୌକା, ୪ ଛକା ସହାୟତାରେ ୬୬ ରନ୍‌ କରି ଓ୍ଵାସିଂଟନ୍‌ ସୁନ୍ଦରଙ୍କ ଶିକାର ହୋଇଥିଲେ। ଶେଷକୁ ଦାସୁନ ଶଣକା (୧୫*, ୧୮ ବଲ୍‌, ୧ ଚୌକା) ଏବଂ ତିସରା ପେରେରା (୨୨*, ୧୦ ବଲ୍‌, ୨ ଚୌକା, ୧ ଛକା) ସୁଯୋତ ହାତଛଡ଼ା ହେବାକ ଦେଇନଥିଲେ। ସାର୍ଦୁଲ ଠାକୁରଙ୍କୁ ଚୌକା ମାରି ତିସରା ପେରେରା ୧୦ ବଲ୍‌ ପୂର୍ବରୁ ମ୍ୟାଚ୍‌ ଶେଷ କରିଥିଲେ। ଭାରତ ପକ୍ଷରୁ ପଦାର୍ପଣ କରିଥିବା ବିଜୟ ଶଙ୍କର ତାଙ୍କ ୨ ଓଭରରେ ୧୫ ରନ୍‌ ଦେଇ ଓ୍ଵିକେଟଶୂନ୍ୟ ରହିଥିଲେ। ଏହା ଫଳରେ ପ୍ରେମଦାସାରେ ୧୫ ଅନ୍ତର୍ଜାତୀୟ ଟେ୍ଵଣ୍ଟି-୨୦ ମ୍ୟାଚ୍‌ ଖେଳି ଖରାପ ପ୍ରଦର୍ଶନ ରଖିଥିବା ଶ୍ରୀଲଙ୍କା ମାତ୍ର ତୃତୀୟ ବିଜୟ ହାସଲ କରିଥିଲା। କୁସାଲ ପେରେରା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ହୋଇଥିଲେ।

ସମ୍ବନ୍ଧିତ ଖବର