ଟିଏନ୍‌ସିଏ ସଭାପତି ହେଲେ ଶ୍ରୀନିବାସନ୍‌ଙ୍କ ଝିଅ, ରାଜ୍ୟ ସଂଘର ସଭାପତି ହେବାରେ ପ୍ରଥମ ମହିଳା

ଚେନ୍ନାଇ: ପୂର୍ବତନ ବିସିସିଆଇ ମୁଖ୍ୟ ଏନ୍‌ ଶ୍ରୀନିବାସନ୍‌ଙ୍କ ଝିଅ ରୁପା ଗୁରୁନାଥନ ବିନା ପ୍ରତିଦ୍ବନ୍ଦ୍ବିତାରେ ତାମିଲନାଡ଼ୁ କ୍ରିକେଟ୍‌ ସଂଘ (ଟିଏନ୍‌ସିଏ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଏଥିସହ ସେ ବିସିସିଆଇ ଅନୁବନ୍ଧିତ କୌଣସି ରାଜ୍ୟ ସଂଘର ସଭାପତି ହେବାରେ ପ୍ରଥମ ମହିଳା ଭାବେ ଗୌରବ ପାଇଛନ୍ତି। ରୁପା ହେଉଛନ୍ତି ୨୦୧୩ ଆଇପିଏଲ୍‌ ସ୍ପଷ୍ଟ୍‌-ଫିକ୍ସିଂରେ ସଂପୃକ୍ତ ଲାଗି ଆଜୀବନ ବାସନ୍ଦ ହୋଇଥିବା ଗୁରୁନାଥ ମିୟାପନଙ୍କ ପତ୍ନୀ। ବୁଧବାର ପାର୍ଥିପତ୍ର ଦାଖଲର ଶେଷ ତାରିଖ ‌ହୋଇଥିବା ବେଳେ ରୁପା ଏକମାତ୍ର ସଭାପତି ପାର୍ଥୀ ରହିଥିଲେ। ସଂପ୍ରତି ରୁପା ତାଙ୍କ ବାପାଙ୍କ ଇଣ୍ଡିଆ ସିମେଣ୍ଟ୍‌ କମ୍ପାନିର କାର୍ଯ୍ୟକାରୀ ନିର୍ଦେଶିକା ଅଛନ୍ତି। ଏହି କମ୍ପାନି ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ଚେନ୍ନାଇ ସୁପର କିଙ୍ଗ୍ସର ମାଲିକ। ରୁପାଙ୍କ ସହ ନିର୍ବାଚିତ ହୋଇଥିବା ଅନ୍ୟ ଅଧିକାରୀମାନେ ହେଲେ ଟିଜେ ଶ୍ରୀନିବାସରାଜ, ପି ‌ଅଶୋକ ସିଗାମଣି (ଉପସଭାପତି), ଆର୍‌ଏସ୍‌ ରାମସାମି (ସମ୍ପାଦକ), କେଏ ଶଙ୍କର (ଯୁଗ୍ମ ସମ୍ପାଦକ), ଏନ୍‌ ଭେଙ୍କଟରମଣ (ସହ‌ ସମ୍ପାଦକ), ଜେ ପାର୍ଥସାରଥି (କୋଷାଧ୍ୟକ୍ଷ)।

ସମ୍ବନ୍ଧିତ ଖବର