୧୦୦ କୋଟିର କ୍ରୀଡ଼ା ଏକାଡେମି କରିବେ ଶ୍ରୀନିବାସ, ଓଡ଼ିଶା ଦୌଡ଼କୁଦ ସଂଘ ନୂଆ ସଭାପତିଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ବର: ଓଡ଼ିଶା ଦୌଡ଼କୁଦ ସଂଘ (ଓଏଏ)ର ନୂଆ ସଭାପତି ଡକ୍ଟର ଶ୍ରୀନିବାସ ପଟ୍ଟନାୟକଙ୍କୁ ଗୁରୁବାର ଭବ୍ୟ ସମ୍ବର୍ଧନା ପ୍ରଦାନ କରାଯାଇଛି। ଭାରତୀୟ ହକିର କିଂବଦନ୍ତି ପୁରୁଷ ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଦିଲ୍ଲୀପ ତିର୍କି ଏବଂ ଅଲିମ୍ପିଆନ୍ ଅନୁରାଧା ବିଶ୍ବାଳ ଅତିଥି ଭାବେ ଯୋଗଦେଇ ତାଙ୍କୁ ସମ୍ବର୍ଧିତ କରିଥିଲେ। ଏହି ଅବସରରେ ଡକ୍ଟର ପଟ୍ଟନାୟକ କହିଥିଲେ, ଠିକଣା ସମୟରେ ଓଡ଼ିଶା ଦୌଡ଼କୁଦ ସଂଘର ଦାୟିତ୍ବ ମିଳିଥିଲେ ମଧ୍ୟ ଏହା ନିଶ୍ଚିତ ଅନେକ ଆହ୍ବାନ ଆଣିଦେଇଛି। ରାଜ୍ୟରେ ପ୍ରତିଭାବାନ ଖେଳାଳିମାନେ ଆଗେଇ ଆସୁନଥିବାରୁ ଏହା ପ୍ରଥମ ବଡ଼ ଆହ୍ବାନ। ସେମାନଙ୍କୁ ଚିହ୍ନଟ କରି ମୁଖ୍ୟସ୍ରୋତରେ ସାମିଲ କରାଯିବ। ଏଥିଲାଗି ମୁଁ ବ୍ୟକ୍ତିଗତ ଭାବେ ରାଜ୍ୟର ପ୍ରତି ଜିଲ୍ଲାକୁ ଗସ୍ତ କରିବି ଏବଂ ସ୍ବପ୍ନ ସାକାର କରିବାକୁ ଚେଷ୍ଟା କରିବି। ନୂଆ କ୍ରୀଡ଼ାନୀତି ଅନୁସାରେ ଏଣିକି ବିନା ପଡ଼ିଆରେ କୌଣସି ବିଦ୍ୟାଳୟକୁ ଅନୁମତି ପ୍ରଦାନ କରାଯିବାର ନାହିଁ। ଏହା କ୍ରୀଡ଼ା କ୍ଷେତ୍ର ପ୍ରତି ଅନୁକୁଳ ରହିବ। ଦିଲ୍ଲୀପ ତିର୍କି ଏବଂ ଅନୁରାଧା ବିଶ୍ବାଳଙ୍କ ଅଭିବ୍ୟକ୍ତିରୁ ମିଳିଥିବା ତଥ୍ୟ ଅନୁସାରେ ସେ ମଧ୍ୟ ୬ରୁ ୯ ବର୍ଷ ବୟସର ଖେଳାଳିଙ୍କୁ ପ୍ରତିଭା ଚିହ୍ନଟ ବେଳେ ଅଗ୍ରାଧିକାର ଦେବେ ବୋଲି ପ୍ରକାଶ କରିଥିଲେ।

ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ମାଧ୍ୟମରେ ମଧ୍ୟ ଏକ କ୍ରୀଡ଼ା ଏକାଡେମି ଲାଗି ରାଇପୁରରେ ୧୧ ଏକର ଜମି ଅଧିଗ୍ରହଣ କରାଯାଇଛି। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ ବୋଲି ଡକ୍ଟର ପଟ୍ଟନାୟକ ‘ସମ୍ବାଦ’ ସହିତ ଆଲୋଚନା ବେଳେ ପ୍ରକାଶ କରିଥିଲେ। ଶିକ୍ଷାବିତ୍‌ରୁ କ୍ରୀଡ଼ା ପ୍ରଶାସନ କ୍ଷେତ୍ରକୁ ପ୍ରବେଶ କରିଥିବା ଡକ୍ଟର ପଟ୍ଟନାୟକ ନିଜେ ବିଦ୍ୟାଳୟ ଜୀବନରେ ହକି ଖେଳିଥିଲେ ବୋଲି ମଧ୍ୟ ପ୍ରକାଶ କରିଥିଲେ। ଡକ୍ଟର୍ ପଟ୍ଟନାୟକଙ୍କ ‌ନେତୃତ୍ବରେ ଓଡ଼ିଶା ଦୌଡକୁଦ ସଂଘ (ଓଏଏ) ସଫଳତାର ଶୀର୍ଷକୁ ଉଠିବ ବୋଲି ବକ୍ତାମାନେ ଶୁଭେଚ୍ଛା ଜଣାଇବା ଅବସରରେ ଆଶା ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସେଣ୍ଟ୍ ଜାଭିୟର୍ସ ଗ୍ରୁପ୍‌ ଅଫ୍‌ ସ୍କୁଲ୍‌ର ନିର୍ଦ୍ଦେଶକ ଡକ୍ଟର ପ୍ରଭୂ ମହାନ୍ତି, ଡକ୍ଟର ଜିଏସ୍‌ ପଣ୍ଡା, ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏବଂ ଗୀତିକାର ସୁସ୍ମିତା ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ। ଡକ୍ଟର ପଟ୍ଟନାୟକଙ୍କ ପରିଚାଳନାରେ ଦେଶର ୯ଟି ରାଜ୍ୟରେ ପ୍ରାୟ ୭୦ରୁ ଊର୍ଦ୍ଧ୍ବ ବିଦ୍ୟାଳୟ ମଧ୍ୟ ପ୍ରତିଷ୍ଠିତ ହୋଇଛି। ବିଗତ ୨୫ ବର୍ଷ ଧରି ବିଦ୍ୟାଳୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରୁ ମିଳିଥିବା ଅଭିଜ୍ଞତାକୁ ସେ ଓଡ଼ିଶା ଦୌଡ଼କୁଦ ସଂଘ କାର୍ଯ୍ୟରେ ବିନିଯୋଗ କରି ସଫଳ ହେବାର ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର