ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ କପିଳ ଦେବ ନିଜ ସୁଇଂରେ ଅନେକ ଦୁର୍ଦ୍ଧର୍ଷ ବ୍ୟାଟ୍ସମ୍ୟାନଙ୍କ ମନରେ ଭୟ ସଞ୍ଚାର କରି ଦେଉଥିଲେ। ନିଜ ସମୟରେ ସେ ମଧ୍ୟ ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଭାବେ ପରିଚିତ ଥିଲେ। ଏଣୁ ପ୍ରତିପକ୍ଷ ବୋଲରମାନେ ତାଙ୍କୁ ଡରୁଥିଲେ। ନିଜେ କପିଳ କିନ୍ତୁ ଆଉ ଜଣେ ପୂର୍ବତନ ଭାରତୀୟ ଅଧିନାୟକ ଏସ୍ ଭେଙ୍କଟରାଘବନଙ୍କୁ ବହୁତ ଡରୁଥିଲେ। ଏପରିକି ଭେଙ୍କଟରାଘବନଙ୍କୁ ଦେଖିବା କ୍ଷଣି, କପିଳ ଲୁଚି ଯାଉଥିଲେ। ୧୯୭୮ରେ ପ୍ରଥମ ଥର ପାଇଁ କପିଳ ଯେତେବେଳେ ଭାରତୀୟ ଦଳକୁ ଆସିଥିଲେ ସେତେବେଳେ ବିସନ ସିଂହ ବେଦୀ ଅଧିନାୟକ ଥିଲେ। ସୁନିଲ ଗାଭାସ୍କରଙ୍କ ଅଧୀନରେ ମଧ୍ୟ କପିଳ ବହୁ ମ୍ୟାଚ୍ ଖେଳିଥିଲେ। ହେଲେ ଭେଙ୍କଟରାଘବନଙ୍କ ନେତୃତ୍ବରେ ଖେଳିଲା ବେଳେ ତାଙ୍କୁ ସବୁଠାରୁ ଅଧିକ ଭୟ ଲାଗୁଥିଲା ବୋଲି କପିଳ ଏକ ସାକ୍ଷାତକାର ଅବସରରେ କହିଛନ୍ତି।

Advertisment

ଭେଙ୍କଟରାଘବନଙ୍କ ନେତୃତ୍ବରେ କପିଳ ଚାରିଟି ଟେଷ୍ଟ୍ ଓ ତିନିଟି ଦିନିକିଆ ଖେଳିଥିଲେ। ହେଲେ କେଜାଣି କାହିଁକି ଭେଙ୍କଟରାଘବନ ଯେତେବେଳେ ବି କପିଳଙ୍କ ମୁହଁ ଦେଖୁଥିଲେ ହଠାତ୍ ରାଗି ଯାଉଥିଲେ। ଏହି ବିଷୟ ବର୍ଣ୍ଣନା କରିବାକୁ ଯାଇ କପିଳ କହିଛନ୍ତି ଯେ ଇଂଲଣ୍ଡରେ ସାଂଧ୍ୟ ବିରତିକୁ ଚା’ ପାନ ବିରତି କୁହାଯାଉଥିଲା। କେବଳ ଚା’ ପାନ ବିରତି କାହିଁକି କୁହାଯିବ ବୋଲି କହି ଭେଙ୍କଟରାଘବନ ସବୁବେଳେ କଳି କରୁଥିଲେ। ଏହା ଚା’ ଓ କଫି ବିରତି ହେବା କଥା ବୋଲି ସେ ଦାବି କରୁଥିଲେ। ତାଙ୍କ ବ୍ୟକ୍ତିତ୍ବ ଏଭଳି ହିଁ ଥିଲା। ମୁଁ ତାଙ୍କୁ ଭାରି ଡରୁଥିଲି। ପ୍ରଥମତଃ ସେ ଇଂଲିସରେ କଥା ହେଉଥିଲେ, ଦ୍ବିତୀୟରେ ଆମେ ସମସ୍ତେ ତାଙ୍କ ରାଗ କଥା ଜାଣିଥିଲୁ। ଏପରିକି ଅମ୍ପାୟାର ଥିଲା ବେଳେ ସେ ଏଭଳି ଭାବେ ନଟ୍‌ଆଉଟ୍ ସଙ୍କେତ ଦିଅନ୍ତି, ଯେଭଳି ବୋଲରଙ୍କୁ ଗାଳି କରୁଛନ୍ତି। ୧୯୭୯ରେ ମୁଁ ଯେତେବେଳେ ଇଂଲଣ୍ଡ ଯାଇଥିଲି ସେ ଅଧିନାୟକ ଥିଲେ। ଏଣୁ ମୁଁ ଆଗରୁ ଏମିତି ଏକ ସ୍ଥାନ ଖୋଜି ନେଉଥିଲି, ଯୋଉଠି ଭେଙ୍କଟରାଘବନ ‌ମୋତେ ଦେଖିପାରିବେନି। ଦଳରେ ବେଦୀ, ପ୍ରସନ୍ନା ଓ ଚନ୍ଦ୍ରଶେଖର ଥିଲେ। ଏଣୁ ସେ ବିଶେଷ କିଛି କହିପାରୁନଥିଲେ। ହେଲେ ସେ ଯେତେବେଳେ ବି ମୋତେ ଦେଖୁଥିଲେ ରାଗିକି ନାଲି ପଡ଼ି ଯାଉଥିଲେ। ମୁଁ ତାଙ୍କୁ ଡରି ଗୋଟିଏ କୋଣରେ ମଧ୍ୟାହ୍ନ ଭୋଜନ କରୁଥିଲି। କାରଣ ମୁଁ ବହୁତ ଖାଉଥିଲି ଏବଂ ସେ ଭାବୁଥିଲେ ଯେ ମୁଁ କେବଳ ସବୁବେଳେ ଖାଇବାରେ ମନୋନିବେଶ କରୁଛି।

ପୂର୍ବତନ ଭାରତୀୟ କ୍ରିକେଟର ଡବ୍ଲ୍ୟୁଭି ରମଣଙ୍କୁ ସାକ୍ଷାତକାର ଦେଲା ବେଳେ କପିଳ ମଧ୍ୟ ଭେଙ୍କଟରାଘବନଙ୍କୁ ନେଇ ଆଉ ଏକ ରୋଚକ ଘଟଣା ଉପରୁ ପରଦା ଉଠାଇଥିଲେ। ୧୯୮୩ ମସିହାରେ ବାର୍ବାଡସଠାରେ ଟେଷ୍ଟ୍ ମ୍ୟାଚ୍ ଖେଳୁଥିଲା ବେଳେ ଏହି ଘଟଣା ଘଟିଥିଲା। ସେତେବେଳେ କପିଳ ଅଧିନାୟକ ଥିଲା ବେଳେ ଭେଙ୍କଟରାଘବନ୍ ଭାରତୀୟ ଦଳର ସଦସ୍ୟ ଥିଲେ। ଏହା ସତ୍ତ୍ବେ ବୋଲିଂ ପରିବର୍ତ୍ତନ ନେଇ ସେ ଏମିତି ପଚରା ଉଚରା କରିଥିଲେ ଯେ ଅଧିନାୟକ ଥାଇ ମଧ୍ୟ କପିଳ କେବଳ ତାଙ୍କୁ ଆବାକାବା ହୋଇ ଅନାଇ ରହିଥିଲେ। ‘‘ୱିକେଟ୍‌ରେ ବଲ୍ ବାଉନ୍ସ କରୁଥିଲା। ଏଣୁ ଦ୍ରୁତ ବୋଲର ଅଧିକ ବୋଲିଂ କରୁଥିଲେ। ପ୍ରଥମ ବୋଲିଂ ପରିବର୍ତ୍ତନରେ ମୁଁ ରବି ଶାସ୍ତ୍ରୀଙ୍କୁ ବୋଲିଂ କରିବାକୁ କହିଥିଲି। ଭେଙ୍କଟରାଘବନ୍ ସ୍ଲିପ୍‌ରୁ ମୋ ଆଡ଼କୁ ମାଡ଼ି ଆସି କହିଥିଲେ ଯେ କପିଳ, ମୁଁ କହିଲି ହଁ ଭେଙ୍କି। ସେତେବେଳକୁ ମୁଁ ତାଙ୍କୁ ଭେଙ୍କି ଡାକୁଥିଲି। ଏହା ପୂର୍ବରୁ ସାର୍ ସମ୍ବୋଧନ କରୁଥିଲି। ସେ ପୁଣି କହିଥିଲେ ମୁଁ ବୋଲିଂ କରିବିନି ବୋଲି ତୁମକୁ କହିଛି କି? ମୁଁ କିନ୍ତୁ ବୁଝି ପାରୁନଥିଲି ଅଧିନାୟକ କିଏ, ସେ ନା ମୁଁ। ତା’ ପରେ ମୁଁ ତାଙ୍କୁ କହିଥିଲି ଭେଙ୍କି ତୁମ ପାଳି ମଧ୍ୟ ଆସିବ। ତାଙ୍କ ସ୍ବଭାବ ଏତେ ଭଲ ଥିଲା ଯେ ଅଧିନାୟକ ହୋଇ ମଧ୍ୟ ସେ ମୋତେ କେବେ କେବେ ଗାଳି କରୁଥିଲେ’’ ବୋଲି କପିଳ କହିଥିଲେ। ସୂଚନାଯୋଗ୍ୟ ଯେ ୧୯୮୩ ମସିହାରେ କ୍ରିକେଟ୍‌ରୁ ଅବସର ନେବା ବେଳକୁ ଭେଙ୍କଟରାଘବନ ୫୭ ଟେଷ୍ଟ୍ ଏବଂ ୧୫ ଏକଦିବସୀୟ ମ୍ୟାଚ୍‌ରେ ଭାରତର ପ୍ରତିନିଧିତ୍ବ କରିସାରିଥିଲେ। ସେଥିମଧ୍ୟରେ ସେ ଯଥାକ୍ରମେ ୧୫୬ ରନ୍‌ ଓ ୫ ୱିକେଟ୍ ଅକ୍ତିଆର କରିଥିଲେ। ଅବସର ପରେ ‌ଅମ୍ପାୟାରିଂକୁ ପେସା କରି ସେ ମଧ୍ୟ ଆଇସିସି ଏଲିଟ୍ ପ୍ୟାନେଲରେ ସ୍ଥାନ ପାଇଥିଲେ।