ଶ୍ରୀଶାନ୍ତଙ୍କୁ ଶକ୍ତ ଝଟ୍‌କା

ଆଜୀବନ ବାସନ୍ଦାଦେଶ ପୁନଃ ଅବସ୍ଥାପିତ

କୋଚି: ମ୍ୟାକ୍ସ ଫିକ୍ସିଂରେ ଜଡ଼ିତ ହୋଇ ବିସିସିଆଇ ଦ୍ୱାରା ଆଜୀବନ ବାସନ୍ଦ ହୋଇଥିବା ପୂର୍ବତନ ଅନ୍ତର୍ଜାତୀୟ ଦ୍ରୁତ ବୋଲର ଶାନ୍ତାକୁମାରନ୍‌ ଶ୍ରୀଶାନ୍ତଙ୍କୁ ମଙ୍ଗଳବାର ଶକ୍ତ ଝଟ୍‌କା ଲାଗିଛି। କେରଳ ଉଚ୍ଚ ନ୍ୟାୟାଳୟ ଆଜି ତାଙ୍କ ବାସନ୍ଦାଦେଶକୁ ପୁନଃ ଅବସ୍ଥାପିତ କରିଛନ୍ତି। ବିସିସିଆଇର ବାସନ୍ଦାଦେଶ ବିରୋଧରେ ଶ୍ରୀଶାନ୍ତ କିଛି ମାସ ତଳେ କେରଳ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ନ୍ୟାୟାଳୟ ଗତ ଅଗଷ୍ଟ ମାସରେ ତାଙ୍କ ଉପରୁ ବାସନ୍ଦାଦେଶ ଉଠାଇ ଦେଇଥିଲେ। ହେଲେ ବିସିସିଆଇ ଏଥିନେଇ ପୁନଃ ଆବେଦନ କରିଥିଲା।

ଏହାର ବିଚାର କରି ମୁଖ୍ୟ ବିଚାରପତି ନବନୀତି ପ୍ରସାଦ ସିଂହଙ୍କ ବିଭାଜିତ ଖଣ୍ଡପୀଠ ବିସିସିଆଇ ଦ୍ୱାରା ଜାରି କରାଯାଇଥିବା ଅଜୀବନ ବାସନ୍ଦାଦେଶର ଆଇନଗତ ସମୀକ୍ଷା କରାଯାଇ ପାରିବ ନାହିଁ ବୋଲି ରାୟ ଦେଇଥିଲେ। ତା’ ସହ ଶ୍ରୀଶାନ୍ତଙ୍କ ଆଜୀବନ ବାସନ୍ଦାଦେଶକୁ ପୁନଃ ଅବସ୍ଥାପିତ କରି ଦେଇଥିଲେ। ସେହିଭଳି ବିସିସିଆଇ ଆୟୋଜନ କରୁଥିବା କୌଣସି ପ୍ରକାର କ୍ରିକେଟ୍‌ରେ ଶ୍ରୀଶାନ୍ତ ଅଂଶ ଗ୍ରହଣ କରି ପାରିବେ ନାହିଁ ବୋଲି ସ୍ପଷ୍ଟ କରି ଦେଇଥିଲେ। ଉଚ୍ଚ ନ୍ୟାୟାଳୟଙ୍କ ଏହି ନିଷ୍ପତ୍ତି ପରେ ଶ୍ରୀଶାନ୍ତ ଭାରତୀୟ କ୍ରିକେଟ୍‌କୁ ନିକଟ ଭବିଷ୍ୟତରେ ଫେରିବାର ଆଶା ମଉଳି ଯାଇଛି। ତେବେ ତାଙ୍କ ପାଖରେ ସର୍ବୋଚ୍ଚ ନ୍ୟାୟାଳୟକୁ ଯିବାର ବିକଳ୍ପ ଖୋଲା ରହିଛି।

ସମ୍ବନ୍ଧିତ ଖବର