ଶ୍ରୀୟଙ୍କାଙ୍କ ଭବିଷ୍ୟତ ଉଜ୍ୱଳ: ଅଞ୍ଜଳି

ବେଙ୍ଗାଲୁରୁ(ସୁରେଶ ସ୍ୱାଇଁ): ରାଜ୍ୟ ବଂଧୁକଚାଳନାର ବିନ୍ଧାଣୀ ପାଲଟିଥିବା ଓଡ଼ିଆ ଝିଅ ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ ନେଇ ଆମେ ଢେର ଆଶାବାଦୀ। ତାଙ୍କ ଭବିଷ୍ୟତ ଉଜ୍ୱଳ। ସେ ଏବେ ନିଜ ଇଭେଣ୍ଟ୍‌ରେ ୩ ନମ୍ବର ଖେଳାଳି ଅଛନ୍ତି। ଜାତୀୟ ଅନ୍ତର୍ଜାତୀୟସ୍ତରରେ ସଫଳତା ପାଇବାରେ ଲାଗିଛନ୍ତି। ନିଶ୍ଚିତ ଦିନେ ସେ ଅଲିମ୍ପିକ୍ସ ପହଞ୍ଚିବେ ବୋଲି କହିଛନ୍ତି ବିଗତ ଦିନର ସଫଳ ବଂଧୁକଚାଳିକା ଅଞ୍ଜଳି ଭଗବତ ବେଦପାଠକ। ବାଙ୍ଗାଲୋର୍‌ ଏସ୍‌ଜେଏଫ୍‌ଆଇ ସମ୍ମିଳନୀରେ ଅନ୍ୟତମ ଆକର୍ଷଣ ଥିବା ଅଞ୍ଜଳି କହିଛନ୍ତି, ବଂଧୁକଚାଳନା ଅନିଶ୍ଚିତତାର ଖେଳ। ଏଥିରେ ପୂର୍ବାନୁମାନ କରିବା କାଠିକର ପାଠ। ତଥାପି ଯେଉଁଭଳି ଭାବରେ ଏବେ ୧୫, ୧୬, ୧୮ ବର୍ଷର ଖେଳାଳି ଏସୀୟ ଏବଂ ବିଶ୍ୱ ପ୍ରତିଯୋଗିତାରେ ପଦକ ଜିତୁଛନ୍ତି ନିଶ୍ଚିତ ଦେଶରେ ବଂଧୁକଚାଳନାର ଅଧିକ ଉଜ୍ୱଳ ଭବିଷ୍ୟତ ଦେଖି ହେଉଛି। ଆମ ଖେଳାଳିଙ୍କ ସ୍ତର ବି ବିଶ୍ୱସ୍ତରୀୟ ହୋଇଗଲାଣି। ଏହା ମଧ୍ୟ ସଦ୍ୟ ସମାପ୍ତ ଜାକର୍ତା ଏସିଆଡ୍‌ରେ ପ୍ରତିଫଳିିତ ହୋଇଛି। ବ୍ୟକ୍ତିଗତ ଏବଂ ଦଳଗତ ଖେଳରେ ଭଲ ପ୍ରଦର୍ଶନ ନଜରକୁ ଆସୁଛି। ମୋତେ ବ୍ୟକ୍ତିଗତ ଭାବେ ବିଶେଷ ଆନନ୍ଦ ଦେଇଛି ମୋ ପ୍ରିୟ ଇଭେଣ୍ଟ୍‌ ୧୦ ମିଟର୍‌ ଏୟାର ରାଇଫଲ୍‌ରେ ଭାରତ ଇତିହାସ ରଚିଥିବାରୁ। ୧ ସ୍ୱର୍ଣ୍ଣ ଓ ୨ କାଂସ୍ୟ ପଦକ ଆଣିଛି ଭାରତ ବୋଲି କହିଥିଲେ ୪୮ ବର୍ଷୀୟା ଅଞ୍ଜଳି। ସୂଚନାଯୋଗ୍ୟ, ୨୦୦୨ରେ ଅଞ୍ଜଳି ବିଶ୍ୱର ଏକ ନମ୍ବର ଖେଳାଳି ବନିଥିଲେ ୧୦ ମିଟର୍‌ ଏୟାର ରାଇଫଲରେ। ୨୦୦୩ ମିଲାନ୍‌ ବିଶ୍ୱକପ୍‌ରେ ୩୯୯/୪୦୦ ସ୍କୋର୍‌ ସହିତ ଫାଇନାଲ୍‌ରେ ପହଞ୍ଚି ରଚିଥିଲେ ଇତିହାସ। ୨୦୦୦ ମସିହାରେ ଅର୍ଜୁନ ପୁରସ୍କାର ଏବଂ ୨୦୦୩ରେ ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର ବିଜୟିନୀ ହୋଇଥିଲେ।

ସମ୍ବନ୍ଧିତ ଖବର