ସାଗୁଆ କପ୍‌ ଫାଇନାଲ୍‌ରେ ଷ୍ଟାର-ଏମ୍‌ବିଏସ୍‌

ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ସାଗୁଆଠାରେ ଚାଲିଥିବା ମା’ ଉପୁଳାଇ ସାଗୁଆ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ରବିବାର ଫାଇନାଲ୍‌ରେ ଏମ୍‌ବିଏସ୍‌ ଏବଂ ଷ୍ଟାର ଏକାଦଶ ଭେଟାଭେଟି ହେବେ। ଗୁରୁବାର ସେମିଫାଇନାଲ୍‌ରେ ଏମ୍‌ବିଏସ୍‌ ଏକାଦଶ ୬୭ ରନ୍‌ରେ ଜେଏମ୍‌ଡିକୁ ଏବଂ ଷ୍ଟାର ଏକାଦଶ ୧୬୦ ରନ୍‌ରେ ଗବର ଏକାଦଶକୁ ହରାଇଛି। ଏମ୍‌ବିଏସ୍‌ ସିଲନ ସ୍ବାଇଁଙ୍କ ୫୫ ଓ ଲିପୁ ମଣ୍ଡଳଙ୍କ ୪୧ ରନ୍‌ ସହାୟତାରେ ନିର୍ଧାରିତ ୧୬ ଓଭରରେ ୧୮୧/୬ କରିଥିଲା। ମଦନ ପଲେଇ ଓ ଦେବ ପ୍ରସନ୍ନ ଜେନା ୨ ଲେଖାଏଁ ୱିକେଟ୍‌ ପାଇଥିଲେ। ଜବାବରେ ଜେଏମ୍‌ଡି ୮ ୱିକେଟ୍‌ ବିନିମୟରେ ୧୧୪ ରନ୍‌ କରିଥିଲା। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ଲିପୁ ମଣ୍ଡଳ (୪୧ ରନ୍‌, ୨ ୱିକେଟ୍‌) ମ୍ୟାଚ୍‌ର ଶ୍ରେ‌ଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଦ୍ବିତୀୟ ସେମିଫାଇନାଲ୍‌ରେ ଷ୍ଟାର ଏକାଦଶ ୨୩୬/୬ କରିଥିଲା। ମନୁ ରାଉତ (୮୧) ଓ ରାଜେଶ ଦାଶ (୫୦) ଅର୍ଧଶତକ ହାସଲ କରିଥିଲେ। ଜବାବରେ ଗବର ଏକାଦଶ ୧୦ ଓଭରରେ ୭୬ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ମନୁ ରାଉତ ଓ ରାଜେଶ ଦାଶ ଯୁଗ୍ମ ଭାବେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଅତିଥି ଭାବେ ଅରୁଣ କୁମାର ମହାନ୍ତି, ରଂଜନ କୁମାର ନାୟକ, ଚକ୍ରଧର ନାୟକ, ସିଦ୍ଧେଶ୍ବର ମହାନ୍ତି, ନବକିଶୋର ନାୟକ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ। ଦେବାଶିଷ ନାୟକ, ସଂଜୟ ପଣ୍ଡା, ଲୋକନାଥ ମଲ୍ଲିକ ଏବଂ ବାସୁଦେବ ଦାସ ମ୍ୟାଚ୍‌ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର