ଜନତା କର୍ଫ୍ୟୁକୁ ତାରକା ଖେଳାଳିଙ୍କ ବିପୁଳ ସମର୍ଥନ, ତାଳିମାରି କରୋନା ବିରୋଧରେ ଲଢ଼ୁଥିବା ଯୋଦ୍ଧାଙ୍କୁ ଜଣାଇଲେ ସମ୍ମାନ

ନୂଆଦିଲ୍ଲୀ: କରୋନା ବିପକ୍ଷରେ ସମଗ୍ର ଭାରତବର୍ଷ ଏକାଠି ହୋଇଛି। ସଂଯମତାର ଅଗ୍ନିପରୀକ୍ଷାରେ ସଫଳ ହୋଇ ରବିବାର ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଜନତା କର୍ଫ୍ୟୁ ଡାକରାକୁ ଭାରତବାସୀ ବିପୁଳ ସମର୍ଥନ ଦେଇଛନ୍ତି। ଘଣ୍ଟ, ଘଣ୍ଟା, ଶଙ୍ଖ ଓ କରତାଳି ମାରି କରୋନା ବିରୋଧରେ ଲଢ଼ୁଥିବା ସାହାସୀ ସ୍ବାସ୍ଥ୍ୟକର୍ମୀ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ପ୍ରଧାନ କରୁଥିବା ସରକାରୀ ଓ ବେସରକାରୀ କର୍ମଚାରୀଙ୍କୁ ସମ୍ମାନ ଜଣାଇଛନ୍ତି। ହୃଦୟର ପ୍ରତିଟି କୋଣରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ମହତ ଅଭିଯାନରେ ଦେଶର ପ୍ରିୟ ତଥା ତାରକା ଖେଳାଳିମାନେ ମଧ୍ୟ ସାମିଲ ହୋଇଛନ୍ତି। ପୂର୍ବତନ ଖେଳ ମନ୍ତ୍ରୀ ତଥା ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା କର୍ନେଲ ରାଜ୍ୟବର୍ଦ୍ଧନ ସିଂହ ରାଠାରଙ୍କଠାରୁ ଆରମ୍ଭ କରି କ୍ରିକେଟର ଶ୍ରେୟସ୍ ଆୟର, ମହିଳା କୁସ୍ତିିଯୋଦ୍ଧା ବିନେଶ ଫୋଗଟ ପ୍ରମୁଖ ତାଳି ମାରି ଜନତା କର୍ଫ୍ୟୁକୁ ସମର୍ଥନ କରୁଥିବାର ଭିଡିଓ ନିଜ ନିଜ ଟ୍ବିଟର ପୃଷ୍ଠାରେ ପ୍ରକାଶ କରିଛନ୍ତି। ରାଠୋର ‌ ଲେଖିଛନ୍ତି ଯେ ଆମର ମାର୍ଗଦର୍ଶନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆପଣଙ୍କୁ ଅଶେଷ ଧନ୍ୟବାଦ, ଆମକୁ ସୁରକ୍ଷିତ ରଖିଥିବା ଡାକ୍ତର, ନର୍ସ ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କୁ ଅଶେଷ ଧନ୍ୟବାଦ। କରୋନା ବିପକ୍ଷରେ ଏକାଠି ହୋଇଥିବା ଭାରତବାସୀ ମଧ୍ୟ ଧନ୍ୟବାଦର ପାତ୍ର। ଦିଲ୍ଲୀ କ୍ୟାପିଟାଲ୍ ଆଇପିଏଲ୍ ଦଳର ସମସ୍ତ ଖେଳାଳି ମଧ୍ୟ ଭିଡିଓ ଜାରି କରି କଠିନ ସମୟରେ କରୋନା ବିରୋଧରେ ଲଢ଼ୁଥିବା ଦେଶର ହଜାର ହଜାର ସ୍ବାସ୍ଥ୍ୟକର୍ମୀ ଓ ଯୋଦ୍ଧାଙ୍କୁ ସାଲ୍ୟୁଟ କରିଛନ୍ତି। ‌ ଦୌଡ଼ରାଣୀ ପିଟି ଉଷା, ଟର୍ବାନେଟର ହରଭଜନ ସିଂହ, ହକି ଇଣ୍ଡିଆ, ମହିଳା କୁସ୍ତିିଯୋଦ୍ଧା ବିନେଶ ଫୋଗଟ, ବଜରଙ୍ଗ ପୁନିଆ, ସର୍ବଭାରତୀୟ ଦୌଡ଼କୁଦ ମହାସଂଘ, ଭାରତୀୟ ମହିଳା ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଜୋଏଡ୍ ମାରିନ୍, ବନ୍ଧୁକ ଚାଳନା ତାରକା ହୀନା ସିଧୁ, ଟେବୁଲ ଟେନିସ୍ ଖେଳାଳି ମନିକା ବାତ୍ରା ପ୍ରମୁଖ ତାଳିମାରି ଏହି ମହତ ଅଭିଯାନକୁ ସମର୍ଥନ କରୁଥିବାର ଭିଡିଓ ଜାରି କରିଛନ୍ତି।

ସମ୍ବନ୍ଧିତ ଖବର