ରାଉରକେଲା: ଚଳିତବର୍ଷ ହକି ଖେଳାଳିଙ୍କ ଏକ ସ୍ମରଣୀୟ ବର୍ଷ ପାଲଟିଛି। ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ହର୍ମନପ୍ରୀତ ସିଂହଙ୍କୁ ‌‘ଖେଳରତ୍ନ’ ପୁରସ୍କାର ଓ ଅନ୍ୟ ୪ ଜଣ ପୁରୁଷ ଖେଳାଳି ଅଭିଶେଖ, ସୁଖଜିତ ସିଂହ, ଜର୍ମନପ୍ରୀତ ସିଂହ ଓ ସଞ୍ଜୟଙ୍କୁ ‘ଅର୍ଜୁନ ପୁରସ୍କାର’ ପ୍ରଦାନ କରାଯିବ। ସେହିଭଳି ଭାରତୀୟ ମହିଳା ପୁରୁଷ ହକି ଦଳର ଅଧିନାୟିକା ସାଲିମା ଟେଟେ ମଧ୍ୟ ଅର୍ଜୁନ ପୁରସ୍କାର ପାଇବେ। ଦିନକପୂର୍ବେ ଭାରତ ସରକାରଙ୍କ ଯୁବ ବ୍ୟାପର ଓ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଆନୁଷ୍ଠାନିକଭାବେ ଘୋଷଣା କରାଯାଇଛି। ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇବା ପଛରେ ସଂଘଷର୍ମୟ କାହାଣୀ, ଲକ୍ଷ୍ୟ ହାସଲ ପାଇଁ ନିଷ୍ଠାପର ପରିଶ୍ରମ, ପରିବାରର ଆକୁଣ୍ଠ ସମର୍ଥନ ଭରିରହିଛି। ଏନେଇ ଏହି ୪ ଖେଳାଳି ‘ସମ୍ବାଦ’କୁ ନିଜର ପ୍ରତିକ୍ରିୟା ଦେଇଛନ୍ତି।

Advertisment

‘ଏହି ଖବର ପାଇବା ପରେ ବହୁତ ଖୁସି ଓ ଗର୍ବର ବିଷୟ ମଧ୍ୟ। ପରିବାର ସଦସ୍ୟ ମଧ୍ୟ ଖୁବ୍‌ ଆନନ୍ଦିତ। ଭାରତୀୟ ଦଳର ପ୍ରତିନିଧିତ୍ବ କରିବାର ମାତ୍ର ୨ ବର୍ଷ ଭିତରେ ଏହି ସମ୍ମାନ ମିଳିଛି। ତେବେ ଏହା ପଛରେ ଗତ ୧୫ ବର୍ଷର ନିଷ୍ଠାପର ପରିଶ୍ରମ ରହିଛି। କେବଳ ମୋ’ର ପରିଶ୍ରମ ନୁହେଁ, ବରଂ ଏକାଧିକ ବ୍ୟକ୍ତିଙ୍କ ପରିଶ୍ରମ ପାଇଁ ଏହି ସମ୍ମାନ ପାଇଛି। ନିଜ ଉପରେ ଭରସା ରଖି, ଦୃଢ଼ମନସ୍କ ହୋଇ, କଠିନ ପରିଶ୍ରମ ଜାରିରଖି ଲକ୍ଷ୍ୟପଥରେ ଆଗେଇ ଚାଲିଲେ ସଫଳତା ମିଳିବା ସୁନିଶ୍ଚିତ।
ଅଭିଶେକ

ପ୍ରକୃତରେ କେତେ ଖୁସି ଅଛି, ତାକୁ ବର୍ଣ୍ଣନା କରିବାକୁ ମୋ’ ପାଖରେ ଶବ୍ଦ ନାହିଁ। ଅଲିମ୍ପିକ ପରେ ଅର୍ଜୁନ ପୁରସ୍କାର ପାଇବାନେଇ ଆଶାବାଦୀ ଥିଲି, ଏହି ଆଶା ପୂରଣ ହୋଇଥିବାରୁ ନିଜକୁ ଭାଗଶ୍ୟାଳୀ ମନେକରୁଛି। କ୍ରୀଡ଼ା ଜୀବନରେ ମୁଁ, ମୋ’ ପରିବାର ବହୁତ ସଂଘର୍ଷ କରିଛି। ତେବେ ଏହି ସମ୍ମାନ କେବଳ ମୋ’ର ନୁହେଁ, ସମଗ୍ର ଟିମ୍‌ର। ଆଗାମୀ ଦିନରେ କଡ଼ା ପରିଶ୍ରମ ଜାରି ରଖି ଅଧିକରୁ ଅଧିକ ସମ୍ମାନ ହାସଲ କରିବାକୁ ପ୍ରୟାସ କରିବି।

-ସୁଖଜିତ ସିଂହ

ସବୁବେଳେ ଆଶା କରୁଥିଲି ଯେ ଦେଶ ପକ୍ଷରୁ ସମ୍ମାନ ମିଳୁ। ଏହି ଆଶା ଏବେ ପୂରଣ ହୋଇଛି। ଏହି ସମ୍ମାନ ନିଶ୍ଚିତଭାବରେ ଆଗାମୀ ଦିନରେ ଉତ୍କର୍ଷ ପ୍ରଦର୍ଶନ ପାଇଁ ପ୍ରୋତ୍ସାହିତ କରିବ। ଏହି ସମ୍ମାନର ହକ୍‌ଦାର କେବଳ ମୁଁ ନୁହେଁ, ବରଂ ଏହା ପଛରେ ବହୁତ ଲୋକ ଅଛନ୍ତି। ଯେଉଁମାନେ ମୋ’ ଜୀବନର କୌଣସି ନା କୌଣସି ସମୟରେ ପାଖରେ ଛିଡ଼ାହୋଇଛନ୍ତି, ଏହି ସମ୍ମାନ ସେ ସମସ୍ତଙ୍କର। ନିଶାସେବନଠାରୁ ଦୂରେଇ ରହି ଶୃଙ୍ଖଳିତଭାବେ ଅଧ୍ୟବସାୟ ଜାରି ରଖିଲେ ସଫଳତା ମିଳିଥାଏ।
-ସଞ୍ଜୟ

ମର୍ଯ୍ୟାଦାଜନକ ‘ଅର୍ଜୁନ ପୁରସ୍କାର’ ପାଇଁ ବହୁତ ଆନନ୍ଦିତ। ଏହା ପଛରେ ପରିବାର ସଦସ୍ୟଙ୍କ ନିସ୍ବାର୍ଥପର ସମର୍ଥନ ଓ ପ୍ରୋତ୍ସାହନ ରହିଛି। ସାଥୀ ଖେଳାଳି, କୋଚ୍‌ ତଥା ସମସ୍ତ ଭାରତୀୟଙ୍କ ପାଖରେ ମୁଁ ଋଣୀ। ଆଗାମୀ ଦିନରେ ଆହୁରି ଉନ୍ନତ ପ୍ରଦର୍ଶନ କରି ଦେଶ ପାଇଁ ଗର୍ବ ଓ ଗୌରବ ଆଣିବି। ଦେଶମାତୃକା ପାଇଁ ପଡ଼ିଆରେ ଉତ୍କର୍ଷ ପ୍ରଦର୍ଶନ ପାଇଁ ନିରନ୍ତର ପ୍ରୟାସ ଜାରିରଖିବି।
-ଜର୍ମନପ୍ରୀତ ସିଂହ