ନୂଆଦିଲ୍ଲୀ: ଶେଷ ୫ ବଲ୍ରେ ୫ ଛକା ମାରି କେକେଆର୍କୁ ଅବିଶ୍ବସନୀୟ ବିଜୟ ଭେଟି ଦେଇଥିବା ଯୁବ ବ୍ୟାଟର ରିଙ୍କୁ ସିଂହ ଏବେ ଚର୍ଚ୍ଚାରେ। ରାତାରାତି ଷ୍ଟାର ପାଲଟିଯାଇଥିବା ଏହି ବ୍ୟାଟର ଜଣଙ୍କର କ୍ରିକେଟ୍ ଯାତ୍ରା କିନ୍ତୁ ଅତ୍ୟନ୍ତ କଷ୍ଟଦାୟକ ଥିଲା। ଜଣେ ଚାଷୀ ପରିବାରରୁ ଆସିଥିବା ରିଙ୍କୁ ପ୍ରଥମରୁ କ୍ରିକେଟ୍ରେ ତିଷ୍ଠିବା ପାଇଁ ଅନେକ ସଂଘର୍ଷ କରିଛନ୍ତି। ଏପରିକି ଟ୍ୟୁସନ୍ ସେଣ୍ଟରରେ ଝାଡ଼ୁ ମାରିବା କାମ କରିବାକୁ ପଡ଼ିଛି। ହେଲେ ଲକ୍ଷ୍ୟ ସ୍ଥିର ଥିବାରୁ ସେ ଆଜି ତାଙ୍କ ସ୍ବପ୍ନରେ ଜିଉଁଛନ୍ତି ଏବଂ ନିଜ ପରିବାରକୁ ଆରାମଦାୟକ ସ୍ଥାନରେ ପହଞ୍ଚାଇଛନ୍ତି।
ଉତ୍ତରପ୍ରଦେଶର ଆଲିଗଡ଼ରେ ବାପା ମା’ଙ୍କ ସହ ୫ ଭାଇଙ୍କୁ ନେଇ ରିଙ୍କୁଙ୍କ ପରିବାର। ତେଣୁ ପରିବାରର ବୋଝ ମୁଣ୍ଡେଇଥିବା ତାଙ୍କ ବାପା ରୋଜଗାର ପାଇଁ ଏଲ୍ପିଜି ସିଲିଣ୍ଡର ବୋହୁଥିଲେ। ବାପାଙ୍କୁ କାମରେ ସହଯୋଗ କରିବା ପାଇଁ ରିଙ୍କୁ ଓ ତାଙ୍କ ଭାଇ ବାଇକ୍ରେ ସିଲିଣ୍ଡର ନେଇ ବିଭିନ୍ନ ଘର ଓ ହୋଟେଲ୍ ମାନଙ୍କର ପହଞ୍ଚାଉଥିଲେ। ଘରଘର ବୁଲି ସିଲିଣ୍ଡର ପହଞ୍ଚାଇବା କାମରୁ ଯେତିକି ଟଙ୍କା ମିଳୁଥିଲା ସେଥିରେ ପରିବାର ଖର୍ଚ୍ଚର ଅଧା ବି ହୋଇପାରୁନଥିଲା। ତେଣୁ ପରିବାରର ସମସ୍ତଙ୍କୁ କିଛି ନା କିଛି କାମ କରିବାକୁ ପଡୁଥିଲା। ରାଜ୍ୟ ଦଳ ପାଇଁ ଖେଳିବା ପୂର୍ବରୁ ରିଙ୍କୁ ସ୍ଥାନୀୟ ଏକ ଟ୍ୟୁସନ୍ ସେଣ୍ଟରରେ ଝାଡ଼ୁ ମାରୁଥିଲେ। ପିଲାମାନେ ଟ୍ୟୁସନ୍ ଆସିବା ପୂର୍ବରୁ ରିଙ୍କୁ ଘର ଓଳାଇ ସାରିବା ପରେ ସେଠାରୁ ଚାଲିଯାଉଥିଲେ। ଆର୍ଥିକ ଅବସ୍ଥା ସେତେଟା ସ୍ବଚ୍ଛଳ ନଥିବାରୁ ତାଙ୍କର ଶିକ୍ଷାଗତ ଯୋଗ୍ୟତା ଅଧିକ ହୋଇପାରିନଥିଲା। ସେତେବେଳେ ପାଠପଢା ଅପେକ୍ଷା ଯଦି କ୍ରିକେଟ୍ ପାଇଁ କେହି ଚିନ୍ତା କରନ୍ତି, ତାହେଲେ ବାପାଙ୍କଠୁ ମାଡ଼ ଖାଇବାକୁ ପଡ଼ୁଥିଲା। ତେଣୁ ଅନ୍ତଃକଲୋନି କିମ୍ବା ଅନ୍ତଃକ୍ଲବ୍ ମ୍ୟାଚ୍ ପାଇଁ ଟଙ୍କାର ଆବଶ୍ୟକତା ଥିଲା। କାରଣ ବଲ୍ କିଣିବା ପାଇଁ ପାଖରେ ସେତିକି ଟଙ୍କା ସେମାନଙ୍କ ପାଖରେ ନଥିଲା। ବାପା ଟଙ୍କା ଦେଉନଥିବାରୁ ତାଙ୍କ ମା’ ସଉଦା ଦୋକାନିଠାରୁ ହଜାରେ ଟଙ୍କା ଧାର ସୂତ୍ରରେ ଆଣୁଥିଲେ ଓ ରିଙ୍କୁ ଖେଳିବା ପରେ ସେଥିରୁ ମିଳୁଥିବା ପୁରସ୍କାର ଅର୍ଥ ଦ୍ବାରା ଧାର ଟଙ୍କା ସୁଝାଯାଉଥିଲା। ଏକଦା ଡିପିଏସ୍ ଆଲିଗଡ଼ ଦ୍ବାରା ବିଦ୍ୟାଳୟସ୍ତରୀୟ ବିଶ୍ବକପ୍ ଆୟୋଜନ କରାଯାଇଥିଲା। ସେଥିରେ ରିଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏହି ସମୟରେ ରିଙ୍କୁଙ୍କ ବାପା ପ୍ରଥମ ଥର ପାଇଁ ତାଙ୍କ ଖେଳ ଦେଖିବାକୁ ଆସିଥିଲେ। ବାପାଙ୍କ ଉପସ୍ଥିତିରେ ରିଙ୍କୁଙ୍କୁ ଗୋଟିଏ ବାଇକ୍ ଉପହାର ମିଳିଥିଲା। ଏହାପରଠୁ ବାପା କେବେବି ତାଙ୍କୁ ମାଡ଼ ମାରିନଥିଲେ ବୋଲି ରିଙ୍କୁ କହିଛନ୍ତି।
ଉତ୍ତରପ୍ରଦେଶର ୧୬ ବର୍ଷରୁ କମ୍ ଦଳ ଚୟନ ବେଳେ ତାଙ୍କୁ ଦୁଇଥର ଫେରାଇ ଦିଆଯାଇଥିଲା। କିନ୍ତୁ ୨୦୧୨ ମସିହାରେ ସେ ରାଜ୍ୟ ଦଳରେ ସ୍ଥାନ ପାଇବା ସହ ବିଜୟ ମର୍ଚ୍ଚାଣ୍ଟ ଟ୍ରଫିରେ ୧୫୪ ରନ୍ ସ୍କୋର କରିଥିଲେ। କିଛି ବର୍ଷ ପରେ ସେ ୧୯ ବର୍ଷରୁ କମ୍ ଦଳରେ ସ୍ଥାନ ପାଇଥିଲା ବେଳେ ସେହିବର୍ଷ ଉତ୍ତରପ୍ରଦେଶ ଦିନିକିଆ ଦଳରେ ସ୍ଥାନ ପାଇଥିଲେ। ଏହାପରଠୁ ସେ ଆଉ ପଛକୁ ଚାହିଁନାହାନ୍ତି। ତାଙ୍କର ଏହି କ୍ରିକେଟ୍ ଯାତ୍ରାରେ ପିଲାଦିନର ପ୍ରଶିକ୍ଷକ ମସୁଦ ଅମିନି, ମହମ୍ମଦ ଜିସାନ, ଅର୍ଜୁନ ସିଂହ ଫକିରା, ନୀଲ ସିଂହ ଓ ସ୍ବପ୍ନିଲ୍ ଜୈନ ବହୁତ ସହାୟତା ପ୍ରଦାନ କରିଥିଲେ। ତେଣୁ ଏମାନଙ୍କ ନିକଟରେ ସେ ସବୁବେଳେ କୃତଜ୍ଞ ରହିବେ ବୋଲି କହିଛନ୍ତି। ଆଇପିଏଲ୍ ଯୋଗୁଁ ଗତ ତିନି ବର୍ଷ ତଳେ ରିଙ୍କୁ ତାଙ୍କ ପରିବାରକୁ ସହରରେ ଥିବା ନୂଆ ଆପାର୍ଟମେଣ୍ଟକୁ ସ୍ଥାନାନ୍ତର କରିଥିଲେ। ଏବେ ସବୁ ସମସ୍ୟା ସମାଧାନ ହୋଇଯାଇଥିବା ରିଙ୍କୁ କହିଛନ୍ତି।
ନୀତୀଶଙ୍କ ବ୍ୟାଟ୍ରେ ଛକା ବର୍ଷା
ଅହମଦାବାଦ: ଗୁଜରାଟ ଟାଇଟନ୍ସ ବିପକ୍ଷରେ ୫ ଲଗାତାର ଛକା ମାରିଥିବା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ବ୍ୟାଟର୍ ରିଙ୍କୁ ସିଂହ ଏବେ ଚାରିଆଡ଼େ ଚର୍ଚ୍ଚାରେ। ସୋସିଆଲ୍ ମିଡିଆରେ ତାଙ୍କ ପାଇଁ ପ୍ରଶଂସାର ସୁଅ ଛୁଟୁଛି। ହାରିଯାଇଥିବା ମ୍ୟାଚ୍କୁ ରିଙ୍କୁ ଟାଇଟନ୍ସ ମୁହଁରୁ ଛଡ଼ାଇ ଆଣିଥିଲେ। ତେବେ ଏହି ମ୍ୟାଚ୍ରେ ୫ ଛକା ମାରିଥିବା ଉକ୍ତ ବ୍ୟାଟ୍ଟି ତାଙ୍କର ନଥିଲା। ଦଳର ଅଧିନାୟକ ନୀତୀଶ ରାଣାଙ୍କଠୁ ବ୍ୟାଟ୍ ଆଣି ଖେଳିବା ସହ ଉକ୍ତ କୀର୍ତ୍ତିମାନ ରଚିଥିଲେ। ମ୍ୟାଚ୍ ଶେଷରେ ଦଳର ଟ୍ବିଟର ପୃଷ୍ଠାରେ ସୂଚନା ଦେବାକୁ ଯାଇ ନୀତୀଶ କହିଛନ୍ତି ଯେ, ରିଙ୍କୁ ଯେଉଁଥିରେ ଖେଳୁଥିଲେ ତାହା ତାଙ୍କ (ନୀତୀଶ) ବ୍ୟକ୍ତିଗତ ବ୍ୟାଟ୍ ଥିଲା। ଏହି ବ୍ୟାଟ୍ରେ ଚଳିତ ସଂସ୍କରଣର ଦୁଇଟି ମ୍ୟାଚ୍ ଖେଳିଥିଲା ବେଳେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ମଧ୍ୟ ଉକ୍ତ ବ୍ୟାଟ୍ ବ୍ୟବହାର ହୋଇଥିଲା। କିନ୍ତୁ ଆଜି ବ୍ୟାଟ୍ ପରିବର୍ତ୍ତନ କରି ଖେଳିବାକୁ ପଡ଼ିଥିଲା। ରିଙ୍କୁ ତାଙ୍କୁ ବ୍ୟାଟ୍ ମାଗିଥିଲେ। କିନ୍ତୁ ନୀତୀଶ ମନା କରିବାରୁ କେହି ଜଣେ ଡ୍ରେସିଂ ରୁମ୍ରୁ ଉକ୍ତ ବ୍ୟାଟ୍ ଆଣି ରିଙ୍କୁଙ୍କୁ ଧରାଇଥିଲେ। ବ୍ୟାଟ୍କୁ ଧରିବା ସହଜ ହେଉଥିଲା ବେଳେ ନିଜ ଓଜନ ଅନୁସାରେ ନୀତୀଶ ହାଲ୍କା ବ୍ୟାଟ୍ରେ ଖେଳୁଥିଲେ। ହେଲେ ସେହି ବ୍ୟାଟ୍ ରିଙ୍କୁଙ୍କୁ ଅଧିକ ସୁହାଇଥିଲା। ତେଣୁ ଏବେଠାରୁ ଉକ୍ତ ବ୍ୟାଟ୍ ରିଙ୍କୁଙ୍କର ବୋଲି ନୀତୀଶ କହିଥିଲେ। ରବିବାର ଖେଳାଯାଇଥିବା ମ୍ୟାଚ୍ର ଶେଷ ୫ ବଲ୍ରେ ଦଳକୁ ଜିତିବାକୁ ୨୮ ରନ୍ ଆବଶ୍ୟକ ହେଉଥିଲା ବେଳେ ରିଙ୍କୁ ୫ ଛକା ମାରି ଦଳକୁ ଅବିଶ୍ବସନୀୟ ବିଜୟ ଦେଇଥିଲେ। ମ୍ୟାଚ୍ରେ ରିଙ୍କୁ ୨୧ ବଲ୍ର ସମ୍ମୁଖୀନ ହୋଇ ୪୮* ରନ୍ କରିଥିଲେ।