ମାହି ମହାନ: ରନ୍ ଆ‌ଉଟ୍‌ରେ ଆରମ୍ଭ, ରନ୍ ଆଉଟ୍‌ରେ ଶେଷ

ଚେନ୍ନାଇ: ମାହିଙ୍କ କ୍ରିକେଟ୍‌ ଯୁଗର ଅନ୍ତ ଘଟିଲା। ତେର ମାସର କ୍ରିକେଟବିହୀନ ଯାତ୍ରା ପରେ ବହୁ ଚର୍ଚିତ ମହାନ କ୍ରିକେଟର୍‌ ମହେନ୍ଦ୍ର ସିଂହ ଧୋନିଙ୍କ ଅନ୍ତର୍ଜାତୀୟ ଖେଳ ଜୀବନ ଶେଷ ହୋଇଯାଇଛି। କ୍ରିକେଟ୍‌ ପ୍ରଶଂସକମାନେ ଆଗାମି କିଛି ବର୍ଷ ତାଙ୍କୁ ଓ ତାଙ୍କ ଖେଳକୁ କେବଳ ଘରୋଇ କ୍ରିକେଟ୍‌ ତଥା ଆଇପିଏଲ୍‌ରେ ଦେଖିପାରିବେ। ଶନିବାର ସଂଧ୍ୟାରେ ଦେଶ ସ୍ବାଧୀନତା ଦିବସର ମାହୋଲ ଭିତରେ ଥିବାବେଳେ ଦୁଇ ଦୁଇ ଥର ବିଶ୍ବକପ୍‌ ବିଜେତା କ୍ୟାପ୍‌ଟେନ୍‌ କୁଲ୍‌, ସଫଳତମ ଅଧିନାୟକ, ଶାନ୍ତ ସ୍ବଭାବ, ଦୃଢ଼ମନା, ପ୍ରଚଣ୍ଡ ଆତ୍ବବିଶ୍ବାସୀ ମହେନ୍ଦ୍ର ସିଂହ ଧୋନି ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ୍‌ ଜୀବନରେ ଶେଷ ରେଖା ଟାଣି ଦେଇଛନ୍ତି। ଆଇପିଏଲ୍‌ ପ୍ରସ୍ତୁତି ଲାଗି ଚେନ୍ନାଇ ପହଞ୍ଚିବା ଦିନ ଶନିବାର ସଂଧ୍ୟାରେ ନିଜ ଇନଷ୍ଟାଗ୍ରାମ ପୋଷ୍ଟ୍‌ ଜରିଆରେ ଏହି ସୂଚନା ଦେଇଥିଲେ। ଗୋଟିଏ ମାତ୍ର ବାକ୍ୟ ‘ଆପଣମାନଙ୍କ ସମ୍ପୂର୍ଣ୍ଣ ଭଲ ପାଇବା ଓ ସମର୍ଥନ ଲାଗି ଧନ୍ୟବାଦ, ୧୯୨୯ଠାରୁ (ଭାରତୀୟ ସମୟ ସଂଧ୍ୟା ୭ଟା ୨୯) ମୋତେ ଅବସରପ୍ରାପ୍ତ ଧରିନିଅନ୍ତୁ’ ଲେଖି ଧୋନି ନିଜର ଆନୁଷ୍ଠାନିକ ଅବସର ଘୋଷଣା କରିଥିଲେ। ଏହା ପରେ ସାଥୀ ଖେଳାଳି, ପ୍ରଶଂସକ, ପ୍ରଶାସକ, ରାଜନୀତିଜ୍ଞ, ଅଭିନେତାଙ୍କ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛାର ସୁଅ ଛୁଟିଛି। ଜୀବନର ଦ୍ବିତୀୟ ପାଳି ବି ଚମତ୍କାର ରହୁ ବୋଲି ସଭିଏଁ ଶୁଭକାମନା ଜଣାଇଛନ୍ତି।

ପୂର୍ବରୁ ଧୋନି ୨୦୧୪ ଅଷ୍ଟ୍ରେଲିଆ ଗସ୍ତ ଆଧାରେ ହିଁ ଅଚାନକ ଟେଷ୍ଟ୍‌ କ୍ରିକେଟ୍‌ରୁ ଅବସର ନେଇଥିଲେ। ସୀମିତ ଓଭର କ୍ରିକେଟ୍‌ ଖେଳ ଜାରି ରଖିଥିଲେ ମଧ୍ୟ ୨୦୧୭ରେ ଦିନିକିଆ ଓ ଟି-୨୦ ଅଧିନାୟକତ୍ବକୁ ବିରାଟ କୋହଲିଙ୍କୁ ସମର୍ପି ଦେଇଥିଲେ। ବିଶ୍ବର ପ୍ରଥମ, ଏକମାତ୍ର ତଥା ସଫଳତମ ଅଧିନାୟକ ଭାବେ ସମସ୍ତ ଫର୍ମାଟରେ ଭାରତକୁ ବିଶ୍ବ ବିଜେତା କରିଥିଲେ ମାହି। ୨୦୦୭ରେ ଟି-୨୦ ବିଶ୍ବକପ୍‌, ୨୦୧୧ରେ ଦିନିକିଆ ବିଶ୍ବକପ୍‌, ୨୦୧୩ରେ ଆଇସିସି ଚାମ୍ପିଅନ୍ସ ଟ୍ରଫିକୁ ଭାରତ ତାଙ୍କ ନେତୃତ୍ବରେ ଜିତିଥିଲା। ଏହା ଛଡ଼ା ଆଇସିସି ଟେଷ୍ଟ୍ ମାନ୍ୟତାରେ ଭାରତ ଏକ ନମ୍ବର ହେବା ଏବଂ ଆଇସିସି ଟେଷ୍ଟ୍ ଚାମ୍ପିଅନସିପ୍ ଗଦା ଜିତିବାର ଗୌରବ ମଧ୍ୟ ଧୋନି ଆଣି ଦେଇଥିଲେ ଭାରତକୁ। ଧମାକାଦାର ବ୍ୟାଟିଂ ସହ ବିଶ୍ବ କ୍ରିକେଟ୍‌କୁ ଆସିଥିବା ଧୋନି ୧୬ ବର୍ଷ ମଧ୍ୟରେ ୯୦ ଟେଷ୍ଟ୍ ଓ ୩୫୦ ଦିନିକିଆ ଖେଳିଥି‌ଲେ। ଲମ୍ବା ଫର୍ମାଟରେ ୫୦.୫୭ ହାରରେ ୧୦‌, ୭୭୩ ରନ୍‌ ଏବଂ ଦିନିକିଆରେ ୩୮.୦୯ ହାରରେ ୪୮୭୬ ରନ୍‌ କରିଥିଲେ। ଗତବର୍ଷ ବିଶ୍ବକପ୍‌ ବେଳେ ନ୍ୟୁଜିଲାଣ୍ଡ୍ ବିପକ୍ଷ ସେମିଫାଇନାଲ୍ ପରାଜୟ ତାଙ୍କର ୩୫୦ତମ ‌ଦିନିକିଆ ମ୍ୟାଚ୍‌ ଥିଲା, ଏହି ମ୍ୟାଚ୍‌ରେ ସେ ୫୦ ରନ୍ କରିଥିଲେ। ପଞ୍ଚମ ଭାରତୀୟ ଭାବେ ସେ ୧୦,୦୦୦ ଦିନିକିଆ ରନ୍‌ କ୍ଲବ୍‌ରେ ରହିଛନ୍ତି। ଦିନିକିଆର ସେ ମାରିଥିବା ୨୨୯ ଛକା ମଧ୍ୟ ଏକ ଭାରତୀୟ କିର୍ତ୍ତିମାନ ହୋଇ ରହିଛି।

୨୦୦୭ ମସିହାରେ ରାହୁଲ ଦ୍ରାବିଡ଼ଙ୍କଠାରୁ ଦିନିକିଆ ଅଧିନାୟକ ଭାର ସମ୍ଭାଳିଥିବା ଧୋନିଙ୍କ ଅଧୀନରେ ଭାରତ ୨୦୦ ମ୍ୟାଚ୍‌ରୁ ୫୫ ପ୍ରତିଶତ ଜିତିଥିଲା। ଏହା ମଧ୍ୟରେ ୧୧୦ ବିଜୟ, ୭୪ ପରାଜୟ, ୫ ଟାଇ, ୧୧ ଫଳାଫଳହୀନ ରହିଥିଲା। ୯୮ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ସେ ୫୮.୩୩ ପ୍ରତିଶତ ବିଜୟ ପାଇଥିଲେ। ଅଧିନାୟକ ଭାବେ ୭୨ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରୁ ସେ ୪୨ଟି ଜିତିଥିଲେ। ଏହା ମଧ୍ୟରେ ୨୦୦୭ ବିଶ୍ବକପ୍‌ ବିଜୟ ସବୁଠାରୁ ବଡ଼ ମୁହୂର୍ତ ଥିଲା। ବ୍ୟାଟସମ୍ୟାନ୍‌ ଏବଂ ଅଧିନାୟକତ୍ବ ବାଦ୍‌ ବିଶ୍ବର ଅନ୍ୟତମ ଉତ୍କୃଷ୍ଟ ୱିକେଟରକ୍ଷକ ଭାବେ ବି ଧୋନି ଖ୍ୟାତି ଅର୍ଜନ କରିଥିଲେ। ସମସ୍ତ ୩ ଫର୍ମାଟରେ ସେ ମୋଟ ୮୨୯ ଡିସମିସାଲ୍‌ କରି (୬୩୪ କ୍ୟାଚ୍‌, ୧୯୫ ଷ୍ଟମ୍ପିଂ) ସର୍ବକାଳୀନ ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି। ମାହିଙ୍କ ଉପରେ କେବଳ ମାର୍କ ବାଉଚର (୯୯୮) ଓ ଆଡାମ ଗିଲକ୍ରିଷ୍ଟ୍ (୯୦୫) ଅଛନ୍ତି। ମାହିଙ୍କ ପ୍ରଥମ ଅଧିନାୟକ ତଥା ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ‘ଗୋଟିଏ ଯୁଗର ଅବସାନ ଘଟିଲା’। ଏଭଳି ଜଣେ ଖେଳାଳି ଭାରତ ଓ ବିଶ୍ବକୁ ମିଳିବା ବିରଳ, ‌ତାଙ୍କ ନେତୃତ୍ବ ଶୈଳୀକୁ ଅନ୍ୟ କାହା ସହ ତୁଳନା କରାଯାଇପାରିବ ନାହିଁ। ଦେଶର ୱିକେଟରକ୍ଷକଙ୍କ ପାଇଁ ମଧ୍ୟ ସେ ଏକ ନୂଆ ସ୍ତର ଛାଡ଼ିଗଲେ। ପଡିଆରେ ତାଙ୍କ ପାଇଁ କିଛି ଅନୁତାପ କରିବାର ନାହିଁ, ଜୀବନର ଅବଶିଷ୍ଟ ଦିନ ପାଇଁ ଶୁଭକାମନା’ ବୋଲି ଗାଙ୍ଗୁଲି ତାଙ୍କ ପ୍ରତିକ୍ରିୟାରେ ଉଲ୍ଲେଖ କରିଛନ୍ତି।

ମହେନ୍ଦ୍ର ସିଂହ ଧୋନିଙ୍କ ଦେଢ଼ ଦଶନ୍ଧିର ଅନ୍ତର୍ଜାତୀୟ କ୍ୟାରିୟରର ଏକ ନିଆରା ସଂଯୋଗ ହେଉଛି ତାଙ୍କ ଖେଳଜୀବନର ଆରମ୍ଭ ଓ ‌ଶେଷ ଏକାଭଳି। ଉଭୟ ଥର ସେ ରନ୍ ଆଉଟ୍ ହୋଇଛନ୍ତି। ଅର୍ଥାତ୍ ଧୋନି ନିଜ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ରନ୍ ଆଉଟ୍ ହୋଇଥିଲେ। ‌ଶେଷ ମ୍ୟାଚ୍‌ରେ ମଧ୍ୟ ସେହି ରନ୍ ଆଉଟ୍ ହୋଇ ପ୍ୟାଭିଲିୟନ ଫେରିଥିଲେ। ସିଙ୍ଗଲ ନେବାରେ ଓସ୍ତାଦ ଧୋନି ୨୦୦୪ରେ ବାଂଲାଦେଶ ବିପକ୍ଷରେ ପଦାର୍ପଣ କରିଥିଲେ। ସେହି ମ୍ୟାଚ୍‌ରେ ବାଂଲାଦେଶର ମହମ୍ମଦ ରଫିକଙ୍କୁ ସ୍କୋୟାର ଲେଗ୍ ଅଞ୍ଚଳକୁ ଖେଳି ଏକ ରନ୍ ପାଇଁ ଦୌଡ଼ିଥିଲେ। ତେବେ ନନ୍‌ଷ୍ଟ୍ରାଇକର ପଟେ ଥିବା ମହମ୍ମଦ କୈଫ ତାଙ୍କୁ ଅଧାରୁ ‌ଫେରାଇ ଦେଇଥିଲେ। ଧୋନି କ୍ରିଜ୍‌କୁ ଫେରିବା ପୂର୍ବରୁ ବାଂଲା କ୍ଷେତ୍ରରକ୍ଷକ ତାଙ୍କୁ ରନ୍ ଆଉଟ୍ କରି ଦେଇଥିଲେ। ଫଳରେ ସପ୍ତମ ସ୍ଥାନରେ ଖେଳି କୌଣସି ରନ୍ କରିବା ପୂର୍ବରୁ ଆଉଟ୍ ହୋଇ ଯାଇଥି‌ଲେ ଧୋନି। ସେହିଭଳି ଇଂଲଣ୍ଡରେ ଆୟୋଜିତ ୨୦୧୯ ବିଶ୍ବକପ୍ ସେମିଫାଇନାଲରେ ଧୋନିଙ୍କୁ ନ୍ୟୁଜିଲାଣ୍ଡର ମାର୍ଟିନ ଗପ୍ଟିଲ ରନ୍ଆଉଟ୍ କରି ଦେଇଥିଲେ। ଏହା ମଧ୍ୟ ଧୋନିଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ହୋଇଥିଲା। ଭାରତ ୨୪୦ ରନ୍‌ର ଲକ୍ଷ୍ୟକୁ ହାସଲ କରିନପାରି ବିଶ୍ବକପର ସେମିଫାଇନାଲରୁ ବିଦାୟ ନେଇଥିଲା। ତେବେ ନିଜ ଅନ୍ତିମ ପାଳିରେ ଧୋନି ଲଢ଼ୁଆ ଅର୍ଧଶତକ ହାସଲ କରିଥିଲେ। ହେଲେ ଦଳ ପରାଜୟ ଯୋଗୁଁ ତାଙ୍କ ହୃଦୟ ଭାଙ୍ଗି ଯାଇଥିଲା। ଧୋନି ସେବେଠାରୁ ସ୍ବଘୋଷିତ ବନବାସକୁ ଚାଲି ଯାଇଥିଲେ। ଦୀର୍ଘ ଦିନ ପରେ ମୁହଁ ଖୋଲି ସେ ନିଜ ଅବସର ସୂଚନା ଟ୍ବିଟରରେ ଦେଇଥିଲେ।

ସମ୍ବନ୍ଧିତ ଖବର