କଟକ: ତୃଣମୂଳସ୍ତରରୁ ଫୁଟ୍ବଲ୍ର ଉନ୍ନତି ପାଇଁ ସର୍ବଭାରତୀୟ ଫୁଟ୍ବଲ ମହାସଂଘ (ଏଆଇଏଫ୍ଏଫ୍) କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏଥିପାଇଁ ୧୧ ରାଜ୍ୟକୁ ବଛାଯାଇଥିଲା ବେଳେ ଓଡ଼ିଶାରେ ମଧ୍ୟ ଏହା ଉପରେ ଏକାଧିକ ଯୋଜନା କାର୍ଯ୍ୟକାରୀ କରାଗଲାଣି। ଆଗକୁ ବିଭିନ୍ନ ଜିଲ୍ଲାରେ ବିଦ୍ୟାଳୟସ୍ତରୀୟ ଫୁଟ୍ବଲ୍ ପ୍ରତିଯୋଗିତା ଆୟୋଜନ କରାଯିବ। ପ୍ରତି ଜିଲ୍ଲାରେ ୧୦ ଲେଖାଏଁ ଦଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ବିଜେତା ଦଳମାନଙ୍କୁ ନେଇ ରାଜ୍ୟସ୍ତରୀୟ ଅନ୍ତଃ ଜିଲ୍ଲା ପ୍ରତିଯୋଗତା ଆୟୋଜନ କରାଯିବ। ଏଥିପାଇଁ ଏଆଇଏଫ୍ଏଫ୍ ଓ ଫାଓ ପକ୍ଷରୁ ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହାବ୍ୟତୀତ ୧୪, ୧୬ ଓ ୧୮ ବର୍ଷରୁ କମ୍ ବୟସ ବର୍ଗରେ ପ୍ରତିଯୋଗିତା କରାଯାଇ ରାଜ୍ୟ ଦଳ ଗଠନ କରାଯିବ। ଏଆଇଏଫ୍ଏଫ୍ ୟୁଥ୍ ଲିଗ୍ରେ ଏହି ଦଳଗୁଡ଼ିକ ଅଂଶଗ୍ରହଣ କରିବ ବୋଲି ଫାଓର ବାର୍ଷିକ ସାଧାରଣ ବୈଠକରେ ଯୋଜନା ହୋଇଛି। ବିଭିନ୍ନ ବୟସ ବର୍ଗରେ ଏକାଡେମି କରିବା ପାଇଁ ଫାଓର ଦୀର୍ଘ ଦିନର ଯୋଜନା ଉପରେ ରାଜ୍ୟ ସରକାରଙ୍କୁ ଏକ ପ୍ରସ୍ତାବ ଦିଆଯାଇଛି। ରାଜ୍ୟରେ ଏବେ ୧୨ କ୍ରୀଡ଼ା ଛାତ୍ରାବାସ ରହିଥିଲା ବେଳେ ସେଥିମଧ୍ୟରୁ ୬ଟିକୁ ଫାଓ ପରିଚାଳିତ କରିବା ସହିତ ଭିତ୍ତିଭୂମି ଯୋଗାଇ ଦେବ। ସେଠାରେ ଫାଓର ନିଜସ୍ୱ ପ୍ରଶିକ୍ଷକ ଓ ବୈଷୟିକ ଅଧିକାରୀ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେବେ। ଫାଓର ନିଜସ୍ୱ ଏକାଡେମି କରିବା ପାଇଁ ଆର୍ଥିକ ସମ୍ବଳ ନାହିଁ। ତେଣୁ ସରକାରଙ୍କ କ୍ରୀଡ଼ା ଛାତ୍ରାବାସକୁ ଏକାଡେମିରେ ପରିଣତ କରି ସେଠାରେ ଫାଓ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରସ୍ତାବ ଦିଆଯାଇଛି। ଯଦି ସରକାର ସହଯୋଗ ଓ ପ୍ରୋତ୍ସାହନ ନଦେବେ ତାହେଲେ ତୃଣମୂଳସ୍ତରରୁ ରାଜ୍ୟରେ ଫୁଟ୍ବଲର ଉନ୍ନତି ହେବା ଅସମ୍ଭବ ହୋଇଯିବ ବୋଲି ଫାଓ ସମ୍ପାଦକ ସଂଜୟ ବେହେରା କହିଛନ୍ତି।
ସେହିପରି ଆଗକୁ ଭୁବନେଶ୍ୱରରେ ହେବାକୁ ଯାଉଥିବା ସୁପର କପ୍ ଫୁଟ୍ବଲ୍ ପ୍ରତିଯୋଗିତାକୁ ସଫଳତାର ସହ ଆୟୋଜନ କରିବା ପାଇଁ ଫାଓ ପକ୍ଷରୁ ସମସ୍ତ ସଦସ୍ୟଙ୍କ ସହଯୋଗ ଲୋଡାଯାଇଥିଲା। ଫାଓ ସହିତ ରାଜ୍ୟ ସରକାରଙ୍କୁ ଏହି ପ୍ରତିଯୋଗିତା ଆୟୋଜନ କରିବାକୁ କୁହାଯାଇଛି। ସବୁବେଳେ କଟକରେ ପ୍ରତିଯୋଗିତା ହୋଇଆସୁଛି, ଏଥର ଭୁବନେଶ୍ୱରରେ ସବୁ ବ୍ୟବସ୍ଥା ମଧ୍ୟରେ ପ୍ରତିଯୋଗିତାକୁ ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଥିବା କୁହାଯାଇଥିଲା। ଅନ୍ୟପକ୍ଷରେ ଫାଓ ସବୁବେଳେ ଏକାଧିକ ପ୍ରତିଯୋଗିତା ଆୟୋଜନରେ ବ୍ୟସ୍ତ ରହୁଛି। କିନ୍ତୁ ରାଜ୍ୟରେ ଫୁଟ୍ବଲ୍ର ବିକାଶ କେମିତି ହେବ ବୋଲି ଭାରତୀୟ ଦଳର ପୂର୍ବତନ ପ୍ରଶିକ୍ଷକ ମହମ୍ମଦ ସାହିଦ୍ ଜବାର୍ ପ୍ରଶ୍ନ ଉଠାଇଥିଲେ। ଏହାକୁ ନେଇ ଜବାର୍ ଓ ସଂଜୟଙ୍କ ମଧ୍ୟରେ ପ୍ରାୟ ୧୫ ମିନିଟ୍ ପର୍ଯ୍ୟନ୍ତ କଥା କଟାକଟି ହୋଇଥିଲା। ଜାତୀୟ ପ୍ରତିଯୋଗିତାରେ ଖରାପ ପ୍ରଦର୍ଶନ ପରେ ସହଦେବ ରାଉତଙ୍କୁ ମହିଳା ଫୁଟ୍ବଲ ସମିତିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିବା ଅବଗତ କରାଯାଇଥିଲା। କାର୍ଯ୍ୟକାରୀ ସଭାପତି ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାଧାରଣ ବୈଠକରେ ୨୦୧୭-୧୮ ବର୍ଷ ପାଇଁ ୪୯ ଲକ୍ଷ ୬୦ ହଜାର ୭୫୨ ଟଙ୍କାର ଆୟବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଛି। ଏଥିମଧ୍ୟରେ ଫାଓ ଲିଗ୍ ପାଇଁ ୬ ଲକ୍ଷ, ମହିଳା ଲିଗ୍ ପାଇଁ ୩ ଲକ୍ଷ, ସାହାଣୀ କପ୍ ପାଇଁ ୨ ଲକ୍ଷ ୨୫ ହଜାର ଏବଂ ପିସି ବେହେରା ସ୍ମାରକୀ ପ୍ରତିଯୋଗିତା ପାଇଁ ୧ ଲକ୍ଷ ୭୫ ହଜାର ଟଙ୍କା ଅଟକଳ ହୋଇଥିବା ଜଣାପଡ଼ିଛି। ଏହି ବୈଠକରେ ପରାମର୍ଶଦାତା ଆଶୀର୍ବାଦ ବେହେରା, ଉପସଭାପତି ଭକ୍ତବଲ୍ଲଭ ଦାସ, ଯୁଗ୍ମ ସମ୍ପାଦକ ଅଭିଜିତ ପାଲ୍ଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/7-football-association-ra-annual-general-body-meeting-6.jpg)