ପରାଜୟରୁ ସ୍ପେନ୍‌ ଗସ୍ତ ଆରମ୍ଭ

ପ୍ରଥମ ମ୍ୟାଚ୍‌କୁ ୦-୩ରେ ହାରିଲା ଭାରତୀୟ ମହିଳା ହକି ଦଳ

ମାଦ୍ରିଦ୍‌ (ସ୍ପେନ୍‌): ଭାରତୀୟ ମହିଳା ହକି ଦଳ ପରାଜୟରୁ ତା’ର ସ୍ପେନ୍‌ ଗସ୍ତ ଆରମ୍ଭ କରିଛି। ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ଖେଳିବାକୁ ସ୍ପେନ୍‌ ଯାଇଥିବା ରାଣୀ ରାମ୍‌ପଲ୍‌ଙ୍କ ଭାରତୀୟ ଦଳ ମଙ୍ଗଳବାର ପ୍ରଥମ ମ୍ୟାଚ୍‌କୁ ୦-୩ ଗୋଲ୍‌ରେ ହାରିଯାଇଛି। ମ୍ୟାଚ୍‌ ଆରମ୍ଭରୁ ଆଧିପତ୍ୟ ଜମାଇଥିବା ଘରୋଇ ଦଳ ଲୋଲା ରିରା (୪୮ ଓ ୫୨ ମିନିଟ୍‌)ଙ୍କ ଯୁଗଳ ସାଙ୍ଗକୁ ବେର୍ତା ବୋନାଷ୍ଟ୍ରେ (ଷଷ୍ଠ ମିନିଟ୍‌)ଙ୍କ ଗୋଟିଏ ଗୋଲ୍‌ ବଳରେ ଏକପାଖିଆ ବିଜୟ ହାସଲ କରିଥିଲା। କେବଳ ୧୪ ମିନିଟ୍‌ରେ ଗୋଟିଏ ସୁଯୋଗ ପାଇଥିଲେ ମଧ୍ୟ ଭାରତ ଗୋଲ୍‌ କରିବାରେ ସଫଳ ହୋଇନଥିଲା। ଅଧିନାୟିକା ରାଣୀ ରାମ୍‌ପଲ୍‌ଙ୍କ ଆଗରେ ଏହି ସୁଯୋଗ ରହିଥିଲେ ମଧ୍ୟ ତାଙ୍କ ସଟ୍‌ ଗୋଲ୍‌ପୋଷ୍ଟର ବହୁ ବାହାରେ ଚାଲି ଯାଇଥିଲା। ସେହିପରି ୧୯ ମିନିଟ୍‌ରେ ଓଡ଼ିଆ ଝିଅ ଅନୁପା ବାର୍ଲାଙ୍କ ଏକ ସଟ୍‌କୁ ଘରୋଇ ଦଳର ଗୋଲ୍‌ରକ୍ଷିକା ମାରିଆ ରୁଇଜ୍‌ ଅଟକାଇ ଦେଇଥିଲେ। ଦ୍ୱିତୀୟ ସୁଯୋଗ ବି ହାତଛଡ଼ା ହୋଇଯିବା ପରେ ୨୪ ମିନିଟ୍‌ରେ ଭାରତକୁ ମିଳିଥିଲା ଏକ ପେନାଲ୍‌ଟି କର୍ନର। ତାହା ମଧ୍ୟ ସ୍ପେନ୍‌ ଗୋଲ୍‌ପୋଷ୍ଟ ବାହାରେ ଚାଲି ଯାଇଥିଲା। ଫଳରେ ଭାରତ ସ୍ଥିତି ସମାନ କରିବାରୁ ବଞ୍ଚିତ ହୋଇଥିଲା। ଅବଶ୍ୟ ଏହାର ଦୁଇ ମିନିଟ୍‌ରେ ଭାରତୀୟ ଗୋଲ୍‌ରକ୍ଷିକ ସବିତା ଘରୋଇ ଦଳର ଏକ ଗୋଲ୍‌ ସୁଯୋଗକୁ ନିସ୍ଫଳ କରିଦେବାରୁ ପ୍ରଥମାର୍ଧରେ ସ୍ପେନ୍‌ ୧-୦ରେ ଆଗୁଆ ରହିଥିଲା। ଦ୍ୱିତୀୟାର୍ଧରେ ମଧ୍ୟ ସ୍ପେନ୍‌ ଗୋଲ୍‌ରକ୍ଷିକା ଭାରତର ଦୁଇଟି ପ୍ରୟାସକୁ ଭଣ୍ଡୁର କରିଦେଇଥିଲା ବେଳେ ଘରୋଇ ଦଳ ଆଉ ଦୁଇଟି ଗୋଲ୍‌ ଲଦି ଦେଇଥିଲା। ଅନ୍ୟତମ ଓଡ଼ିଆ ଝିଅ ସୁନିତା ଲାକ୍ରାଙ୍କ ଯୋଗୁଁ ସ୍ପେନ୍‌ ଶେଷ ଦୁଇଟି ଗୋଲ୍‌ କରିଥିଲା। ପ୍ରଥମେ ବଲ୍‌ ସୁନିତାଙ୍କ ମୁଣ୍ଡରେ ବାଜିବାରୁ ସ୍ପେନ୍‌କୁ ମିଳିଥିଲା ପୋନଲ୍‌ଟି କର୍ନର। ଏହାକୁ ଲୋଲା ରିରା ଗୋଲ୍‌ରେ ରୂପାନ୍ତରିତ କରିଥିଲେ। ସେହିପରି ଲୋଲାଙ୍କ ଅନ୍ୟ ଏକ ପେନାଲ୍‌ଟି କର୍ନର ସଟ୍‌ ସୁନିତାଙ୍କ ଷ୍ଟିକ୍‌ରେ ବାଜି ନେଟ୍‌ ଭିତରକୁ ଚାଲିଯିବାରୁ ସ୍ପେନ୍‌ ୩-୦ର ବିଜୟ ପାଇଥିଲା। ଭାରତ ଓ ସ୍ପେନ୍‌ ଆସନ୍ତାକାଲି ଦ୍ୱିତୀୟ ମ୍ୟାଚ୍‌ ଖେଳିବେ।

ସମ୍ବନ୍ଧିତ ଖବର