କଟକ: ଜବାହରଲାଲ ନେହେରୁ ଇଣ୍ତୋର ଷ୍ଟାଡିୟମରେ ଶୁକ୍ରବାରଠୁ ଜାତୀୟ ବରିଷ୍ଠ ଟେବୁଲ ଟେନିସ୍‌ ପ୍ରତିଯୋଗିତା ଆରମ୍ଭ ହେବ। ତେବେ ଏହି ପ୍ରତିଯୋଗିତାରେ ଭାରତର ଶୀର୍ଷ ମାନ୍ୟତା ଶରତ କମଲଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଶରତ ଏଠାରେ ଲଗାତର ନବମ ଥର ବିଜେତା ହେବା ଲକ୍ଷ୍ୟରେ ଅଛନ୍ତି। ଗତବର୍ଷ ରାଞ୍ଚିରେ ସେ ତାଙ୍କର ଅଷ୍ଟମ ଟ୍ରଫି ହାସଲ କରି କୀର୍ତ୍ତିମାନର ସମକକ୍ଷ ହୋଇଥିଲେ। ଏଥିପୂର୍ବରୁ ମୁମ୍ବାଇର କମଳେଶ ମେହେଟ୍ଟା ୮ ଥର ବିଜେତା ହୋଇଥିଲେ। ଶରତ ଯଦିଓ ଏହି କୀର୍ତ୍ତିମାନର ସମକକ୍ଷ ହୋଇସାରିଛନ୍ତି, କିନ୍ତୁ କଟକରେ ସେ ଏହାକୁ ଟପିବାର ଲକ୍ଷ୍ୟ ରଖିଛନ୍ତି। ସେହିପରି ମହିଳାଙ୍କ ମଧ୍ୟରେ ମନିକା ବାତ୍ରା ଏକକ ଟ୍ରଫି ପାଇଁ ଦାବିଦାର ଅଛନ୍ତି। ଆନ୍ତର୍ଜାତିକ ଟେବୁଲ ଟେନିସ୍‌ ମହାସ˚ଘ ପକ୍ଷରୁ ଷ୍ଟାର‌୍‌ ଅଫ୍‌ ଦି ଇୟର ଭାବେ ପୁରସ୍କୃତ ହୋଇଥିବା ମନିକା ଗତ ଏସୀୟ କ୍ରୀଡ଼ାରେ ମିଶ୍ରିତ ଯୁଗଳରେ କା˚ସ୍ୟ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୨ ସ୍ବର୍ଣ୍ଣ ସହ ୪ ପଦକ ଜିତିଥିଲେ। ଯେହେତୁ ତାଙ୍କ ପ୍ରଦର୍ଶନରେ ପୂର୍ବାପେକ୍ଷା ଅଧିକ ଉନ୍ନତି ଆସିଛି, ତେଣୁ ସେ ମଧ୍ୟ ତାଙ୍କର ଦ୍ବିତୀୟ ଟାଇଟଲ୍‌ ହାସଲ କରିପାରନ୍ତି। ଗତବର୍ଷ ରାଞ୍ଚିରେ ସେ ଅଳ୍ପକେ ସୁତୀର୍ଥ ମୁଖାର୍ଜୀଙ୍କଠୁ ହାରିବାରୁ ତାଙ୍କର ସ୍ବପ୍ନ ଅଧାରେ ରହିଯାଇଥିଲା। ଦଳଗତ ବିଭାଗରେ ପେଟ୍ରୋଲିୟମ୍‌ ସ୍ପୋର୍ଟ୍ସ ପ୍ରମୋସନ୍‌ ବୋର୍ଡକୁ ଅଧିକ ଶକ୍ତିଶାଳୀ ଭାବେ ବିବେଚନା କରାଯାଉଛି। ପୁରୁଷ ଦଳରେ ଶରତଙ୍କ ସହ ଜି ସାଥିଆନ୍‌, ଅମଲରାଜ ଆନ୍ଥୋନୀ, ଶୁଭଜିତ ଶାହା, ମାନବ ବିକାଶ ଠାକର, ସୁଧା˚ଶୁ ଗ୍ରୋଭରଙ୍କ ଭଳି ତାରକା ଖେଳାଳି ଥିବାବେଳେ ମହିଳା ବିଭାଗରେ ମନିକାଙ୍କ ବ୍ୟତୀତ ଅର୍ଚ୍ଚନା କାମାତ୍‌, ଭେଟେରାନ୍‌ ଖେଳାଳି ମାଧୁରିକା ପାଟକର, ମୌମା ଦାସଙ୍କ ଭଳି ଆନ୍ତର୍ଜାତିକ ଖେଳାଳି ଏଠାରେ ଖେଳିବାକୁ ଆସିଛନ୍ତି।