ବୁସାନରୁ ନୂଆ ଶତାବ୍ଦୀର ଶୁଭାରମ୍ଭ

ଭୁବନେଶ୍ୱର: ୨୦୦୨ ମସିହାର ଚତୁଃର୍ଦଶ ସଂସ୍କରଣ ଏସୀୟ କ୍ରୀଡ଼ା ଦକ୍ଷିଣ କୋରିଆର ବୁସାନ ସହରରେ ଅନୁଷ୍ଠିତ ହୋଇଥିଲା। ଏକବିଂଶ ଶତାବ୍ଦୀର ଏହା ଥିଲା ପ୍ରଥମ ଏସିଆଡ୍‌। ୧୯୮୬ ସିଓଲ୍‌ ପରେ ମଧ୍ୟ ଦକ୍ଷିଣ କୋରିଆ ଦ୍ୱିତୀୟ ଥର ପାଇଁ ଆୟୋଜକ ପାଲଟିଥିଲା। ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ମହୋତ୍ସବରେ ୪୪ ଦେଶରୁ ୭,୭୧୧ ଖେଳାଳି ଭାଗ ନେଇଥିବା ବେଳେ ୩୮ ଖେଳ ଅନ୍ତର୍ଗତ ୪୧୯ ଇଭେଣ୍ଟ୍‌ ସମ୍ପନ୍ନ ହୋଇଥିଲା। ସାମୁଦ୍ରିକ ମାଚ୍ଛରଙ୍କା ଦୁରିଆକୁ ମାସ୍କଟ୍‌ କରାଯାଇଥିବା ବେଳେ ଏସୀୟ କ୍ରୀଡ଼ା ସଂଗୀତ ଭାବେ ‘ଡ୍ରିମ୍‌ ଅଫ୍‌ ଏସିଆ’କୁ ଗାଇଥିଲେ ଲୁ ମୁନ୍‌ ସି। ୧୯୮୨ ମସିହା ନୂଆଦିଲ୍ଲୀଠାରୁ ପ୍ରାଧାନ୍ୟ ଅବ୍ୟାହତ ରଖିଥିବା ଚୀନ୍‌ର ଚମକ ଅକ୍ଷୁର୍ଣ ରହିଥିଲା। ଏହି ଦେଶ (୧୫୦ ସ୍ୱର୍ଣ୍ଣ, ୮୪ ରୌପ୍ୟ, ୭୪ କାଂସ୍ୟ) ମୋଟ ୩୦୮ ପଦକ ଜିତି ପ୍ରାଧାନ୍ୟକୁ ଦୁଇ ଦଶନ୍ଧି ଅତିକ୍ରମ କରାଇଥିଲା। ଦକ୍ଷିଣ କୋରିଆ (୯୬+୮୦+୮୪) ମୋଟ ୨୬୦ ପଦକ ଜିତି ଦ୍ୱିତୀୟ ଏବଂ ୮ ଥର ବିଜେତା ଜାପାନ (୪୪+୭୩+୭୨) ଲଗାତାର ତୃତୀୟ ସ୍ଥାନରେ ରହିଥିଲା। କାଜାକସ୍ତାନ (୨୦+୨୬+୩୦), ଉଜବେକିସ୍ତାନ (୧୫+୧୨+୨୪), ଥାଇଲାଣ୍ଡ୍‌ (୧୪+୧୯+୧୦) ତଳକୁ ରହି ଭାରତ (୧୧+୧୨+୧୩) ସପ୍ତମ ସ୍ଥାନରେ ଅଭିଯାନ ଶେଷ କରିଥିଲା। ଚାଇନିଜ୍‌ ତାଇପେ, ଉତ୍ତର କୋରିଆ ଏବଂ ଇରାନ୍‌ ପରବର୍ତୀ ୩ ସ୍ଥାନରେ ରହିଥିଲେ।

ସମ୍ବନ୍ଧିତ ଖବର