ଆଜିଠୁ ସୁପର ଲଢ଼େଇ

ଆଇଏସ୍‌ଏଲ୍‌ ବିଜେତା ଚେନ୍ନାଇନ୍‌କୁ ଭେଟିବ ଆଇଜଲ୍‌

ଭୁବନେଶ୍ୱର: ସୁପର କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ପ୍ରଥମ ସଂସ୍କରଣ ଶନିବାରଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ। ଏଥିଲାଗି କଳିଙ୍ଗ ଷ୍ଟାଡିୟମ ପୁରା ପ୍ରସ୍ତୁତ ରହିଛି। ଏସୀୟ ଦୌଡ଼କୁଦ ପରେ ହକି ବିଶ୍ୱଲିଗ୍‌ ଫାଇନାଲ୍ସ କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହ ଆୟୋଜିତ ହୋଇଥିଲା। ଏହାପରେ  ଆଇଏସ୍‌ଏଲ୍‌ର ଜାମସେଦପୁର ଏଫ୍‌ସି-ବେଙ୍ଗାଲୁରୁ ଏଫ୍‌ସି ମ୍ୟାଚ୍‌ ଖେଳାଯାଇ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଥିଲା। ଏହାର ସଫଳତା ପରେ ଭୁବନେଶ୍ୱରକୁ ମିଳିଥିଲା ସୁପର କପ୍‌ ଆୟୋଜନ ଅଧିକାର। ନକ୍‌ଆଉଟ୍‌ ଭିତ୍ତିରେ ଏହି ପ୍ରତିଯୋଗିତା ଆୟୋଜିତ ହେବ। ଭାରତରେ ଆୟୋଜିତ ଦୁଇ ଘରୋଇ ଲିଗ୍‌ ଆଇଏସ୍‌ଏଲ୍‌ ଏବଂ ଆଇଲିଗ୍‌ର ଶ୍ରେଷ୍ଠ ୧୬ ଦଳ ଏଥିରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଚଳିତ ବର୍ଷର ଉଭୟ ଲିଗ୍‌ର ପଏଣ୍ଟ୍‌ ତାଲିକାର ପ୍ରଥମ ୬ ଲେଖାଏଁ ସ୍ଥାନରେ ରହିଥିବା ଦଳ ସିଧାସଳଖ ଏହି ପ୍ରତିଯୋଗିତାକୁ ଯୋଗ୍ୟତା ଅର୍ଜନ କରିଥିଲେ। ତେବେ ଅନ୍ୟ ୪ ଦଳ ଚଳିତ ମାସ ୧୫ ଏବଂ ୧୬ ତାରିଖରେ ଯୋଗ୍ୟତା ମ୍ୟାଚ୍‌ ଖେଳି ଏଠାକୁ ଆସିଛନ୍ତି। ଶନିବାର ଉଦ୍‌ଘାଟନୀ ମୁକାବିଲାରେ ଚଳିତ ବର୍ଷର ଆଇଏସ୍‌ଏଲ୍‌ ବିଜେତା ଚେନ୍ନାଇନ୍‌ ଏଫ୍‌ସିକୁ ଭେଟିବ ଆଇଲିଗ୍‌ର ପଞ୍ଚମ ସ୍ଥାନରେ ଥିବା ଆଇଜଲ୍‌ ଏଫ୍‌ସି।

ଆଇଏସ୍‌ଏଲ୍‌ରେ ବେଙ୍ଗାଲୁରୁ ଏଫ୍‌ସିକୁ ହରାଇ ଚେନ୍ନାଇନ୍‌ ଟ୍ରଫି କରାୟତ କରିଥିଲା ବେଳେ ଗତ ବର୍ଷ ଆଇଲିଗ୍‌ ବିଜେତା ଆଇଜଲ୍‌ ଚଳିତ ସଂସ୍କରଣରେ ସେମିଫାଇନାଲ୍‌ରେ ପ୍ରବେଶ କରିପାରିନଥିଲା। ଘରୋଇ ଟ୍ରଫି ହାସଲ ପରେ ଚେନ୍ନାଇନ୍‌ ଆଉ ଏକ ଟ୍ରଫି ହାସଲ କରିବାକୁ ପୁରା ପ୍ରସ୍ତୁତ ହୋଇ ଭୁବନେଶ୍ୱରରେ ପହଞ୍ଚିଛି। ଏହାକୁ ଟକ୍କର ଦେବାକୁ ମଧ୍ୟ ଆଇଜଲ୍‌ ପୂର୍ବ ପ୍ରଦର୍ଶନକୁ ଭୁଲି ଏଠାରେ ପହଞ୍ଚିଛି। ଉଭୟ ଦଳ ଏଠାରେ ଶୁକ୍ରବାର ଅଭ୍ୟାସ କରିଛନ୍ତି। ଆଇଲିଗ୍‌ ଏବଂ ଆଇଏସ୍‌ଏଲ୍‌ ସରିବାର ଗୋଟିଏ ମାସ ହୋଇ ଯାଇଥିବାରୁ ଖେଳାଳିମାନେ ବିଶ୍ରାମ ପାଇଛନ୍ତି। ନୂଆ ଜୋସ୍‌ରେ ଉଭୟ ଦଳ କଳିଙ୍ଗ ଷ୍ଟାଡିୟମକୁ ଶନିବାର ଓହ୍ଲାଇବେ। ଅନ୍ୟପକ୍ଷରେ ସୁପର କପ୍‌ ପୂର୍ବରୁ ଆଇଜଲ୍‌ ତା’ର ମୁଖ୍ୟ ପ୍ରଶିକ୍ଷକ ବଦଳାଇ ନେଇଛି। ପୂର୍ବରୁ ଥିବା ପର୍ତୁଗାଲର ପାଉଲୋ ମେନେଜେସ୍‌ଙ୍କୁ ହଟାଇ ଭାରତୀୟ ପ୍ରଶିକ୍ଷକ ସନ୍ତୋଷ କାଶ୍ୟପଙ୍କୁ ଏହି ଭାର ଦେଇଛି। କାଶ୍ୟପ ପୂର୍ବରୁ ଆଇଲିଗ୍‌ରେ ମୁମ୍ବାଇ ଏଫ୍‌ସିର ପ୍ରଶିକ୍ଷକ ରହିଥିଲେ। ତେବେ ଚେନ୍ନାଇନ୍‌ରେ ସେପରି କିଛି ପରିବର୍ତନ ହୋଇନାହିଁ।

ଆଇଏସ୍‌ଏଲ୍‌ ବିଜେତା ଚେନ୍ନାଇନ୍‌କୁ ଭେଟିବ ଆଇଜଲ୍‌

ଆତ୍ମବିଶ୍ୱାସ ସହ ପଡ଼ିଆକୁ ଓହ୍ଲାଇବୁ: ଗ୍ରେଗୋରି

ଆମେ ଶନିବାର ମ୍ୟାଚ୍‌ ପାଇଁ ପ୍ରସ୍ତୁତ ରହିଛୁ। ଏକଥା ବି ଜାଣିଛୁ ଏଠାରେ ଗୋଟିଏ ମ୍ୟାଚ୍‌ ହାରିଲେ ଆଉ ସୁଯୋଗ ନାହିଁ। ଏଥିପାଇଁ ଆଇଏସ୍‌ଏଲ୍‌ ବିଜେତା ଚିହ୍ନ ନେଇ ଖେଳିବୁ ନାହିଁ। ସୁପର କପ୍‌ ଟ୍ରଫି ହାତେଇବା ପାଇଁ ଖେଳିବୁ ବୋଲି ଚେନ୍ନାଇନ୍‌ର ପ୍ରଶିକ୍ଷକ ଜନ୍‌ ଗ୍ରେଗୋରି ଶୁକ୍ରବାର ଆୟୋଜିତ ମ୍ୟାଚ୍‌ ପୂର୍ବ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଆଇଏସ୍‌ଏଲ୍‌ ସରିବାର ମାସେ ହୋଇ ଗଲାଣି। ଫଳରେ ଆମ ପିଲାମାନେ ଭଲ ବିଶ୍ରାମ ପାଇଛନ୍ତି। କିଛି ବିଶ୍ରାମ ନେଇଥିବା ଖେଳାଳିଙ୍କୁ ପରୀକ୍ଷା କରିବାକୁ ଚିନ୍ତା କରିଛୁ। ଆଇଏସ୍‌ଏଲ୍‌ ବିଜେତା ହୋଇଥିବାରୁ ଆତ୍ମବିଶ୍ୱାସ ରହିଛି। ତଥାପି ପୂର୍ବ ସଫଳତା ଭୁଲି ଏଠାରେ ନୂଆ ଆରମ୍ଭ କରିବାକୁ ପଡ଼ିବ। ଏଥିପାଇଁ ଶ୍ରେଷ୍ଠ ଦଳ ନେଇ ପଡ଼ିଆକୁ ଓହ୍ଲାଇବୁ ବୋଲି ଗ୍ରେଗୋରି ଆଭାସ ଦେଇଥିଲେ।

ସୁପର୍‌ କପ୍‌ ଜିତିବା ଲକ୍ଷ୍ୟରେ ଗୋଆ ଏଫ୍‌ସି

ପଣଜି: ସୁପର୍‌ କପ୍‌ରେ ଉନ୍ନତ ପ୍ରଦର୍ଶନ ପାଇଁ ଗୋଆ ଏଫ୍‌ସି ପ୍ରଶିକ୍ଷକ ଡେରିକ୍‌  ପେରେରା ଆତ୍ମବିଶ୍ୱାସରେ ଅଛନ୍ତି। ପ୍ରଥମ ଭାରତୀୟ ଭାବେ ଏକ ଆଇଏସ୍‌ଏଲ୍‌ ଦଳର ପ୍ରଶିକ୍ଷକ ଦାୟିତ୍ୱ ପାଇଥିବା ଏହି ଗୋଆ କିମ୍ବଦନ୍ତୀ ପ୍ରଶିକ୍ଷକ କହିଛନ୍ତି, ଆଇଏସ୍‌ଏଲ୍‌ ସେମିଫାଇନାଲ୍‌ ଆମ ପାଇଁ ଦୁର୍ଭାଗ୍ୟପୂର୍ଣ୍ଣ ଥିଲା। ଶେଷ ୩ ଲିଗ୍‌ ମ୍ୟାଚ୍‌ରେ ଆମେ କଠିନ ପରିଶ୍ରମ କରି ସେମିଫାଇନାଲ୍‌ରେ ପହଞ୍ଚିଥିଲୁ। ହେଲେ ମାତ୍ରାଧିକ ପରିଶ୍ରମ ଆମ ପାଇଁ  ପରେ ବୁମେରାଁ ହେଲା। ଏବେ ସୁପର୍‌ କପ୍‌  ଉପରେ ଆମେ ନଜର ରଖିଛୁ ଏବଂ ଏହି ପ୍ରତିଯୋଗିତା ଜିତିବାକୁ ଆମ ନିକଟରେ ଯଥେଷ୍ଟ ଦକ୍ଷତା ରହିଛି ବୋଲି ପେରେରା ପ୍ରକାଶ କରିଛନ୍ତି। ଆମକୁ ପ୍ରତିଯୋଗିତା ଜିତିବାକୁ ହେଲେ ସୁଯୋଗ ହାତେଇବାକୁ ପଡ଼ିବ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ, ସୁପର୍‌ କପ୍‌ରେ ଗୋଆ ଦୁଇ ଥର ଆଇଏସ୍‌ଏଲ୍‌ ବିଜେତା ଏଟିକେ ସହିତ ଖେଳି ଅଭିଯାନ ଆରମ୍ଭ କରିବ। ଗତ ଆଇଏସଏଲ୍‌ର ସେମିଫାଇନାଲ୍‌ରେ ଦଳ ଚେନ୍ନାଇ ନିକଟରୁ (୧-୪) ହାରି ବିଦାୟ ନେଇଥିଲା।

ଶ୍ରେଷ୍ଠ ଦଳକୁ ନେଇ ଲଢ଼ିବୁ: କାଶ୍ୟପ

ଚେନ୍ନାଇନ୍‌ ହେଲା ଆଇଏସ୍‌ଏଲ୍‌ ବିଜେତା ଦଳ। ତଥାପି ସେହି ଦଳ ବିପକ୍ଷରେ ଆମେ ଜିତିବା ପାଇଁ ପୁରା ଦମ୍‌ ଲଗେଇଦେବୁ। ସେମାନେ ବିଜେତା ହୋଇଥିବାରୁ ଚାପରେ ରହିବେ। ଆମ ପାଖରେ ଯୁବ ଦଳ ରହିଛି। ଆମେ ଶ୍ରେଷ୍ଠ ଦଳକୁ ପଡ଼ିଆକୁ ଛାଡ଼ିବୁ ବୋଲି ଆଇଜଲ୍‌ ଏଫ୍‌ସିର ମୁଖ୍ୟ ପ୍ରଶିକ୍ଷକ ସନ୍ତୋଷ କାଶ୍ୟପ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଆଇଲିଗ୍‌ରେ ଆମ ଦଳ ପଞ୍ଚମ ସ୍ଥାନରେ ରହି ସିଧାସଳଖ ଯୋଗ୍ୟତା ଅର୍ଜନ କରିଛି। ଆଇଲିଗ୍‌ ଏବଂ ସୁପର କପ୍‌ ଅଲଗା ପ୍ରକାର ପ୍ରତିଯୋଗିତା। ସେଥିରେ ସୁଯୋଗ ଥିଲା। କିନ୍ତୁ ସୁପର କପ୍‌ ଲିଗ୍‌ ଓ ନକ୍‌ଆଉଟ୍‌ ଭିତ୍ତିରେ ଖେଳାଯିବ। ଫଳରେ ବିଜୟ ନିଶ୍ଚିତ ହାସଲ କରିବାକୁ ପଡ଼ିବ ନଚେତ୍‌ ବିଦା। ଏଠାର ପରିବେଶ ଏବଂ ପଡ଼ିଆ ବହୁତ ଭଲ ରହିଛି ବୋଲି କାଶ୍ୟପ କହିଥିଲେ।

ସମ୍ବନ୍ଧିତ ଖବର