ଆଜିଠୁ ଆଇଏସ୍‌ଏଲ୍‌: ପ୍ରଥମ ଥର ୧୦ ଦଳ; ଅବଧି ୪ ମାସ

ଏଟିକେ-କେରଳ ବ୍ଲାଷ୍ଟର୍ସ ଉଦ୍‌ଘାଟନୀ ମୁକାବିଲା କୋଚିରେ ଆରମ୍ଭ; କୋଲ୍‌କାତାରେ ଶେଷ

କୋଚି: ଭିନ୍ନ ଢଙ୍ଗ (ଅଧିକ ଭାରତୀୟ ଖେଳାଳି, ଅଧିକ ଦଳ, ଅଧିକ ମ୍ୟାଚ୍‌ ଏବଂ ଅଧିକ ମାସ)ରେ ଆୟୋଜିତ ହେବାକୁ ଯାଉଥିବା ଚଳିତ ବର୍ଷର ଇଣ୍ଡିଆନ୍‌ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଆସନ୍ତାକାଲିଠାରୁ ଏଠାରେ ଆରମ୍ଭ ହେବାକୁ ଯାଉଛି। ଏସୀୟ ଫୁଟ୍‌ବଲ୍‌ ମହାସଂଘ (ଏଏଫ୍‌ସି) ଦ୍ୱାରା ସ୍ୱୀକୃତି ପାଇଥିବା ଆଇଏସ୍‌ଏଲ୍‌ର ଏହି ସଂସ୍କରଣ ପ୍ରାୟ ୪ ମାସ ଧରି ଚାଲିବ। ଯାହାକି ପୂର୍ବ ତିନି ସଂସ୍କରଣ ସମୟଠାରୁ ଦୁଇ ଗୁଣ ଅଧିକ। ନିକଟରେ ଫିଫା ୧୭ ବର୍ଷରୁ କମ୍‌ ବିଶ୍ୱକପ୍‌କୁ ବୃହତ୍‌ ସଫଳତାର ରୂପ ଦେଇଥିବା କୋଲ୍‌କାତାରେ ଏହି ଚତୁର୍ଥ ସଂସ୍କରଣର ଫାଇନାଲ୍‌ ମ୍ୟାଚ୍‌ ଆସନ୍ତାବର୍ଷ ମାର୍ଚ ୧୭ ତାରିଖରେ ଖେଳାଯିବାକୁ ସ୍ଥିର ହୋଇଥିଲା ବେଳେ ଉଦ୍‌ଘାଟନୀ ମ୍ୟାଚ୍‌ କୋଚିକୁ ସ୍ଥାନାନ୍ତର ହୋଇଛି। ଫଳରେ ଶୁକ୍ରବାର ଉଦ୍‌ଘାଟନୀ ମ୍ୟାଚ୍‌ରେ ପୂର୍ବ ବିଜେତା ଏଟିକେ (ଆଟ୍‌ଲାଟିକୋ ଡି କୋଲ୍‌କାତା) ଓ କେରଳ ବ୍ଲାଷ୍ଟର୍ସ ମୁହାଁମୁହିଁ ହେବେ। ଜବାହରଲାଲ୍‌ ନେହରୁ ଷ୍ଟାଡିୟମ୍‌ରେ ଗତ ସଂସ୍କରଣର ଫାଇନାଲ୍‌ ଖେଳିଥିବା ଏହି ଦୁଇ ଦଳର ମୁକାବିଲା ସହ ଚତୁର୍ଥ ସଂସ୍କରଣ ଆଇଏସ୍‌ଏଲ୍‌ର ଶୁଭାରମ୍ଭ ହେବ। ଗତବର୍ଷ ଏହି ଷ୍ଟାଡିୟମ୍‌ରେ କେରଳ ବ୍ଲାଷ୍ଟର୍ସକୁ ପରାସ୍ତ କରି କୋଲ୍‌କାତା ଦଳ ବିଜେତା ହୋଇଥିଲା। ଏଥର ଯେଉଁ ଦଳ ବିଜେତା ହେବ ସିଏ ସିଧାସଳଖ ଏଏଫ୍‌ସି କପ୍‌ (ୟୁରୋପ୍‌ର ୟୁରୋପା ଲିଗ୍‌ ସହ ତୁଳନୀୟ)କୁ ଯୋଗ୍ୟତା ହାସଲ କରିବ। ପୂର୍ବ ସଂସ୍କରଣ ତୁଳନାରେ ଏଥର ଅଧିକ ୨ ଦଳ ସାମିଲ ହୋଇଛନ୍ତି। ଏଥିରେ ଟାଟା ଗ୍ରୁପ୍‌ ଦ୍ୱାରା ପରିଚାଳିତ ଜାମ୍‌ସେଦ୍‌ପୁର ଫୁଟ୍‌ବଲ୍‌ କ୍ଲବ୍‌ ସଂପୂର୍ଣ୍ଣ ନୂଆ ଥିଲା ବେଳେ ବେଙ୍ଗାଲୁରୁ ଏଫ୍‌ସି ଆଇଲିଗ୍‌ରୁ ଆସିଛି। ଗତ କିଛି ବର୍ଷ ମଧ୍ୟରେ ବେଙ୍ଗାଲୁରୁ ଏଫ୍‌ସି ସବୁଠୁ ସଫଳ ଦଳ ଭାବେ ଆଇଲିଗ୍‌ରେ ୨ ଥର ବିଜେତା ହୋଇଥିଲା ବେଳେ ଥରେ ଉପବିଜେତା ହୋଇଥିଲା। ଏହି ଦୁଇ ଦଳର ସାମିଲ ପରେ ପ୍ରଥମ ଥର ଲାଗି ଆଇଏସ୍‌ଏଲ୍‌ ୮ରୁ ଅଧିକ ଦଳ ଅଂଶ ଗ୍ରହଣ କରିବେ। ପୂର୍ବରୁ ଏହି ଲିଗ୍‌ ୮ ଦଳୀୟ ବିଶିଷ୍ଟ ଥିଲା ବେଳେ ଏଥର ମୋଟ ଦଳ ସଂଖ୍ୟା ୧୦ ରହିଛି।

ସମ୍ବନ୍ଧିତ ଖବର