ବାଜିଲା ବିଶ୍ୱକପ୍‌ ବିଗୁଲ୍‌

ଅବଗଣନା ଆରମ୍ଭ

ଭୁବନେଶ୍ୱର: ହକି ବିଶ୍ୱ ଲିଗ୍‌କୁ ନେଇ ରାଜଧାନୀ ଭୁବନେଶ୍ୱର ସହ ସମଗ୍ର ଓଡ଼ିଶାକୁ ପୁଣି ଥରେ ହକି ଜ୍ୱର ଗ୍ରାସିଛି। ତା’ ଭିତରେ ବୁଧବାର ସଂଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ହକିର ସବୁଠୁ ବଡ଼ ମହୋତ୍ସବ ଅର୍ଥାତ୍‌ ‘ହକି ବିଶ୍ୱକପ’ ଲାଗି ବିଗୁଲ ବାଜିଛି। ଆସନ୍ତାବର୍ଷ ନଭେମ୍ବର ମାସ ୨୮ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍‌ ହକି କଂପ୍ଲେକ୍ସରେ ପ୍ରଥମ ଥର ଲାଗି ଆୟୋଜିତ ହେବାକୁ ଥିବା ହକି ବିଶ୍ୱକପର ଚର୍ତୁଦଶ ସଂସ୍କରଣ ଲାଗି ଆନୁଷ୍ଠାନିକ ଭାବେ ଅବଗଣନା ଆରମ୍ଭ ହୋଇଛି। ବୁଧବାର ସଂଧ୍ୟାରେ ଆୟୋଜିତ ଏକ ରଙ୍ଗା ରଙ୍ଗ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱକପର ୩୬୪ ଦିନିଆ ଅବଗଣନାକୁ ନିଜ କରକମଳରେ ଆରମ୍ଭ କରିଛନ୍ତି। ଏଥିସହ ଓଡ଼ିଶା ହକି ଇତିହାସରେ ଆଉ ଏକ ସୁବର୍ଣ୍ଣ ଫର୍ଦ ଯୋଡ଼ିହେବାର ଶୁଭାରମ୍ଭ ହୋଇଛି। ଚାମ୍ପିଅନ୍ସ ଟ୍ରଫି, ହକି ବିଶ୍ୱ ଲିଗ୍‌ ଏବଂ ବିଶ୍ୱକପ୍‌ ଆୟୋଜନ କରିବାର ନିଆରା ସଫଳତା ଓଡ଼ିଶା ଅର୍ଜନ କରିବାକୁ ଯାଉଛି।

କଳିଙ୍ଗ ଷ୍ଟାଡିୟମ୍‌ର ତିନି ନମ୍ବର ଗେଟ୍‌ ସମ୍ମୁଖରେ ଆୟୋଜିତ ଅବଗଣନା ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପାଇଁ ଗୌରବ ଆଣିଥିବା ୫୯ ଜଣ କ୍ରୀଡ଼ା ତାରକାଙ୍କୁ ୭୬ ଲକ୍ଷ ୭୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ। ଆତସବାଜିର ଚକମକ ଝୁଲରେ ଝଲସୁଥିବା ଆକାଶତଳେ ଏବଂ ହକି ବିଶ୍ୱ ଲିଗ୍‌ ପାଇଁ ବୋହୁ ଭଳି ସଜେଇ ହୋଇଥିବା କଳିଙ୍ଗ ଷ୍ଟାଡିୟମ୍‌ର ମନମତାଣିଆ ପରିବେଶ ଭିତରେ ମୁଖ୍ୟମନ୍ତ୍ରୀ ଇଲେକଟ୍ରୋନିକ୍‌ ଟାଇମରର ସୁଇଜ୍‌ ଚିପି ବିଶ୍ୱକପ୍‌ର ୩୬୪ ଦିନିଆ ଅବଗଣନା ଆରମ୍ଭ କରିଥିଲେ। ସେହିଭଳି ବିଶ୍ୱକପର ଲୋଗୋ ‘ଓଲି’କୁ ମଧ୍ୟ ଉନ୍ମୋଚନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ସଂସ୍କୃତିମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା,ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ୱର ମଧ୍ୟ ବିଧାୟକ ବାଦଲ ମହାନ୍ତି, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ି, ଉନ୍ନୟନ କମିସନର ଆର ବାଲକୃଷ୍ଣ, କ୍ରୀଡ଼ା ସଚିବ ବିଶାଲ ଦେବ, କ୍ରୀଡ଼ା ନିର୍ଦେଶକ ଆର ଭିନିଲକୃଷ୍ଣ, ଭାରତୀୟ ହକି ଦଳର ସମସ୍ତ ସଦସ୍ୟ, ଅଲିମ୍ପିଆନ୍‌ ଅନୁରାଧା ବିଶ୍ୱାଳ, କଳିଙ୍ଗ ଷ୍ଟାଡିୟମ୍‌ କ୍ରୀଡ଼ା ଛାତ୍ରାବାସ ଅନ୍ତେବାସୀ ଏବଂ କ୍ରୀଡ଼ା ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଅନ୍ତର୍ଜାତୀୟ କ୍ରୀଡ଼ା ପାଇଁ ଓଡ଼ିଶା ଏବେ ପ୍ରଥମ ପସନ୍ଦ: ମୁଖ୍ୟମନ୍ତ୍ରୀ

ବୁଧବାର ସଂଧ୍ୟାରେ ଆୟୋଜିତ ହକି ବିଶ୍ୱକପ୍‌ ଅବଗଣନା ଆରମ୍ଭ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ବିଶ୍ୱ ଲିଗ୍‌ରେ ଅଂଶ ଗ୍ରହଣ କରୁଥିବା ୮ଟି ଯାକ ଦଳର ଖେଳାଳିଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ସେହିଭଳି ଓଡ଼ିଶା ଧିରେ ଧିରେ ଅନ୍ତର୍ଜାତୀୟ କ୍ରୀଡ଼ାମାନଚିତ୍ରରେ ନିଜ ସ୍ଥିତି ସୁଦୃଢ଼ କରି ଚାଲିଥିବାରୁ ଖୁସି ଓ ସନ୍ତୋଷ ଜାହିର କରିଥିଲେ। ସେ କହିଥିଲେ ମାତ୍ର କିଛି ମାସ ତଳେ ଓଡ଼ିଶା ସଫଳତାର ସହ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜନ କରିଥିଲା। ଶୁକ୍ରବାରରୁ କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱ ଲିଗ୍‌ ଆରମ୍ଭ ହେଉଛି। ଆସନ୍ତାବର୍ଷ ଆମ ରାଜ୍ୟ ହକି ବିଶ୍ୱକପ୍‌ ଆୟୋଜନ କରିବ। ଏଣୁ ଓଡ଼ିଶା ସଂପ୍ରତି ଦ୍ରୁତ ଗତିରେ ଅନ୍ତର୍ଜାତୀୟ କ୍ରୀଡ଼ାର ପେଣ୍ଠସ୍ଥଳୀ ପାଲଟୁଛି। ଅନ୍ତର୍ଜାତୀୟ କ୍ରୀଡ଼ା ଲାଗି ଓଡ଼ିଶା ସମସ୍ତଙ୍କର ପ୍ରଥମ ପସନ୍ଦ ହୋଇ ଚାଲିଛି। ମୁଖ୍ୟମନ୍ତ୍ରୀ ଶେଷରେ ସମର୍ଥନ ଓ ଭଲପାଇବା ଲାଗି ଓଡ଼ିଶାବାସୀଙ୍କ ସହ ରାଜ୍ୟକୁ ଆସିଥିବା ଖେଳାଳିମାନଙ୍କୁ ଧନ୍ୟବାଦ ଦେଇଥିଲେ।

ଅଭ୍ୟାସରେ ଚମକିଲା ଆର୍ଜେଣ୍ଟିନା

ପ୍ରଥମ ଅଭ୍ୟାସ ମ୍ୟାଚରେ ଆୟୋଜକ ଭାରତଠାରୁ ହାରିଥିବା ବିଶ୍ୱ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଆର୍ଜେଣ୍ଟିନା ଧିରେ ଧିରେ ଲୟକୁ ଫେରୁଛି। ମଙ୍ଗଳବାର ଦ୍ୱିତୀୟ ଅଭ୍ୟାସ ମୁକାବିଲାରେ କୋରିଆକୁ ୨-୦ ଗୋଲ୍‌ରେ ହରାଇଥିବା ଆର୍ଜେଣ୍ଟିନା ବୁଧବାର ଖେଳିଥିବା ତୃତୀୟ ଅଭ୍ୟାସ ମ୍ୟାଚ୍‌ରେ ଇଂଲଣ୍ଡକୁ ସେହି ୨-୦ ବ୍ୟବଧାନରେ ପରାସ୍ତ କରିଛି। ସେହିଭଳି ଅନ୍ୟଏକ ଅଭ୍ୟାସ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ବେଲଜିୟମ ପରାସ୍ତ କରିଥିଲା।

ଅମ୍ପାୟାର ଓ ବିଚାରକ ତାଲିକାରେ ୨ ଭାରତୀୟ

ଭୁବନେଶ୍ୱର ହକି ବିଶ୍ୱ ଲିଗ୍‌ ଫାଇନାଲ୍‌ ଲାଗି ଅନ୍ତର୍ଜାତୀୟ ହକି ମହାସଂଘ ଅମ୍ପାୟାର, ଏବଂ ବିଚାରକ ତାଲିକା ପ୍ରକାଶ କରିଛି। ତାଲିକାରେ ମୋଟ ୨୦ ଜଣ ହକି ବିଶେଷଜ୍ଞ ସ୍ଥାନ ପାଇଥିଲା ବେଳେ ସେଥିରେ ମାତ୍ର ଦୁଇ ଜଣ ଭାରତୀୟ ଅଛନ୍ତି। ଏଥିରେ ଜଣେ ଲେଖାଏଁ ବୈଷୟିକ ପ୍ରତିନିଧି ଓ ବୈଷୟିକ ଅଧିକାରୀ, ୩ ଜଣ ବିଚାରକ, ଜଣେ ସ୍ୱାସ୍ଥ୍ୟ ଅଧିକାରୀ, ଦୁଇ ଜଣ ଅମ୍ପାୟାର ପ୍ରବନ୍ଧକ ଓ ଜଣେ ଭିଡିଓ ଅମ୍ପାୟାର ଅଛନ୍ତି। ଅନ୍ୟପକ୍ଷରେ ମୋଟ ୧୧ ଜଣ ଅମ୍ପାୟାର ସ୍ଥାନ ପାଇଛନ୍ତି। ତାଲିକାରେ ସ୍ଥାନ ପାଇଥିବା ଦୁଇ ଜଣ ଭାରତୀୟ ହେଲେ ମହମ୍ମଦ ମୁନିର (ବିଚାରକ) ଓ ସେଖ୍‌ ଜାଭେଦ (ଅମ୍ପାୟାର)। ତାଲିକା: ବୈଷୟିକ ପ୍ରତିନିଧି-ଆଲଫ୍ରେଡ୍‌ ଚାନ୍‌ (ହଂକଂ)। ବୈଷୟିକ ଅଧିକାରୀ-ମାଥଭନ ଦେବଦାସ (ସିଙ୍ଗାପୁର)। ବିଚାରକ- ଆଡ୍ରିଆନ୍‌ ଡେଲା ମାତିଆ (ଆର୍ଜେଣ୍ଟିନା), କୋସିକୋ ରିୟୁଚି (ଜାପାନ), ମହମ୍ମଦ ମୁନିର (ଭାରତ)। ସ୍ୱାସ୍ଥ୍ୟ ଅଧିକାରୀ-ଜେନ୍‌ ଗେମିଂ (ନ୍ୟୁଜିଲାଣ୍ଡ)। ଅମ୍ପାୟାର ପ୍ରବନ୍ଧକ- କୁରାନ ରେଡ୍‌ (ସ୍କଟଲାଣ୍ଡ), ଷ୍ଟିଭ୍‌ ହର୍ଗାନ୍‌ (ଆମେରିକା)। ଭିଡିଓ ଅମ୍ପାୟାର-ଭାନ୍‌ ବଙ୍ଗ କୋଏନ୍‌ (ନେଦରଲାଣ୍ଡ)। ଅମ୍ପାୟାର- ଅନବା ନାଥନ ରାଓ୍ଵି (ମାଲେସିଆ), ଡିଏଗୋ ବାର୍ବାସ୍‌ (ଆର୍ଜେଣ୍ଟିନା), ବାର୍‌ଷ୍ଟୋ ଡାନ୍‌ (ଇଂଲଣ୍ଡ), ଚେନ୍‌ ଡେକାଙ୍ଗ (ଚୀନ), ଡି ୟଙ୍ଗ ବେନ୍‌ (ଅଷ୍ଟ୍ରେଲିଆ), ବେନ୍‌ ଗୋଏଣ୍ଟଜେନ୍‌ (ଜର୍ମାନି), ଗ୍ରୋଚାଲ ମାର୍ସିନ (ପୋଲାଣ୍ଡ), ଏଡୁଆର୍ଡୋ ଲିଜାନା (ସ୍ପେନ୍‌), ମାର୍ଟିନ୍‌ ମାର୍ଡେନ୍‌ (ସ୍କଟଲାଣ୍ଡ), ସିଏନ୍‌ ରାପାପୋର୍ଟ (ରୁଷିଆ) ଓ ସେଖ୍‌ ଜାଭେଦ୍‌ (ଭାରତ)।

ନୂଆ ଭୂମିକାରେ ରାଜିନ ଓ ନିଶାନ

ହକି ବିଶ୍ୱ ଲିଗ୍‌ ରାଜ୍ୟର ଦୁଇ ଉଦୀୟମାନ ହକି ଅମ୍ପାୟାର ରାଜିନ ଏକ୍କା ଏବଂ ନିଶାନ ଜ୍ୟୋତି ମହାନ୍ତିଙ୍କ ପାଇଁ ନୂଆ ସମ୍ଭାବନା ଭାବେ ଉଭା ହୋଇଛି। ଉଭୟ ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାର ଅଭ୍ୟସ ମ୍ୟାଚ୍‌ଗୁଡ଼ିକରେ ବୈଷୟିକ ସହକାରୀ ଏବଂ ଅମ୍ପାୟାର ଦାୟିତ୍ୱ ତୁଲାଇ ନୂଆ ଅଭିଜ୍ଞତା ସାଉଣ୍ଟି ଚାଲିଛନ୍ତି। ଏହି ଅଭିଜ୍ଞତା ଆସନ୍ତା ସମୟରେ ସେମାନଙ୍କୁ ବେଶ୍‌ ସହାୟକ ହେବ ବୋଲି ଉଭୟ ମତ ରଖିଛନ୍ତି। ତା’ ଛଡ଼ା ଆସନ୍ତା ମାସ ୧୧ ତାରିିଖରୁ ଆରମ୍ଭ ହେବାକୁ ଯାଉଥିବା ୫୨ତମ ସର୍ବଭାରତୀୟ ବମ୍ବେ ଗୋଲ୍‌ଡ କପ୍‌ ହକି ପ୍ରତିଯୋଗିତାରେ ରାଜିନଙ୍କୁ ଅମ୍ପାୟର ଭାବେ ନିଯୁକ୍ତି ମିଳିଛି। ଏହି ପ୍ରତିଯୋଗିତା ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।

ଅମିତ୍‌, ଦୀପ୍‌ସାନ୍‌ଙ୍କୁ ଡରିଲେ ଡିକ୍ସନ୍‌

ଇଂଲଣ୍ଡ ହକି ଦଳର ମଧ୍ୟଭାଗ ଖେଳାଳି ଆଦମ ଡିକ୍ସନ୍‌ ହକି ବିଶ୍ୱ ଲିଗ୍‌ରେ ଭାରତୀୟ ଦଳରେ ଥିବା ଦୁଇ ଯୁବ ତାରକା ଅମିତ ରୋହିଦାସ ଏବଂ ଦୀପସାନ ତିର୍କିଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ନିଜ ଦଳକୁ ସତର୍କ କରିଦେଇଛନ୍ତି। ଗ୍ରୁପ୍‌-ବିରେ ଥିବା ଇଂଲଣ୍ଡ ଏବଂ ଭାରତ ରବିବାର ଭେଟାଭେଟି ହେବେ। ୨୮ ବର୍ଷୀୟ ଡିକ୍ସନ୍‌ କଳିଙ୍ଗ ହକି ଇଣ୍ଡିଆ ଲିଗ୍‌ (ହିଲ୍‌)ରେ ଏହି ଦୁଇ ଓଡ଼ିଆ ତାରକାଙ୍କ ସହ କଳିଙ୍ଗ ଲାନ୍ସର୍ସ ଦଳରେ ଖେଳିଥିଲେ। ମୁଁ ଦୀପ୍‌ସାନ୍‌ ଏବଂ ଅମିତଙ୍କ ସହ ଏକାଠି ଖେଳିଛି। ଏମାନଙ୍କ ପରାକ୍ରମ ମଧ୍ୟ ଦେଖିଛି। ଏଥିପାଇଁ ଏହି ଦୁଇ ଜଣଙ୍କ ଉପରେ ନଜର ରଖି ଖେଳିବାକୁ ଆମ ଦଳକୁ ଚେତାଇ ଦେଇଛି ବୋଲି ବୁଧବାର ଡିକ୍ସନ୍‌ କହିଛନ୍ତି। ଅମିତ ହିଲ୍‌ରେ ଚମତ୍କାର ଖେଳି ଜାତୀୟ ଦଳକୁ ଫେରିଥିଲା ବେଳେ ଦୀପସାନ କନିଷ୍ଠ ବିଶ୍ୱକପ୍‌ରେ ହରମନପ୍ରୀତ୍‌ଙ୍କ ସହ ମିଶି ଭାରତୀୟ ରକ୍ଷଣ ଭାଗକୁ ସମ୍ଭାଳିଥିଲେ। ଉପଅଧିନାୟକ ଦୀପସାନ କନିଷ୍ଠ ବିଶ୍ୱକପ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଭାରତକୁ ବିଜେତା କରିବାରେ ମୁଖ୍ୟ ଭୂମିକା ତୁଲାଇଥିଲେ। ‘ହିଲ୍‌’ ସମୟରେ ମୁଁ ଏହି ଦୁହିଁଙ୍କ ସହ ଅତି ନିକଟତର ଥିଲି। ଏମାନଙ୍କ ଶ୍ରେଷ୍ଠତ୍ୱ ବଳରେ ଆମେ ଟ୍ରଫି ଜିତିଥିଲୁ। ଏବେ ମୁଁ ଏମାନଙ୍କ ବିପକ୍ଷରେ ଖେଳିବାକୁ ଚାତକ ପରି ଚାହିଁ ରହିଛି ବୋଲି କହିଛନ୍ତି ୨୦୫ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ଏହି ବ୍ରିଟେନ୍‌ ତାରକା।

ସମ୍ବନ୍ଧିତ ଖବର