ରାଜ୍ୟ ତୀରନ୍ଦାଜି ପ୍ରତିଯୋଗିତା ୧୯ରୁ, ଉତ୍କର୍ଷ କେନ୍ଦ୍ର ଖୋଲିବାକୁ ସରକାରଙ୍କୁ ରାଜ୍ୟ ସଂଘର ଗୁହାରି

କଟକ: ଓଡ଼ିଶା ତୀରନ୍ଦାଜି ସ˚ଘ ଆନୁକୂଲ୍ୟରେ ୨୨ତମ ରାଜ୍ୟ ତୀରନ୍ଦାଜି ପ୍ରତିଯୋଗିତା ଶୁକ୍ରବାରଠୁ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେବ। ଜାତୀୟ ପ୍ରତିଯୋଗିତା ପାଇଁ ଏଠାରୁ ରାଜ୍ୟ ଦଳ ଚୟନ କରାଯାଇ ପ୍ରଶିକ୍ଷଣ ଦିଆଯିବ। ରାଜ୍ୟ ପ୍ରତିଯୋଗିତାରେ ଇଣ୍ଡିଆନ୍‌, ରିକର୍ଭ ଓ କମ୍ପାଉଣ୍ଡ ବିଭାଗରେ କ୍ରୀଡ଼ାବିତ୍‌ମାନେ ପ୍ରତିଦ୍ବନ୍ଦ୍ବିତା କରିବେ। ତିନିଦିନିଆ ଏହି ପ୍ରତିଯୋଗିତାରେ ଶିଶୁ, ମିନି, ଉପକନିଷ୍ଠ, କନିଷ୍ଠ ଓ ବରିଷ୍ଠ ବିଭାଗରେ ପ୍ରତିଦ୍ବନ୍ଦ୍ବିତା ହେବ। ପ୍ରତିଯୋଗିତା ପାଇଁ ପାଖାପାଖି ୨୫୦ ଜଣ ପ୍ରତିଯୋଗୀ ନାମ ପଞ୍ଜୀକରଣ କରିସାରିଛନ୍ତି। ଖେଳାଳିମାନଙ୍କ ଲାଗି ବାରବାଟୀ ଷ୍ଟାଡିୟମରେ ରହିବା ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଦିନ ଖେଳାଳିମାନେ ବ୍ୟବହାର କରୁଥିବା ସ୍ଥାନକୁ ବିଶୋଧନ କରାଯିବ। ଏଥିସହିତ କୋଭିଡ୍‌-୧୯ର ନିୟମାବଳୀ ମଧ୍ୟରେ ଆସୁଥିବା ମାସ୍କ ପରିଧାନ ଓ ସାମାଜିକ ଦୂରତା ଇତ୍ୟାଦି ନିୟମକୁ ମଧ୍ୟ କଡ଼ାକଡି ଭାବେ ପାଳନ କରାଯିବ। ଅନ୍ୟପକ୍ଷରେ ରାଜ୍ୟ କ୍ରୀଡ଼ା ଛାତ୍ରାବାସରେ ଯଦିଓ ତୀରନ୍ଦାଜି ସାମିଲ ହୋଇଛି। କିନ୍ତୁ ଉତ୍କର୍ଷ କେନ୍ଦ୍ର ଖୋଲାଯିବା ପାଇଁ ଦୀର୍ଘଦିନର ଦାବି ଏପର୍ଯ୍ୟନ୍ତ ପୂରଣ ହୋଇପାରିନାହିଁ।

କେବଳ ଏତିକି ନୁହେଁ କେବିକେ ଅନ୍ତର୍ଗତ ୮ଟି ତୀରନ୍ଦାଜି କେନ୍ଦ୍ରରୁ ୬ଟି କେନ୍ଦ୍ର ବନ୍ଦ ହୋଇଯାଇଛି। ଯାହାଫଳରେ ତୃଣମୂଳସ୍ତରରୁ ପ୍ରତିଭା ଚିହ୍ନଟ ଠିକ୍‌ ଭାବେ ହୋଇପାରୁନଥିବାରୁ ଅନେକ ପ୍ରତିଭା ସମ୍ପନ୍ନ ଖେଳାଳି ସାମ୍ନାକୁ ଆସିପାରୁନଥିବା ରାଜ୍ୟ ସଂଘ ଅଭିଯୋଗ କରିଛି। ତେଣୁ ବନ୍ଦ ହୋଇଯାଇଥିବା କେନ୍ଦ୍ରଗୁଡ଼ିକୁ ଖୋଲିବା ପାଇଁ ସରକାର ପଦକ୍ଷେପ ନେବାକୁ ବୁଧବାର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସ˚ଘ ସମ୍ପାଦକ ଶ୍ରଦ୍ଧାନନ୍ଦ ଦାସ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ରବି ପଟ୍ଟନାୟକ, ଶ୍ରୀଧର ଦାସ, ଯୁଗ୍ମ ସମ୍ପାଦକ ଗଣେଶ୍ବର ସେଠୀ, କାଉନସିଲ ସଦସ୍ୟ ସମୀକ୍ଷାନନ୍ଦ ଦାସ, ହୃଦୟର˚ଜନ ବେହେରା, କୋଷାଧ୍ୟକ୍ଷ ସୁଘୋଷ ଦାସ, ପ୍ରଶିକ୍ଷକ ରାଜେଶ ହାଁସଦାକ୍‌ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର