ରାଜ୍ୟ ଦୌଡ଼କୁଦ: କଟକ ଦଳଗତ ବିଜେତା

ତିନି ଦିନରେ ୯ କୀର୍ତିମାନ

କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଛି। ତିନିଦିନ ଧରି ଆୟୋଜିତ ଏହି ପ୍ରତିଯୋଗିତାରେ ମୋଟ ୯ କୀର୍ତିମାନ ସ୍ଥାପନ ହୋଇଛି। ପ୍ରଥମ ଦିନରେ ୧, ଦ୍ବିତୀୟ ଦିନରେ ୫ ପରେ ରବିବାର ଶେଷ ଦିନରେ ଆଉ ୩ କୀର୍ତିମାନ ହୋଇଛି। ଶେଷ ଦିନରେ ୩ହଜାର ମିଟର ଷ୍ଟିପଲ ଚେଜ୍‌ରେ ରଶ୍ମିତା ମହାନ୍ତି ନୂଆ ମିଟ୍‌ କୀର୍ତିମାନ ସହ ରାଜ୍ୟ କୀର୍ତିମାନ ମଧ୍ୟ କରିଛନ୍ତି। ସେ ୧୨:୪୧.୭ ସେକେଣ୍ତ ସମୟ ନେଇ ଏହି କୀର୍ତିମାନ କରିଥିଲେ। ପୂର୍ବରୁ ମିଟ୍‌ କୀର୍ତିମାନ ୧୩:୧୩.୫ ସେକେଣ୍ତ ଓ ରାଜ୍ୟ କୀର୍ତିମାନ ୧୩:୩୧.୩ ସେକେଣ୍ତ (ରୋଜାଲିନ୍‌ ବସ୍ତିଆ, ୨୦୦୬) ରହିଥିଲା। ମହିଳା ହାମର ଥ୍ରୋରେ ଦିବ୍ୟ ସାଣ୍ତିଲ୍ୟ ପୁରୁଣା ରେକର୍ଡ ୪୮.୩୨ ମିଟରକୁ ଅତିକ୍ରମ କରି ୫୦.୮୫ ମିଟର ସହ କୀର୍ତିମାନ କରିଛନ୍ତି। ୧୬ ବର୍ଷରୁ କମ୍‌ ବାଳକ ହାମର ଥ୍ରୋରେ ମୋହିତ ନାରାୟଣ ସାଣ୍ତିଲ୍ୟ ୩୮.୬ ମିଟରରେ କୀର୍ତିମାନ କରିଛନ୍ତି। ପୂର୍ବରୁ ଏହି କୀର୍ତିମାନ ୩୫.୨୦ ମିଟର ରହିଆସିଥିଲା। ଅନ୍ୟପକ୍ଷରେ ଦଳଗତ ଭାବେ କଟକ ସର୍ବାଧିକ ୬୨୪ ପଏଣ୍ଟ ପାଇ ବିଜେତା ହୋଇଥିଲା ବେଳେ ସୁନ୍ଦରଗଡ଼ (୩୭୨ ପଏଣ୍ଟ) ଉପବିଜେତା ହୋଇଛି। ଅନ୍ୟ ବୟସବର୍ଗ ଦଳଗତରେ ୧୬ ବର୍ଷରୁ କମ୍‌ ବାଳକ (୫୫), ୧୮ ବର୍ଷରୁ କମ୍‌ ବାଳକ (୬୮), ୨୦ ବର୍ଷରୁ କମ୍‌ ବାଳିକା (୧୧୦) ଓ ବାଳକ (୮୩), ମହିଳା (୭୬) ବିଭାଗରେ କଟକ ବିଜେତା ହୋଇଛି। ସେହିପରି ୧୪ ବର୍ଷରୁ କମ୍‌ ବାଳିକା (୪୫), ୧୬ ବର୍ଷରୁ କମ୍‌ ବାଳିକା (୫୯), ୧୮ ବର୍ଷରୁ କମ୍‌ ବାଳିକା (୮୦) ରେ ସୁନ୍ଦରଗଡ଼ ବିଜେତା ହୋଇଥିଲା। ଏହାଛଡ଼ା ୧୪ ବର୍ଷରୁ କମ୍‌ ବାଳକରେ ଭୁବନେଶ୍ବର ୨୬ ପଏଣ୍ଟ ଓ ପୁରୁଷରେ ଓଡ଼ିଶା ପୁଲିସ୍‌ ୧୧୦ ପଏଣ୍ଟ ପାଇଥିଲେ। ଉଦ୍‌ଯାପନୀ ସମାରୋହରେ ପୁଲିସ୍‌ କମିସନର ସତ୍ୟଜିତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଦୌଡ଼କୁଦ ସ˚ଘ ସମ୍ପାଦକ ଆଶୀର୍ବାଦ ବେହେରା, ଯୁଗ୍ମ ସମ୍ପାଦକ ଅଶୋକ ସାହୁ, ରବି ନାୟକ, ଉପ ସଭାପତି ଦୁଲାଲ ଚନ୍ଦ୍ର ପ୍ରଧାନ, ଦୁର୍ଗାମାଧବ ନାଏକ, ଭାରତୀୟ ଦୌଡ଼କୁଦ ମହାସ˚ଘ ଯୁଗ୍ମ ସମ୍ପାଦକ ଅଧୀପ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର