ଭୁବନେଶ୍ବର : ସ୍ଥାନୀୟ କିଟ୍‌ ଓ କିସ୍‌ସ୍ଥିତ ଦୂତି ଚାନ୍ଦ ଦୌଡ଼କୁଦ ଷ୍ଟାଡିୟମରେ ଚାଲିଥିବା ୬୯ତମ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାରେ ଶନିବାର ଅନେକ କୀର୍ତ୍ତିମାନ ହୋଇଛି। ବରଗଡ଼ର ମହିଳା ଟ୍ରିପଲ୍‌ ଜମ୍ପର ସୁରସ୍ମିତା ବାଗର ନୂଆ ରାଜ୍ୟ କୀର୍ତ୍ତିମାନ କରିଥିଲେ। ତାଙ୍କ ସହ ୮ଟି ନୂଆ ମିଟ୍‌ କୀର୍ତ୍ତିମାନ ମଧ୍ୟ ଶନିବାର ପ୍ରତିଷ୍ଠା ହୋଇଛି। ସୁରସ୍ମିତା ୧୧.୮୧ ମିଟର ଡେଇଁ ପୂର୍ବ କୀର୍ତ୍ତିମାନ ୧୧.୭୯ ମିଟରକୁ ଡେଇଁବା ସହ ସ୍ବର୍ଣ୍ଣ ପଦକ ଜିତିଥିଲେ।

Advertisment

୨୦ ବର୍ଷରୁ କମ୍‌ ବାଳକ ପୋଲ୍‌ଭୋଲ୍ଟରେ ଦୁର୍ଗା ଚରଣ କିସ୍‌କୋ (୩.୭୦ ମିଟର), ବାଳିକା ଟ୍ରିପଲ୍‌ ଜମ୍ପ୍‌ରେ ମେରି ମୁକ୍ତା ସୋରେଙ୍ଗ (୧୧.୯୨ ମିଟର), ୧୬ ବର୍ଷରୁ କମ୍‌ ହେକ୍ସାଥଲନରେ ସନାତନ ପୂର୍ତ୍ତି (୩୪୧୫ ପଏଣ୍ଟ), ବାଳିକା ୩୦୦ ମିଟର ଦୌଡ଼ରେ ତୁଳସୀ ବାଗ (୪୫.୭୦ ସେକେଣ୍ଡ), ୨୩ ବର୍ଷରୁ କମ୍‌ ବାଳକ ପୋଲ୍‌ଭୋଲ୍ଟରେ ଦେବରାଜ ସିଂହ (୨.୯୬ ମିଟର), ବାଳିକା ୪୦୦ ମିଟର ବାଧାଦୌଡ଼ରେ ଜିତା ପାତ୍ର (୨:୧୨.୬ ସେକେଣ୍ଡ), ୧୪ ବର୍ଷରୁ କମ୍‌ ବାଳିକା ୬୦ ମିଟର ‌‌ଦୌଡ଼ରେ କବିତା ମହନ୍ତ (୮.୧୦ ସେକେଣ୍ଡ), ବାଳକରେ ସୁରେଶ କୃଷିକା (୭.୫୦ ସେକେଣ୍ଡ) ସ୍ବର୍ଣ୍ଣ ସହ ନୂଆ ମିଟ୍‌ କୀର୍ତ୍ତିମାନ କରିଥିଲେ। ଲୁକୁ ବଡ଼ନାଏକ, ଅଭିଷେକ ରାଜ, ଅଭିଷେକ ନାୟକ, ଜୟରାମ ଭାତ୍ରା, ପିଙ୍କି ପ୍ରିୟଦର୍ଶୀ, ପଙ୍କଜ ମଣ୍ଡଳ, ସୁରେନ୍ଦ୍ର ସାନ୍ତା, ସନ୍ତୋଷ କୁମାର ବେହେରା, ଅନମୋଲ କେର୍କେଟା, କବିତା ମହନ୍ତ, ରୀତ ବାରିକ, ପୂରବୀ ପାଢ଼ୀ, ଅମିଷା ତିର୍କି, ରାମେଶ୍ବରୀ ଗୋଣ୍ଡ, ନିଶା ବାରିକ, ପ୍ରୀତିପ୍ରିୟଙ୍କା ଲାକ୍ରା, ଅଙ୍କିତା ମହାପାତ୍ର, ରାଜେଶ୍ବରୀ ସିଂହ, ପିଙ୍କି ସାହୁ, ଲିଜାରାଣୀ ନାୟକ, ନେତ୍ରମଣି ସିଂହ, ଅର୍ପିତା ପରିଡ଼ା, ବିଘ୍ନରାଜ ମରିଡିଆ, ପର୍ଶୁରାମ ସାମଲ, ମିତାଲି ମଲ୍ଲିକ ଓ ପାର୍ବତୀ ସେଠୀ ନିଜ ନିଜ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ମହିଳା ଡିସକସ୍‌ରେ ସ୍ବର୍ଣ୍ଣ ପଦକ ଜିତିବା ପରେ ଅନ୍ତର୍ଜାତୀୟ ଆଥଲେଟ୍‌ ପାର୍ବତୀ ସେଠୀ ରାଜ୍ୟ ପ୍ରତିଯୋଗିତାରୁ ଅବସର ଘୋଷଣା କରିଛନ୍ତି।