ରାଜ୍ୟ ଦୌଡ଼କୁଦ: କଟକ ବିଜେତା, ଦୂତି ଓ ଆର୍ଯ୍ୟନ ଶ୍ରେଷ୍ଠ

ଭୁବନେଶ୍ବର: କିଟ୍‌-କିସ୍‌ ବିଶ୍ବବିଦ୍ୟାଳୟ ଆଥ୍‌ଲେଟିକ୍ସ ଟ୍ରାକ୍‌ରେ ଚାଲିଥିବା ୬୮ତମ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତା ସୋମବାର ଶେଷ ହୋଇଛି। କଟକ ସର୍ବାଧିକ ୫୭୦ ପଏଣ୍ଟ୍‌ ସହ ଦଳଗତ ବିଜେତା ହୋଇଥିବା ବ‌େଳେ ଭୁବନେଶ୍ବର ୨୬୦ ପଏଣ୍ଟ୍‌ ସହ ଉପବିଜେତା ହୋଇଛି। ପୁରୁଷ ଓ ମହିଳା ସହିତ ମୋଟ ୯ଟି ବର୍ଗରେ କଟକ ସର୍ବାଧିକ ପଏଣ୍ଟ୍‌ ପାଇଥିଲା। ଭୁବନେଶ୍ବର କେବଳ ୧୪ ବର୍ଷରୁ କମ୍ ବାଳିକା ଏବଂ ୧୬ ବର୍ଷରୁ କମ୍‌ ବାଳକରେ ଶ୍ରେଷ୍ଠ ହୋଇଛି। ଜଗତସିଂହପୁର ୧୪ ବର୍ଷରୁ କମ୍‌ ବାଳିକାରେ ବିଜେତା ହୋଇଥିଲା। ବ୍ୟକ୍ତିଗତ ଭାବେ ଦୂତି ଚାନ୍ଦ (୧୦୫୨ ପଏଣ୍ଟ୍‌) ଏବଂ ଆର୍ଯ୍ୟନ ଏକ୍କା (୧୦୦୨) ଯଥାକ୍ରମେ ଶ୍ରେଷ୍ଠ ମହିଳା ଓ ପୁରୁଷ କ୍ରୀଡ଼ାବିତ ସମ୍ମାନ ପାଇଥିଲେ।

୪ ଦିନିଆ ଏହି ପ୍ରତିଯୋଗିତାରେ ମୋଟ ୧୨ ନୂଆ କୀର୍ତ୍ତିମାନ ପ୍ରତିଷ୍ଠା ହୋଇଛି। ସୋମବାର ଶେଷ ଦିନରେ ପୁରୁଷ ୫୦୦୦ ମିଟରରେ ଓଡ଼ିଶା ପୁଲିସର ଅଶୋକ ଦଣ୍ଡସେନା (୩୧:୨୪.୬) ରାଜ୍ୟ କୀର୍ତ୍ତିମାନ ପ୍ରତିଷ୍ଠା କରିଥିବା ବେଳେ ୧୦୦ ମିଟର ମହିଳାରେ କିଟ୍‌ର ଦୂତି ଚାନ୍ଦ (୨୩.୭ ସେକେଣ୍ଡ୍‌), ୨୦ ବର୍ଷରୁ କମ୍‌ ବାଳକ ୨୦୦ ମିଟର ଦୌଡ଼ରେ ଭୁବନେଶ୍ବରର ଆର୍ଯ୍ୟନ ଏକ୍କା (୨୨.୦ ସେକେଣ୍ଡ୍‌), ୧୮ ବର୍ଷରୁ କମ୍‌ ବାଳିକା ସଟ୍‌ପୁଟ୍‌ରେ କଟକର ଆଂଶିକା ରାଉତରାୟ (୧୧.୭୫ ମିଟର୍‌), ୨୦ ବର୍ଷରୁ କମ୍‌ ବାଳିକା ଟ୍ରିପଲ୍ ଜମ୍ପ୍‌ରେ ସୁନ୍ଦରଗଡ଼ର ମାରି ମୁକ୍ତା ସୋରେଙ୍ଗ୍ (୧୧.୪୯ ମିଟର୍‌) ମିଟ୍‌ ରେକର୍ଡ କରିଥିଲେ। ସାଇ ଇଣ୍ଟରନ୍ୟାସନାଲ୍‌ର ବ୍ରାଣ୍ଡ୍‌ ଭାବେ ଖେଳୁଥିବା ଆଂଶିକା ୨୦୧୫ ମସିହାରୁ ବିଭିନ୍ନ ବୟସ ବର୍ଗରେ ରାଜ୍ୟ କୀର୍ତ୍ତିମାନ କରି ଆସୁଛନ୍ତି। ଆଂଶିକାର ମା’ ଓ ପ୍ରଶିକ୍ଷକ ଭାବେ ଗର୍ବିତ ବୋଲି କହିଛନ୍ତି ଅଲିମ୍ପିଆନ୍ ଅନୁରାଧା ବିଶ୍ବାଳ।

ଉଦ୍‍ଯାପନୀ ଉତ୍ସବରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ଓଡ଼ିଶା ଦୌଡ଼କୁଦ ସଂଘ ସମ୍ପାଦକ ଆଶୀର୍ବାଦ ବେହେରା, ସଭାପତି ଜି. ଶ୍ରୀନିବାସ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ଅଶୋକ ସାହୁ, ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଯୁଗ୍ମ ସଚିବ ଶୈଳେନ୍ଦ୍ର ଜେନା ଓ ଓଡ଼ିଶା ଅଲିମ୍ପିକ୍‍ ସଂଘ ସମ୍ପାଦକ ଅଭିଜିତ ପାଲ ପ୍ରମୁଖ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।

ସମ୍ବନ୍ଧିତ ଖବର