ରାଜ୍ୟ ବ୍ୟାଡ୍‌ମିଣ୍ଟନ୍‌ ଉଦ୍‌ଯାପିତ: ସ୍ମୃତି, ତହସିଫ୍‌ ବିଜେତା

ପୁରୁଷ ଯୁଗଳରେ ଅବିନାଶ-ଆୟୂଷ, ମହିଳା ଯୁଗଳରେ ପ୍ରଗତି-ବିଶାଖା

ବାରିପଦା: ବାରିପଦା ଇନ୍‌ଡୋର ଷ୍ଟାଡିୟମ୍‌ରେ ଆୟୋଜିତ ଚାରି ଦିନିଆ ରାଜ୍ୟସ୍ତରୀୟ ବରିଷ୍ଠ ବ୍ୟାଡମିଣ୍ଟନ୍‌ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ମୟୂରଭଞ୍ଜ ଜିଲ୍ଲା ବ୍ୟାଡମିଣ୍ଟନ୍‌ ସଂଘ ଉନ୍ନୟନ ସମିତି ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାର ମହିଳା ଏକକ ବର୍ଗରେ କଟକର ସ୍ମୃତି ସ୍ୱାଇଁ ବିଜେତା ହୋଇଛନ୍ତି। ସ୍ମୃତି ଭୁବନେଶ୍ବରର ହର୍ଷିତା ରାଉତଙ୍କୁ ୨୧-୧୭, ୨୫-୨୩ ସେଟ୍‌ରେ ପରାସ୍ତ କରିଥିଲେ। ପୁରୁଷ ଏକକରେ ସମ୍ବଲପୁରର ତହସିଫ୍‌ ଖାନ ଭୁବନେଶ୍ବରର ସ୍ବାଧୀନ ଗୌଡ଼ାଙ୍କୁ ୨୧-୫, ୧୮-୨୧ ଓ ୨୧-୧୧ ସେଟ୍‌ରେ ପରାସ୍ତ କରି ବିଜେତା ହୋଇଛନ୍ତି। ପୁରୁଷ ଯୁଗଳରେ ଅନଗୁଳର ଅବିନାଶ ମହାନ୍ତି ଓ ମୟୂରଭଞ୍ଜର ଆୟୂଷ ପଟ୍ଟନାୟକ ବାଜି ମାରିଛନ୍ତି। ଅବିନାଶ ଓ ଆୟୂଷଙ୍କ ଯୋଡ଼ି ଭୁବନେଶ୍ବରର ଅଜିତ କୁମାର ମହାନ୍ତି ଓ ପ୍ରମୋଦ କୁମାର ରଣାଙ୍କ ଯୋଡ଼ିକୁ ୨୧-୬, ୨୧-୮ ସେଟ୍‌ରେ ପରାସ୍ତ କରି ଏକପାଖିଆ ବିଜୟ ଲାଭ କରିଥିଲେ। ମହିଳା ଯୁଗଳରେ ଯାଜପୁରର ପ୍ରଗତି ପରିଡ଼ା ଓ ସୁନ୍ଦରଗଡ଼ର ବିଶାଖା ଟପ୍ପୋ ବିଜେତା ହୋଇଛନ୍ତି।

ଏହି ଯୋଡ଼ି କଟକର ସ୍ମୃତି ସ୍ବାଇଁ ଓ ଭୁବନେଶ୍ବରର ହର୍ଷିତା ରାଉତଙ୍କୁ ୧୭-୨୧, ୨୨-୨୦ ଓ ୨୧-୧୮ ସେଟ୍‌ରେ ପରାସ୍ତ କରିଥିଲେ। ସ୍ମୃତି ମହିଳା ଏକକରେ ବିଜେତା ହୋଇଥିବାବେଳେ ହର୍ଷିତା ଉପବିଜେତା ହୋଇଥିଲେ। କିନ୍ତୁ ଯୁଗଳରେ ଏହି ଯୋଡ଼ି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ମିଶ୍ରିତ ଯୁଗଳରେ ଅନଗୁଳର ଅବିନାଶ ମହାନ୍ତି ଓ ଅନୁଜା ଦାସମହାପାତ୍ର ମୟୂରଭଞ୍ଜର ଆୟୂଷ ପଟ୍ଟନାୟକ ଓ ସମ୍ବଲପୁରର ପୂର୍ବା ପ୍ରତ୍ୟାଷା ପଣ୍ଡାଙ୍କୁ ପରାସ୍ତ କରି ବିଜେତା ଆଖ୍ୟା ଅର୍ଜନ କରିଥିଲେ। ଅବିନାଶ ଓ ଅନୁଜା ଏବଂ ଆୟୂଷ ଓ ପୂର୍ବା ପ୍ରତ୍ୟାଷାଙ୍କ ମଧ୍ୟରେ ଏହି ମ୍ୟାଚ୍‌ଟି ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଉଦ୍‌ଯାପନୀ ଉତ୍ସବରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ବିଶିଷ୍ଟ ସମାଜସେବୀ ମୁରାରୀ ଶର୍ମା(ଚାଚା), ଗିରୀଶ ଚନ୍ଦ୍ର ଦାସ ଏବଂ ଜିଲ୍ଲା ବ୍ୟାଡ୍‌ମିଣ୍ଟନ ସଂଘର ସଭାପତି କୃଷ୍ଣାନନ୍ଦ ମହାନ୍ତି ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ବିଜେତା ଓ ଉପବିଜେତା ଖେଳାଳିଙ୍କୁ ପୁରସ୍କୃତ କରାଯାଇଥିଲା।

ଏକକ ବର୍ଗରେ ବିଜେତା ଖେଳାଳିଙ୍କୁ ଟ୍ରଫି ସହିତ ୬ହଜାର ଅର୍ଥରାଶି ଏବଂ ଉପବିଜେତାଙ୍କୁ ଟ୍ରଫି ସହିତ ୪ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା। ଯୁଗଳ ବର୍ଗରେ ବିଜେତା ଖେଳାଳିଙ୍କୁ ଟ୍ରଫି ସହିତ ୮ହଜାର ଟଙ୍କା ଏବଂ ଉପବିଜେତାଙ୍କୁ ଟ୍ରଫି ସହିତ ୫ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଗତମାସ ୨୮ରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ୩୦ ଜିଲ୍ଲାର ୧୩୫ଜଣ ପୁରୁଷ ଏବଂ ମହିଳା ଖେଳାଳି ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରୁ ଜାତୀୟ ପ୍ରତିଯୋଗିତା ନିମନ୍ତେ ଖେଳାଳି ଚୟନ ହେବା ସହିତ କୃତି ଖେଳାଳିଙ୍କୁ ରୢାଙ୍କିଂ ପଏଣ୍ଟ୍‌ ବି ମିଳିଥିଲା। ଜିଲ୍ଲା ବ୍ୟାଡ୍‌ମିଣ୍ଟନ ସଂଘର ସମ୍ପାଦକ ରବୀନ୍ଦ୍ର ବେହେରା, ସୋମେନ ମହାନ୍ତିଙ୍କ ସମେତ କର୍ମକର୍ତ୍ତା ରୂପକ ମହାନ୍ତି, ସନ୍ତୋଷ ଦାସ, ଜନ୍ମ‌େଜୟ ବେହେରା, ରୂପମ ସ୍ୱାଇଁ, ବିପ୍ଳବ ନାୟକ, ଦେବବ୍ରତ ଦାସ ପ୍ରମୁଖ ପ୍ରତିଯୋଗିତା ପରିଚାଳନ କରିଥିଲେ।

ସମ୍ବନ୍ଧିତ ଖବର