ଯୋଗଦେଲେ ୨୮ ଜିଲ୍ଲାରୁ ୫୦୦ ଖେଳାଳି

ରାଜ୍ୟ ବଲ୍‌ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତା ଉଦ୍‌ଘାଟିତ

କଟକ: ପ୍ୟାରିମୋହନ ଏକାଡ଼େମି ଖେଳ ପଡ଼ିଆରେ ୨୫ତମ ରାଜ୍ୟ ବଲ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଶୁକ୍ରବାର ଉଦ୍‌ଘାଟିତ ହୋଇଛି। ୩ ଦିନ ଧରି ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୨୮ ଜିଲ୍ଲାରୁ ଉଭୟ ପୁରୁଷ ଓ ମହିଳା ଦଳରେ ପ୍ରାୟ ୫୦୦ ଖେଳାଳି ଓ ୧୦୦ ମ୍ୟାଚ୍‌ ପରିଚାଳନା ଅଧିକାରୀ ଅଂଶଗ୍ରହଣ କରିଛନ୍ତି। ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ତଥା ଓଲିଉଡ୍‌ ଅଭିନେତା ଅନୁଭବ ମହାନ୍ତି ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଛାତ୍ର ବିଜେଡିର କାର୍ଯ୍ୟକାରୀ ସଭାପତି ଦେବୀରଞ୍ଜନ ତ୍ରିପାଠୀ, କର୍ପୋରେଟର ଅରୁଣ ସେଠୀ, ପ୍ୟାରିମୋହନ ଏକାଡ଼େମିର ପ୍ରଧାନଶିକ୍ଷକ ମକର ଚରଣ ଘଡେଇ, ବିଜେଡିର ମହିଳା ନେତ୍ରୀ ତନ୍ମୟା ରାୟ, ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କ୍‌ର ନିର୍ଦେଶକ ପ୍ରକାଶ ଦାସ, ବିଶିଷ୍ଟ ସାହିତ୍ୟିକ ହୁସେନ ରବି ଗାନ୍ଧୀ, ଦରଘା ବଜାର ପୂଜା କମିଟି ସଭାପତି ସରୋଜ ରଞ୍ଜନ କର ପ୍ରମୁଖ ଉପସ୍ଥିତ ଥିଲେ।

ରାଜ୍ୟ ସଂଘର ସାଧାରଣ ସମ୍ପାଦକ ସୁକାନ୍ତ ଦାସ, କଟକ ଜିଲ୍ଲା ବଲ୍‌ ବ୍ୟାଡ୍‌ମିଣ୍ଟନ୍‌ ସଂଘ ସଭାପତି ପାର୍ଥସାରଥି ସାମନ୍ତରାୟ, ସମ୍ପାଦକ ଅଜୟ କୁମାର ସାହୁ, ମହେଶ ମଲ୍ଲ ଓ ସୁକେଶ ବେହେରା ସଭା କାର୍ଯ୍ୟ ପରିଚାଳନା କରିଥିଲେ। ପ୍ରଥମ ଦିନ ପୁରୁଷ ବର୍ଗରେ ଭୁବନେଶ୍ୱର, ଖୋର୍ଧା, ସମ୍ବଲପୁର, କେନ୍ଦ୍ରାପଡା, ଢେଙ୍କାନାଳ ଓ କଳାହାଣ୍ଡି ଲିଗ୍‌ ପର୍ଯ୍ୟାୟରେ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା ବେଳେ ମହିଳା ବର୍ଗରେ ଭୁବନେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀ ବିଜୟୀ ହୋଇ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି।

ସମ୍ବନ୍ଧିତ ଖବର