ଜଗତ୍‌ସିଂହପୁରକୁ ଦ୍ବିମୁକୁଟ, ରାଜ୍ୟ ବଲ୍‌ ବ୍ୟାଡ୍‌ମିଣ୍ଟନ

ଭୁବନେଶ୍ବର: ଚଳିତ ମାସ ୨୦ ତାରିଖରୁ ଉମରକୋଟରେ ଆୟୋଜିତ ରାଜ୍ୟ ବଲ୍‌ ବ୍ୟାାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଜଗତ୍‌ସିଂହପୁର ଯୁଗଳ ଟ୍ରଫି କରାୟତ କରିଛି। ୨୬ତମ ରାଜ୍ୟ ପ୍ରତିଯୋଗିତାର ଉଭୟ ପୁରୁଷ ଓ ମହିଳା ବର୍ଗରେ ଜଗତ୍‌ସିଂହପୁର ଟ୍ରଫି ହାସଲ କରିଛି। ଏଥି ସହିତ ୧୪ ବର୍ଷ ଧରି ବିଜେତା ହୋଇଆସୁଥିବା ଭୁବନେଶ୍ବରର ଆଧିପତ୍ୟ ଶେଷ ହୋଇଛି। ପୁରୁଷ ବିଭାଗ କ୍ବାର୍ଟର ଫାଇନାଲ୍‌ରେ ଭୁବନେଶ୍ବରକୁ ଏବଂ ସେମିଫାଇନାଲ୍‌ରେ କଟକକୁ ପରାସ୍ତ କରିବା ପରେ ଜଗତ୍‌ସିଂହପୁର ଫାଇନାଲ୍‌ରେ ଖୋର୍ଧାକୁ ପରାସ୍ତ କରିଥିଲା। ସେହିପରି ମହିଳା ବିଭାଗ ଫାଇନାଲ୍‌ରେ ଭୁବନେଶ୍ବକୁ ପରାସ୍ତ କରି ଜଗତ୍‌ସିଂହପୁର ବିଜେତା ଆଖ୍ୟା ବଜାୟ ରଖିଛି। ପୁରୁଷରେ କଟକ ତୃତୀୟ ଓ ଭୁବନେଶ୍ବର ଚତୁର୍ଥ ସ୍ଥାନ ପାଇଥିଲା ବେଳେ ମହିଳାରେ ଭୁବନେଶ୍ବର ଦ୍ବିତୀୟ, କେନ୍ଦ୍ରାପଡ଼ା ତୃତୀୟ ଓ ଗଞ୍ଜାମ ଚତୁର୍ଥରେ ରହିଛି।

ଅନ୍ୟପକ୍ଷରେ ୨୫ତମ ଉପକନିଷ୍ଠ ବାଳକରେ ଖୋର୍ଧା ଓ ବାଳିକାରେ କଟକ ବିଜେତା ହୋଇଛି। ବାଳକ ବର୍ଗରେ ରାୟଗଡ଼ା, ଭୁବନେଶ୍ବର ଓ ଢେଙ୍କାନାଳ ଯଥାକ୍ରମେ ଦ୍ବିତୀୟରୁ ଚତୁର୍ଥ ସ୍ଥାନ ପାଇଥିଲା ବେଳେ ବାଳିକା ବର୍ଗରେ ଭୁବନେଶ୍ବର, ଗଞ୍ଜାମ ଓ ଜଗତ୍‌ସିଂହପୁର ଯଥାକ୍ରମେ ଦ୍ବିତୀୟରୁ ଚତୁର୍ଥ ସ୍ଥାନ ପାଇଛନ୍ତି। ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ଓ ସାଂସଦ ବଳଭଦ୍ର ମାଝୀ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲା ବେଳେ ରାଜ୍ୟ ଶାଖା ସଂପାଦକ ସୁକାନ୍ତ ଦାଶ, ଜିଲ୍ଲା ସଂପାଦକ ସପନ କୁମାର ବୈରାଗୀ, ସଭାପତି ବିଜୟ କୁମାର ପ୍ରମୁଖ ଉପସ୍ଥିତ ଥିଲେ। ଅଜୟ କୁମାର ସାହୁ, ଅନିଲ ମହାରଣା, ପ୍ରଣୟ କୁମାର ପଟ୍ଟନାୟକଙ୍କ ସମେତ ୪୦ ଅଧିକାରୀ ପ୍ରତିଯୋଗିତା ପରିଚାଳନା କରିଥିଲେ। ପ୍ରତିଯୋଗିତାରେ ୨୭ ଜିଲ୍ଲାର ପୁରୁଷ ଓ ୨୨ ଜିଲ୍ଲାର ମହିଳା ଦଳ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର