ରାଜ୍ୟ ବଲ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ୨୮ ଦଳ

କଟକ: ଆସନ୍ତା ଡିସେମ୍ବର ୧ରୁ ୩ ତାରିଖ ପର୍ଯ୍ୟନ୍ତ କଟକ ପ୍ୟାରୀମୋହନ ଏକାଡେମି ଖେଳ ପଡ଼ିଆରେ ୨୫ତମ ରାଜ୍ୟ ବଲ୍‌ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। କଟକ ଜିଲ୍ଲା ବଲ୍‌ ବ୍ୟାଡ୍‌ମିଣ୍ଟନ ସଂଘ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ୨୮ ପୁରୁଷ ଓ ୨୪ ମହିଳା ଦଳ ଅଂଶଗ୍ରହଣ କରିବେ ବୋଲି ଭକ୍ତମଧୁ ବିଦ୍ୟାପୀଠରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଦଳମାନଙ୍କୁ ଚାରିଟି ଗ୍ରୁପ୍‌ରେ ବଣ୍ଟାଯିବ। ପ୍ରତ୍ୟେକ ଗ୍ରୁପ୍‌ର ଶ୍ରେଷ୍ଠ ଦୁଇ ଦଳ କ୍ୱାର୍ଟର ଫାଇନାଲ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ। ପ୍ରତିଯୋଗିତାରେ ମୋଟ ୧୩୦ ମ୍ୟାଚ୍‌ ଖେଳାଯିବ। ପ୍ରତ୍ୟେକ ବର୍ଗର ଶ୍ରେଷ୍ଠ ୧୦ ଲେଖାଏଁ ଖେଳାଳିଙ୍କୁ ଜାତୀୟ ପ୍ରତିଯୋଗିତା ପାଇଁ ଚୟନ କରାଯିବ। ଜାନୁଆରି ୫ରୁ ୯ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀଠାରେ ଜାତୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଉଭୟ ବର୍ଗରୁ ପ୍ରାୟ ୫୦୦ ଖେଳାଳି ଓ ୧୦୦ ଅଫିସିଆଲ୍‌ ପ୍ରତିଯୋଗିତାରେ ଯୋଗଦେବେ। ପ୍ରତିଯୋଗିତାର ସଫଳ ଆୟୋଜନ ପାଇଁ ୫୦ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ। ଗତବର୍ଷ ହୋଇଥିବା ରାଜ୍ୟ ପ୍ରତିଯୋଗିତାରେ ପୁରୁଷ ବର୍ଗରେ ଭୁବନେଶ୍ୱର ବିଜେତା ଓ ଖୋର୍ଧା ଉପବିଜେତା ହୋଇଥିଲା ବେଳେ ମହିଳାରେ ଜଗତସିଂହପୁର ବିଜେତା ଓ ଭୁବନେଶ୍ୱର ଉପବିଜେତା ରହିଥିଲା। ଉଭୟ ବର୍ଗରେ କଟକ ତୃତୀୟ ସ୍ଥାନରେ ରହିଥିଲା। ଏଥର ପ୍ରତିଯୋଗିତାର ରୌପ୍ୟ ଜୟନ୍ତୀ ପାଳନ ହେଉଥିବାରୁ ଉଦ୍‌ଯାପନୀ ସମାରୋହରେ ରାଜ୍ୟର ପୂର୍ବତନ ଖେଳାଳିମାନଙ୍କୁ ସମ୍ବର୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ସାମ୍ବାଦିକ ସମ୍ମିଳନୀରେ କଟକ ଜିଲ୍ଲା ସଂଘର ସଭାପତି ପାର୍ଥସାରଥୀ ସାମନ୍ତରାୟ, ସମ୍ପାଦକ ଅଜୟ କୁମାର ସାହୁ, ଉପସଭାପତି ଲଳିତ ମୋହନ ମହାପାତ୍ର, ସଂଗଠନ ସଂପାଦକ ଚିତ୍ତରଂଜନ ପାଇକ, ଯୁଗ୍ମ ସମ୍ପାଦକ ତାରେନ୍‌ ସିହ୍ନା, ଶେଖର ଦାସ, ଅନିଲ ଦାସ, ମେହେଫୁଜ୍‌ ଅଲ୍ଲୀ, ମନୋଜ ସ୍ୱାଇଁ, ମୋଜେସ୍‌ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ସୁକେଶ ବେହେରା ଗଣମାଧ୍ୟମ ସଂଯୋଜକ ରହିଥିଲେ।

ସମ୍ବନ୍ଧିତ ଖବର