ପୁରୀ, କୋଣାର୍କ, ଭୁବନେଶ୍ବର ବୁଲିଲା ରାଜ୍ୟଗୋଷ୍ଠୀ କ୍ରୀଡ଼ା ମଶାଲ

ଭୁବନେଶ୍ବର: ଇଂଲଣ୍ଡର ବର୍ମିଂହାମଠାରେ ଚଳିତବର୍ଷ ଜୁଲାଇ ୨୮ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମଶାଲ (କୁଇନ୍ସ ବାଟନ) ଶୁକ୍ରବାର ଭୁବନେଶ୍ବର ପହଞ୍ଚିଥିଲା। ବ୍ରିଟିଶ୍ ରାଣୀଙ୍କ ବାର୍ତ୍ତା ବହନ କରିଥିବା ଏହି ମଶାଲ ଶନିବାର କଳିଙ୍ଗ ଷ୍ଟାଡିୟମରୁ ଓଡ଼ିଶା ପରିକ୍ରମା ଆରମ୍ଭ କରିଥିଲା। ଅଲିମ୍ପିଆନ୍‌ ଦୂତି ଚାନ୍ଦ ଓ ସୁନିତା ଲାକ୍ରା ମଶାଲ ଯାତ୍ରାର ଶୁଭାରମ୍ଭ କରିଥିଲେ। ଏଠାରୁ ଐତିହାସିକ ପୁରୀ ଜଗନ୍ନାଥ ମନ୍ଦିର, ବ୍ଲୁ ଫ୍ଲାଗ୍‌ ବିଚ୍‌ ବୁଲିବା ପରେ ମଶାଲ କୋଣାର୍କ ସୂର୍ଯ୍ୟ ମନ୍ଦିର ଯାଇଥଲା। ସେଠରେ ରାଜ୍ୟ କ୍ରୀଡ଼ା ବଭାଗ ଏବଂ ଜିଲ୍ଲା ପ୍ରଶାସନ ଅଧିକାରୀ ଏହାକୁ ଗ୍ରହଣ କରିଥିଲେ। ଏହାପରେ ଭୁବନେଶ୍ବରସ୍ଥିତ ରାଜଭବନକୁ ଆସିଥିଲା। ଏଠାରେ ଫୁଟ୍‌ବଲ୍‌ ତାରକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କଠୁ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଶାଲ ଗ୍ରହଣ କରିଥିଲେ। ଭୁବନେଶ୍ବର ସହର ବୁଲିବା ପରେ ରାଲିର ଶେଷ ସ୍ଥାନ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଥିଲା ଏହି ମଶାଲ। ସହର ପରିକ୍ରମା ବେଳେ କ୍ରୀଡ଼ାବିତ୍‌ ରାଖାଲ ସେଠୀ, ରୋସନ ମିଞ୍ଜ, ଦିଲେଶ୍ବର ରାଓ ଓ ପ୍ରଶିକ୍ଷକ ରାଜେଶ ସିଂହ, କାଳୁ ଚରଣ ଚୌଧୁରୀ, ଲୁସେଲା ଏକ୍କା, ଲିପିକା ମହାପାତ୍ର, ସେଣ୍ଟ୍‌ ଭିକ୍ଟର ମିଞ୍ଜ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଦୂତି ଚାନ୍ଦ କଳିଙ୍ଗ ଷ୍ଟାଡିୟମଠାରେ ରାଜ୍ୟ ଯୁବ କଲ୍ୟାଣ ବୋର୍ଡର କାର୍ଯ୍ୟକାରୀ ଅଧ୍ୟକ୍ଷ ବିଜୟ ନାୟକ, ପ୍ରମୁଖ କ୍ରୀଡ଼ାବିତ୍‌, ରାଜ୍ୟ ଇକୋସିଷ୍ଟମ ଅଧିକାରୀ ଏବଂ ଦର୍ଶକଙ୍କ ଉପସ୍ଥିତିରେ କ୍ରୀଡ଼ା ସଚିବ ଆର୍‌ ଭିନିଲ କ୍ରିଷ୍ଣାଙ୍କୁ ପ୍ରଦାନ କରିଥିଲେ।

‘‘ଓଡ଼ିଶାରେ ରାଣୀଙ୍କ ମଶାଲକୁ ସ୍ବାଗତ କରି ଖୁସି ଲାଗିଲା। ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରାଣୀଙ୍କ ମଶାଲ ଯାତ୍ରା ଏକ ଭଲ ପରମ୍ପରା ଏବଂ ଏହାର ଭାଗୀଦାରି ହେବା ଓଡ଼ିଶା ପାଇଁ ଗର୍ବ ଓ ଗୌରବ। ଓଡ଼ିଶାର ବହୁ କ୍ରୀଡ଼ାବିତ୍‌ ଏହି ମଶାଲ ଯାତ୍ରାରେ ଯୋଗଦେଇ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଅଂଶ ହୋଇଥିବାରୁ ଆନନ୍ଦିତ। ଆମ‌େ କ୍ରୀଡ଼ା ଓ ଯୁବ ଶକ୍ତି ଉପରେ ବିଶ୍ବାସ କରୁ। ଏବେ ଆମ ରାଜ୍ୟର କ୍ରୀଡ଼ା ଭିତ୍ତିଭୂମି ଏବଂ କ୍ରୀଡ଼ା ଇକୋସିଷ୍ଟମ ଦୃଢ଼ ରହିଛି। ଯାହା ଯୁବ କ୍ରୀଡ଼ାବିତ୍‌ଙ୍କୁ ସେମାନଙ୍କ ଲକ୍ଷ୍ୟରେ ପହଞ୍ଚିବାର ପ୍ରରେଣା ଦେଉଛି। ଯୁବ ଖେଳାଳିମାନଙ୍କୁ ଏହି ମଶାଲା ‌ଯାତ୍ରା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସ୍ବପ୍ନ ଏବଂ ଭଲ ପ୍ରଦର୍ଶନ ଲାଗି ଉତ୍ସାହିତ କରିବ। ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସଫଳତା କାମନା କରୁଛି’’ ବୋଲି ମଶାଲ ସ୍ବାଗତ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତାରେ କହିଥିଲେ। ସୂଚନାଯୋଗ୍ୟ ଯେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମଶାଲ ଯାତ୍ରା ଗତବର୍ଷ ଅକ୍ଟୋବର ମାସ ୭ ତାରିଖରେ ଆରମ୍ଭ ହୋଇଥିଲା। ଏହା ୭୨ ଦେଶରେ ୨୯୪ ଦିନର ଯାତ୍ରା କରିବା ପରେ ଆସନ୍ତା ଜୁଲାଇ ମାସରେ ଇଂଲଣ୍ଡ ଫେରିବ। ରବିବାର ଏହି ମଶାଲ ଓଡ଼ିଶାରୁ ସିଙ୍ଗାପୁର ଅଭିମୁଖେ ଯାତ୍ରା କରିବ।

ସମ୍ବନ୍ଧିତ ଖବର