ଭୁବନେଶ୍ୱର: ଶନିବାରଠାରୁ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ କିଟ୍ ପରିସରରେ ବଛା ବଛା ପ୍ରଶିକ୍ଷକଙ୍କୁ ନେଇ ଏକ ରିଫ୍ରେସର୍ ପାଠ୍ୟକ୍ରମ ଆରମ୍ଭ ହୋଇଛି। ରାଜ୍ୟର ୨୫ ଜଣ ଫୁଟ୍ବଲ୍ ପ୍ରଶିକ୍ଷକଙ୍କ ଜ୍ଞାନ ବଢ଼ାଇବା ଏବଂ ଅଧିକ ସତେଜ କରାଇବା ଲକ୍ଷ୍ୟରେ ଆୟୋଜିତ ଏହି ୪ ଦିନିଆ କାର୍ଯ୍ୟକ୍ରମକୁ କ୍ରୀଡ଼ା ବିଭାଗର ଯୁଗ୍ମ ସଚିବ ମନୋଜ କୁମାର ପାଢ଼ୀ ଉଦ୍ଘାଟନ କରିଥିଲେ। ସହକାରୀ ନିର୍ଦେଶକ ସନାତନ ବେହେରା, ବୈଷୟିକ ସମିତି ସଦସ୍ୟ ରାଜେନ୍ଦ୍ର ପାଣି ଏବଂ ରାଜ୍ୟ ଫୁଟ୍ବଲ୍ର ବିକାଶ ପାଇଁ ନବ ନିଯୁକ୍ତ ସ୍ୱତନ୍ତ୍ର ଅଧିକାରୀ ଶୁଭେନ୍ଦୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଉଭୟ ବେଳା ପ୍ରାକ୍ଟିକାଲ ହେବା ପରେ ମଧ୍ୟାହ୍ନରେ ଥିଓରି ନିଆଯାଉଛି। ଦେଶର ଜଣାଶୁଣା ଫୁଟ୍ବଲ୍ ପ୍ରଶିକ୍ଷକ ତଥା ସର୍ବଭାରତୀୟ ଫୁଟ୍ବଲ୍ ସଂଘ (ଏଆଇଏଫ୍ଏଫ୍)ର କାର୍ଯ୍ୟକାରୀ ବୈଷୟିକ ନିର୍ଦେଶକ ସାଭିଓ ମାଡିରାଙ୍କ ତତ୍ୱାବଧାନରେ ଏହା ଚାଲିଛି। କ୍ରୀଡ଼ା ଓ ଯୁବସେବା ବିଭାଗ ୧୫ ଜଣଙ୍କୁ ମନୋନୀତ କରିଥିବାବେଳେ ଫୁଟ୍ବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶା (ଫାଓ) ୧୦ ଜଣଙ୍କୁ ବାଛିଛି। ରାଜ୍ୟର ୧୫ ଓ ୧୮ ବର୍ଷରୁ କମ୍ ଆଇ ଲିଗ୍ ଦଳ ସଦସ୍ୟଙ୍କ ସହିତ କଟକ କ୍ରୀଡ଼ା ଛାତ୍ରାବାସରୁ କିଛି ଅନ୍ତେବାସୀଙ୍କୁ ଏଥିରେ ସାମିଲ କରାଯାଇଛି।
ପ୍ରଶିକ୍ଷକ ତାଲିକା: ସମୀର ନାଏକ, ପରାସର ବାଗ, ଗଙ୍ଗାଧର ବେହେରା, ଏସ୍ କେ ଜେନା, ଆଲୋକ କୁମାର ଦାସ, ରମେଶ ଚନ୍ଦ୍ର ପାଢ଼ୀ, ସରିତା ଜୟନ୍ତୀ ବେହେରା, ଅବନୀ ମୋହନ ମହାନ୍ତି, ପ୍ରଶାନ୍ତ କୁମାର ପାଣିଗ୍ରାହୀ, ଅଜୟ କୁମାର ବେହେରା, ଏସ୍ ଏନ୍ ପାଢ଼ୀ, ମମତା କୁମାରୀ ସାମନ୍ତ, ଯଶପାଲ ଉର୍ମା, ଡାକ୍ତର ମୁକ୍ତି ପ୍ରସାଦ ଦାଶ, ନୀପେନ୍ଦ୍ର ଦାସ, ହୃଷିକେଶ ବେହେରା, ଗାୟତ୍ରୀ ମଲ୍ଲିକ, ସୁରଜ ଥାପ୍ପା, ଗୌତମ ଦାସ, ସଂଜୀବ ପାଟଶାଣୀ, ସେକ୍ ମନଜୁର୍, ସୁଜିତ ପାତ୍ର, ସୁରେଶ ଦାସ, ନନ୍ଦ କିଶୋର ପଟ୍ଟନାୟକ, ନାସିର୍ ଖାନ୍।