ରାଉରକେଲା: ବୁଧବାରଠାରୁ ରାଜ୍ୟ ଉପକନିଷ୍ଠ ବାଳିକା ହକି ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଉଭୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଓ ପାନପୋଷ କ୍ରୀଡ଼ା ଛାତ୍ରାବାସ ଷ୍ଟାଡିୟମରେ ପ୍ରଥମ ଦିନରେ ୧୨ଟି ମ୍ୟାଚ୍‌ ଖେଳାଯାଇଥିଲା। ଅନୁପସ୍ଥିତି ରହିବାରୁ କିଟ୍‌ ବିପକ୍ଷରେ ଅନୁଗୁଳକୁ, ନବରଙ୍ଗପୁର ବିପକ୍ଷରେ କୋରାପୁଟକୁ ଏବଂ ଗଜପତି ବିପକ୍ଷରେ ଯାଜପୁରକୁ ୱାକ୍‌ଓଭର ଦିଆଯାଇଛି।

Advertisment

ଉଦ୍‌ଘାଟନୀ ମ୍ୟାଚ୍‌ରେ କଟକ ୫-୧ ଗୋଲ୍‌ରେ ବଲାଙ୍ଗୀରକୁ ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଢେଙ୍କାନାଳ ୬-୧ ଗୋଲରେ ଦେବଗଡ଼କୁ, ସମ୍ବଲପୁର ୭-୦ ଗୋଲରେ କନ୍ଧମାଳକୁ, ଗାଙ୍ଗପୁର ହକି ଆସୋସିଏସନ୍‌ ୧୧-୦ ଗୋଲରେ ସୁବର୍ଣ୍ଣପୁରକୁ, ଏସ୍‌ଏମ୍‌ଏସ୍‌ ହକି ଏକାଡେମୀ ୭-୦ ଗୋଲରେ ଜଗତସିଂହପୁରକୁ, ଖୋର୍ଦ୍ଧା ୧୧-୦ ଗୋଲରେ ବାଲେଶ୍ବରକୁ, ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସ ୧୫-୦ ଗୋଲ୍‌ରେ ଦିଲୀପ ତିର୍କି ସ୍ପୋର୍ଟ୍ସ ଏକାଡେମୀକୁ, ମୟୂରଭଞ୍ଜ ୮-୦ ଗୋଲରେ ନୟାଗଡ଼କୁ, ସୁନ୍ଦରଗଡ଼ ୧୭-୦ ଗୋଲ୍‌ରେ ନୂଆପଡ଼ାକୁ, ରାୟଗଡ଼ା ୪-୦ ଗୋଲରେ ମାଲକାନଗିରିକୁ, କଳାହାଣ୍ଡି ୬-୦ ଗୋଲରେ ପୁରୀକୁ, ଝାରସୁଗୁଡ଼ା ସୁଟ୍‌ଆଉଟ୍‌ରେ ୪-୨ ଗୋଲ୍‌ରେ ପୂର୍ବତନ ପାରାମିଲିଟାରୀ ଜୟ ଯବାନ ସଂଘକୁ ପରାସ୍ତ କରିଛି। 

ଉଦ୍‌ଘାଟନୀ ଉତ୍ସବରେ ହକି ଆସୋସିଏସନ୍‌ ଅଫ୍‌ ଓଡ଼ିଶା ସମ୍ପାଦକ ସନାତନ ସାହୁ, ହକି ପ୍ରମୋସନ କାଉନସିଲ୍‌ର ସିଇଓ ଦୀପଙ୍କର ମହାପାତ୍ର, ହକି ଓଡ଼ିଶା ନିର୍ଦ୍ଦେଶକ (କୋଚିଂ) ବିଜେ କାରିଆପ୍ପା, ଉପ-ନିର୍ଦ୍ଦେଶକ (କୋଚିଂ) ଲାଜରୁସ ବାର୍ଲା, ଉପ-ନିର୍ଦ୍ଦେଶକ (କ୍ରୀଡ଼ା) ସୁଦୀପ୍ତ ନାୟକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ତେଜକୁମାର‌ ଖେସ୍‌, ବରିଷ୍ଠ ପ୍ରଶିକ୍ଷକ କାଳୁଚରଣ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।