କଟକ: ଓଡ଼ିଶା ହ୍ୟାଣ୍ଡବଲ୍ ସଂଘରେ ଅନେକ ଅନିୟମିତତା ଚାଲିଛି। ଏକାଧିକ ଜାଲିଆତି ହୋଇଥିବା ପ୍ରମାଣ ବି ମିଳିଛି। ଏପରିକି ରାଜ୍ୟ ଦଳରେ ବାହାର ରାଜ୍ୟର ଖେଳାଳିଙ୍କୁ ଖେଳାଇବା ଏବେ ସଂଘକୁ ମହଙ୍ଗା ପଡ଼ିଛି। ବର୍ତ୍ତମାନ କାର୍ଯ୍ୟ କରୁଥିବା ସଂଘର କର୍ମକର୍ତ୍ତାଙ୍କୁ ହଟାଯାଇ ଅଲିମ୍ପିକ୍ ସଂଘ ଏହାର ପରିଚାଳନା ଦାୟିତ୍ୱ ନେବାକୁ ସର୍ବଭାରତୀୟ ହ୍ୟାଣ୍ଡ୍ବଲ୍ ମହାସଂଘକୁ ପ୍ରସ୍ତାବ ଦିଆଯାଇଛି। ରାଜ୍ୟ ହ୍ୟାଣ୍ଡ୍ବଲ୍ ସଂଘରେ ଦେଖାଦେଇଥିବା ବିବାଦୀୟ ସ୍ଥିତିକୁ ନେଇ ଶନିବାର ଅଲିମ୍ପିକ୍ ସଂଘ କାର୍ଯ୍ୟାଳୟରେ ଏକ ସମନ୍ଵୟ ବୈଠକ ବସିଥିଲା। ଏଥିରେ କ୍ରୀଡ଼ା ନିର୍ଦ୍ଦେଶାଳୟର ସ୍ୱତନ୍ତ୍ର ଅଧିକାରୀ ଜ୍ଞାନରଂଜନ ପରିଡ଼ା, ସର୍ବଭାରତୀୟ ମହାସଂଘର ପର୍ଯ୍ୟବେକ୍ଷକ ଭାବେ କୋଷାଧ୍ୟକ୍ଷ ସାଲୁଜା ସିଂହ, ଅଲମ୍ପିକ୍ ସଂଘର ସମ୍ପାଦକ ଏମ୍ଏ ଆଲାମ, ସ୍ୱତନ୍ତ୍ର ଅତିଥି ଭାବେ ଅଲିମ୍ପିକ୍ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ସହିତ ରାଜ୍ୟ ହ୍ୟାଣ୍ଡ୍ବଲ୍ ସଂଘର ସ୍ୱୀକୃତିପ୍ରାପ୍ତ ୯ ସଂଘ ଓ ସମସ୍ତ କର୍ମକର୍ତ୍ତା ଯୋଗଦେଇଥିଲେ। ବୈଠକରେ ରାଜ୍ୟ ସଂଘରେ ଦେଖାଦେଇଥିବା ବିଭିନ୍ନ ଅନିୟମିତତା ସଂକ୍ରାନ୍ତରେ ଅନେକ ଯୁକ୍ତିତର୍କ ହୋଇଥିବା ବେଳେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ରାଜ୍ୟ ଅଲିମ୍ପିକ୍ ସଂଘକୁ ଦାୟିତ୍ୱ ଦିଆଯାଇଛି। ଯଦିଓ ରାଜ୍ୟ ସଂଘକୁ ଭାଙ୍ଗିଦେଇ ଅଲିମ୍ପିକ୍ ସଂଘ ପରିଚାଳନା ଭାର ଗ୍ରହଣ କରିବା ବାବଦରେ ମୌଖିକ ଭାବେ ବୈଠକରେ କୁହାଯାଇଛି, କିନ୍ତୁ ସୋମବାର ବିଧିବଦ୍ଧ ଭାବେ ପତ୍ର ମାଧ୍ୟମରେ ଏସଂକ୍ରାନ୍ତରେ ଜଣାଇ ଦିଆଯିବ ବୋଲି ସୂଚନା ମିଳିଛି।
ରାଜ୍ୟ ଦଳରେ ଜିଲ୍ଲାର ଖେଳାଳିଙ୍କୁ ସୁଯୋଗ ଦିଆନଯିବା ଓ ବାହାର ରାଜ୍ୟର ଖେଳାଳିଙ୍କୁ ସାମିଲ କରାଯିବା ଘଟଣାକୁ ନେଇ ବୈଠକରେ ଅଧିକ ସମାଲୋଚନା କରାଯାଇଥିଲା। କେବଳ ଏତିକି ନୁହେଁ ଅଲିମ୍ପିକ୍ ସଂଘର ଏକାଧିକ ଚିଠିକୁ ମଧ୍ୟ ଜାଲିଆତି କରି କ୍ରୀଡ଼ା ନିର୍ଦ୍ଦେଶାଳୟକୁ ପଠାଯାଇଥିବା ତଥ୍ୟ ସହ ପ୍ରମାଣ ଉପସ୍ଥାପନ କରାଯାଇଥିଲା। ସୂଚନା ଅଧିକାର ଆଇନ୍ ବଳରେ ରାଜ୍ୟ ହ୍ୟାଣ୍ଡବଲ୍ ସଂଘର ବିଭିନ୍ନ ଅନିୟମିତତାକୁ କର୍ମକର୍ତ୍ତାମାନେ ମହାସଂଘ ପର୍ଯ୍ୟବେକ୍ଷକଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ଯଦିଓ ଘଟଣାଗୁଡ଼ିକୁ ସଂଘ ସମ୍ପାଦକ ବଳରାମ ପାଢୀ ଖଣ୍ଡନ କରୁଥିଲେ କିନ୍ତୁ ପ୍ରମାଣ ମିଳିବା ପରେ ମହାସଂଘ ପର୍ଯ୍ୟବେକ୍ଷକ ଏହି ଅଭିଯୋଗକୁ ଗ୍ରହଣ କରିଥିଲେ। ଆଶୀର୍ବାଦ ବେହେରା ଅଲିମ୍ପିକ୍ ସମ୍ପାଦକ ଦାୟିତ୍ୱରେ ଥିବା ସମୟରେ ବଳରାମ ପଣ୍ଡା ଏକାଧିକ ଚିଠିକୁ କ୍ରୀଡ଼ା ନିର୍ଦ୍ଦେଶାଳୟକୁ ପଠାଇଥିଲେ। ସେତେବେଳେ ସଂଘର ସ୍ଥିତି ଓ କାର୍ଯ୍ୟକଳାପ ସଂକ୍ରାନ୍ତରେ ଶ୍ରୀ ବେହେରା ପୂର୍ଣ୍ଣମାତ୍ରାରେ ଅବଗତ ଥିବାରୁ ତାଙ୍କଠୁ ମହାସଂଘ ପର୍ଯ୍ୟବେକ୍ଷକଙ୍କ ସମ୍ମୁଖରେ ମତାମତ ଲୋଡ଼ାଯାଇଥିଲା। ସେହିପରି ବତ୍ତର୍ମାନର ଅଲିମ୍ପିକ୍ ସମ୍ପାଦକ ଏମ୍ଏ ଆଲାମ ମଧ୍ୟ ହ୍ୟାଣ୍ଡ୍ବଲ୍ ସଂଘକୁ ଭାଙ୍ଗି ଦିଆଯିବା ଉପରେ ସହମତି ଦେଇଥିଲେ। ଅଲିମ୍ପିକ୍ ସଂଘ ଏହାର ପରିଚାଳନା ଭାର ନେଇ ରାଜ୍ୟ ପ୍ରତିଯୋଗିତା, ଖେଳାଳି ଚୟନ ଇତ୍ୟାଦି କରିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ତେବେ ବୈଠକର ବିବରଣୀ ସହ ଅଲିମ୍ପିକ୍ ସଂଘର ପ୍ରସ୍ତାବ ଓ କ୍ରୀଡ଼ା ନିର୍ଦ୍ଦେଶାଳୟର ପ୍ରସ୍ତାବ ମହାସଂଘକୁ ପ୍ରଦାନ କରାଯିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସାଲୁଜା ସିଂହ ସମସ୍ତଙ୍କୁ ଜଣାଇଥିଲେ। ସୂଚନାରୁ ପ୍ରକାଶ ଯେ ରାଜ୍ୟ ଦଳରେ ଅନ୍ୟରାଜ୍ୟର ଖେଳାଳିଙ୍କୁ ଖେଳାଯିବା ଓ ଓଡ଼ିଶାର ପ୍ରତିଭାବାନ୍ ଖେଳାଳିଙ୍କୁ ଚୟନ ପ୍ରକ୍ରିୟାରେ ସାମିଲ କରାନଯିବା ସଂକ୍ରାନ୍ତରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସଂଘ ଅନିୟମିତା ସଂକ୍ରାନ୍ତରେ କ୍ରୀଡ଼ା ବିଭାଗ ନିକଟରେ ଅଭିଯୋଗ ହୋଇଥିଲା। ତେଣୁ ସଂଘର ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ନିଷ୍ପତ୍ତି ନେବା ପାଇଁ ସମନ୍ଵୟ ବୈଠକ ଡକାଇବାକୁ ଅଲମ୍ପିକ୍ ସଂଘକୁ କ୍ରୀଡ଼ା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ବାରମ୍ବାର ଡକାଯିବା ପରେ କେହି ନଆସିବାରୁ ଶନିବାର ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଥିଲା।