ରାଜ୍ୟ ହକି: ରେଳବାଇ ବିଜେତା

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍ ଏବଂ କିଟ୍ ବିଶ୍ବବିଦ୍ୟାଳୟରେ ଚାଲିଥିବା ହକି ଆସୋସିଏସନ୍ ଅଫ୍ ଓଡ଼ିଶା (ହାଓ) ରାଜ୍ୟ ହକି ପ୍ରତିଯୋଗିତାରେ ପୂର୍ବତଟ ରେଳବାଇ ବିଜେତା ଆଖ୍ୟା ଅର୍ଜନ କରିଛି। ଶନିବାରର ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲ୍‌ରେ ୧-୦ ଗୋଲ୍‌ରେ ଖୋର୍ଦ୍ଧାକୁ ପରାସ୍ତ କରି ପୂର୍ବତଟ ରେଳବାଇ ଦଳ ଏହି ସଫଳତା ଲାଭ କରିଛି। ସେହିଭଳି ସୁନ୍ଦରଗଡ଼କୁ ୩-୨ ଗୋଲ୍‌ରେ ପରାସ୍ତ କରି ସେଲ୍ ଏକାଡେମି କାଂସ୍ୟ ପଦକ ଜିତିଥିଲା। ଦିଲୀପ କୁମାର ସ’ (ଖୋର୍ଦ୍ଧା) ଶ୍ରେଷ୍ଠ ଗୋଲ୍‌ରକ୍ଷକ, କେରୋବିନ ଲାକ୍ରା ( ସେଲ୍) ଶ୍ରେଷ୍ଠ ରକ୍ଷଣଭାଗ, ବିଜୁ ଏକ୍କା (ସୁନ୍ଦରଗଡ଼) ଶ୍ରେଷ୍ଠ ମଧ୍ୟଭାଗ, ସୁନିଲ ଟପ୍ପୋ (ପୂର୍ବତଟ ରେଳବାଇ) ଶ୍ରେଷ୍ଠ ଅଗ୍ରଭାଗ ଏବଂ ରୋଶନ କୁଜୁର (ଖୋର୍ଦ୍ଧା) ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ବିଜେତା ରେଳବାଇ ଦଳକୁ ଅଭିନନ୍ଦନ ଜଣାଇ ଓଡ଼ିଶା ହକି ବିକାଶ ପରିଷଦର ଅଧ୍ୟକ୍ଷ କହିଥିଲେ ଯେ ଏହି ପ୍ରତିଯୋଗିତା ଆହୁରି ଅନେକ ପିଲାଙ୍କୁ ହକି ପ୍ରତି ଆକର୍ଷିତ କରିବ ବୋଲି ‌ମୋର ଆଶା ଓ ବିଶ୍ବାସ। ସହଯୋଗ ଓ ସମର୍ଥନ ଲାଗି କ୍ରୀଡ଼ା ଓ ଯୁବସେବା ବିଭାଗ ସହ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଦେଉଛି। ଏହି ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ରାଜ୍ୟ ପ୍ରଶିକ୍ଷଣ ଓ ଚୟନ ଶିବିରରେ ସାମିଲ କରାଯିବ। ସେଥିରୁ ୨୦୨୩ ଜାତୀୟ ହକି ପ୍ରତିଯୋଗିତା ଲାଗି ଓଡ଼ିଶା ଦଳ ବଛାଯିବ।

ଏହି ପ୍ରତିଯୋଗିତାରେ ସାରା ରାଜ୍ୟର ୫୦୦ ହକି ଖେଳାଳି ଅଂଶଗ୍ରହଣ କରିଥିଲେ। ନିଶାନଜ୍ୟୋତି ମହାନ୍ତି ପ୍ରତିଯୋଗିତା ପ୍ରତିନିଧି ଥିଲା ବେଳେ ବିଶ୍ବରଞ୍ଜନ ଷଡ଼ଙ୍ଗୀ ସହକାରୀ ପ୍ରତିଯୋଗିତା ପ୍ରତିନିଧି ଏବଂ ରାଜିନ ଏକ୍କା ଅମ୍ପାୟାର ପ୍ରବନ୍ଧକ ଏବଂ ପ୍ରଫୁଲ୍ଲ ତିର୍କି ସହକାରୀ ଅମ୍ପାୟାର ପ୍ରବନ୍ଧକ ଥିଲେ। ଲିଲିମାଧୁରୀ ବାର୍ଲା, ମଞ୍ଜୁ ଲାକ୍ରା, ପରମେଶ୍ବର ମାରାଣ୍ଡି, ସୁମନ କୁମାର ଚୌଧୁରୀ, ସୁରଜ କେର୍କେଟା, ବିରାଜ ଟପ୍ପୋ, ପୁନିତ କୁଜୁର, ଅନୁରଞ୍ଜନ ତିର୍କି, ସନ୍ତୋଷ ସାହୁ, ସବ୍ୟସାଚୀ ଦଳାଇ, ଅମିତ ଲୁଗୁନ, ଦୀନେଶ ଏକ୍କା ଓ ସିମାଚଳ ସ୍ବାଇଁ ଅମ୍ପାୟାର ଦାୟିତ୍ବ ତୁଲାଇଥିଲେ।

ସମ୍ବନ୍ଧିତ ଖବର