ରାଉରକେଲା: ବିର୍ସା ମୁଣ୍ଡା ଷ୍ଟାଡିୟମରେ ଚାଲିଥିବା ତୃତୀୟ କନିଷ୍ଠ ପୁରୁଷ ଓ ବରିଷ୍ଠ ମହିଳା ରାଜ୍ୟ ହକି ପ୍ରତଯୋଗିତା ଶେଷ ହୋଇଛି। କନିଷ୍ଠ ପୁରୁଷରେ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ଓ ବରିଷ୍ଠ ମହିଳାରେ ଓଡ଼ିଶା ସେକ୍ରେଟାରିଏଟ୍‌ ବିଜେତା ହୋଇଛନ୍ତି। ଏହାସହ ପୁରୁଷରେ ଓଡ଼ିଶା ନାଭାଲ ଟାଟା ଏଚ୍‌ପିସି ଓ ମହିଳାରେ ପାନପୋଷ କ୍ରୀଡ଼ା ଛାତ୍ରାବାସ(ରାଉରକେଲା) ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

Advertisment

ଓଡ଼ିଶା ସେକ୍ରେଟାରିଏଟ୍‌ ଓ ସୁନ୍ଦରଗଡ଼ ମଧ୍ୟରେ ଖେଳାଯାଇଥିବା ବରିଷ୍ଠ ମହିଳା ବର୍ଗର ଫାଇନାଲ ମ୍ୟାଚ୍‌ ଶେଷ ସୁଦ୍ଧା କେହି କାହାରିକୁ ଗୋଲ୍‌ ଦେଇ ନପାରିବାରୁ ସୁଟ୍‌ଆଉଟ୍‌ ହୋଇଥିଲା। ତେବେ ଏଥିରେ ଓଡ଼ିଶା ସେକ୍ରେଟାରିଏଟ୍‌ ୩-୨ ଗୋଲରେ ବିଜୟୀ ହୋଇଥିଲା। ଅପରପକ୍ଷରେ ଆର୍‌ଏସ୍‌ପି ଓ ସୁନ୍ଦରଗଡ଼ ମଧ୍ୟରେ ଖେଳାଯାଇଥିବା କନିଷ୍ଠ ପୁରୁଷ ବର୍ଗର ଫାଇନାଲ ମ୍ୟାଚ୍‌ ଏକତରଫା ହୋଇଥିଲା। ମ୍ୟାଚ୍‌ର ସପ୍ତମ ମିନିଟ୍‌ରେ ସିଲୁବା ଲିହାମ ଓ ୩୨ତମ ମିନିଟ୍‌ରେ ଅନମୋଲ୍‌ ଏକ୍କା ଏକ ପେନାଲ୍‌ଟି କର୍ଣ୍ଣରକୁ ଗୋଲ୍‌ରେ ପରିବର୍ତ୍ତନ କରି ୨-୦ ଗୋଲରେ ଆର୍‌ଏସ୍‌ପିକୁ ଜିତାଇଥିଲେ।

ବରିଷ୍ଠ ମହିଳାରେ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳିଭାବେ ଜୀୱନ କିଶୋରୀ ଟପ୍ପା (ସୁନ୍ଦରଗଡ଼), ଶ୍ରେଷ୍ଠ ଡିଫେଣ୍ଡର ସୁନୀତା ଖାଖା (ପାନପୋଷ କ୍ରୀଡ଼ା ଛାତ୍ରାବାସ), ଶ୍ରେଷ୍ଠ ଫରୱାର୍ଡ‌୍ କମଳା ସିଂହ (ସୁନ୍ଦରଗଡ଼), ମିଡ୍‌ଫିଲ୍‌ଡର ପ୍ରେମିତ୍ରା ବାଡ଼ା (ଓଡ଼ିଶା ସେକ୍ରେଟାରିଏଟ୍‌), ଶ୍ରେଷ୍ଠ ଗୋଲ୍‌ରକ୍ଷକ ରେଶ୍ମା ଟୋପ୍ପା (ଓଡ଼ିଶା ପୁଲିସ) ଏବଂ କନିଷ୍ଠ ପୁରୁଷ ବର୍ଗରେ ଆର୍‌ଏସ୍‌ପିର ଅନମୋଲ ଏକ୍କା ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି, ଶ୍ରେଷ୍ଠ ଡିଫେଣ୍ଡର ରୋହିତ ଏନ୍‌ ମିଞ୍ଜ (ଆର୍‌ଏସ୍‌ପି), ଶ୍ରେଷ୍ଠ ଫରୱାର୍ଡ୍‌ ସତୀଶ ମୁଣ୍ଡା (ସୁନ୍ଦରଗଡ଼), ମିଡ୍‌ଫିଲ୍‌ଡର ଯୋଜିନ ମିଞ୍ଜ (ଓଏନ୍‌ଟିଏଚ୍‌ପିସି), ଗୋଲକିପର ଜଷ୍ଟିନ କିଡୋ (ଗାଙ୍ଗପୁର ସ୍ପୋର୍ଟ୍ସ ଆସୋସିଏସନ) ପୁରସ୍କୃତ ହୋଇଛନ୍ତି। ପୁରସ୍କାର ବିତରଣୀ ଉତ୍ସବରେ ଆର୍‌ଏସ୍‌ପି ଟାଉନ୍‌ ଇଞ୍ଜିନିଅରିଂ ବିଭାଗର ସିଜିଏମ୍‌ ବି.କେ. ଯୋଯୋ, ଓଡ଼ିଶା ହକି ସଂଘର ଉପସଭାପତି ଜୀବନ ମହାନ୍ତି, ରାଜ୍ୟ କ୍ରୀଡ଼ା ବିଭାଗର ଉପ-ନିର୍ଦ୍ଦେଶକ ସୁଦୀପ୍ତ ନାଏକ, ସମ୍ପାଦକ ସନାତନ ସାହୁ, ଡ. ଏସ୍‌.ଏନ୍‌.ମିଶ୍ର, ଆର୍‌ଏସ୍‌ପି କ୍ରୀଡ଼ା ଅଧିକାରୀ ରଘୁ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।