ରାଜ୍ୟଗୋଷ୍ଠୀ କ୍ରୀଡ଼ା ହକିରେ କେବଳ ଅମିତ୍‌

ସର୍ଦାର ବାଦ୍‌, ମନ୍‌ପ୍ରୀତ୍‌୍‌ ଅଧିନାୟକ

ନୂଆଦିଲ୍ଲୀ,: ଆସନ୍ତା ଏପ୍ରିଲ ୪ ତାରିଖରୁ ଅଷ୍ଟ୍ରେଲିଆର ଗୋଲ୍‌ଡକୋଷ୍ଟରେ ଆୟୋଜିତ ହେବ ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା। ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ମଙ୍ଗଳବାର ଭାରତୀୟ ପୁରୁଷ ହକି ଦଳ ଘୋଷିତ ହୋଇଛି। ହକି ଇଣ୍ଡିଆ ପକ୍ଷରୁ ଘୋଷିତ ୧୮ ଜଣିଆ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦଳରେ ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ଅମିତ୍‌ ରୋହିଦାସ ସ୍ଥାନ ପାଇଛନ୍ତି। ଅନ୍ୟପକ୍ଷରେ ଗତ ସୁଲ୍‌ତାନ ଆଜ୍‌ଲାନ୍‌ ଶାହ କପ୍‌ରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଅଧିନାୟକ ସର୍ଦାର ସିଂହଙ୍କୁ ମୂଲ୍ୟ ଦେବାକୁ ପଡ଼ିଛି। ସର୍ଦାର କେବଳ ଅଧିନାୟକ ନୁହେଁ ଦଳରୁ ମଧ୍ୟ ବାଦ୍‌ ପଡ଼ିଛନ୍ତି। ତାଙ୍କ ସହିତ ଅନ୍ୟତମ ପୁରୁଖା ଖେଳାଳି ରମଣଦୀପ୍‌ ସିଂହ ମଧ୍ୟ ଦଳରେ ସ୍ଥାନ ପାଇନାହାନ୍ତି।

ସର୍ଦାରଙ୍କୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦଳରୁ ବାଦ୍‌ ଦିଆଯାଇଥିଲା ବେଳେ ମନ୍‌ପ୍ରୀତ୍‌ ସିଂହଙ୍କୁ ନେତୃତ୍ୱ ଭାର ଅର୍ପଣ କରାଯାଇଛି। ତାଙ୍କ ସହଯୋଗୀ ତଥା ଉପଅଧିନାୟକ ଭାବେ ଚିଙ୍ଗଲସାନା ସିଂହ କଙ୍ଗୁଜାମ୍‌ ମନୋନୀତ ହୋଇଛନ୍ତି। ବିଶେଷକରି ଗତବର୍ଷ ଏସିଆ କପ୍‌ ବିଜେତା ଏବଂ ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଥିବା ଓଡ଼ିଶା ପୁରୁଷ ହକି ବିଶ୍ୱ ଲିଗ୍‌ ଫାଇନାଲ୍‌ରେ କାଂସ୍ୟ ଜିତିଥିବା ଦଳର ନେତୃତ୍ୱ ନେଇଥିବା ମନ୍‌ପ୍ରୀତ୍‌ଙ୍କ ଉପରେ ପୁର୍ନବାର ହକି ଇଣ୍ଡିଆ ଭରସା କରି ତାଙ୍କୁ ଅଧିନାୟକ ଦାୟିତ୍ୱ ଫେରାଇ ଦେଇଛି। ସେହିପରି ଆଜ୍‌ଲାନ୍‌ ଶାହ କପ୍‌ ଖେଳିନଥିବା ପୁରୁଖା ଗୋଲ୍‌ରକ୍ଷକ ପିଆର୍‌ ଶ୍ରୀଜେସ୍‌ ମଧ୍ୟ ଦଳକୁ ପ୍ରତ୍ୟାବର୍ନନ କରିଛନ୍ତି। ଗତ ନ୍ୟୁଜିଲାଣ୍ଡ୍‌ ଗସ୍ତରେ ଆନ୍ତର୍ଜାତିକ ପଦାର୍ପଣ କରିଥିବା ଦୁଇ ଖେଳାଳି ଦିଲ୍‌ପ୍ରୀତ୍‌ ସିଂହ ଓ ବିବେକ ସାଗର ଭଲ ପ୍ରଦର୍ଶନ କରିଥିବାରୁ ପୁରସ୍କାର ସ୍ୱରୂପ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦଳରେ ସ୍ଥାନ ସୁରକ୍ଷିତ କରିନେଇଛନ୍ତି।

ତଥାପି ଯୁବ ଓ ଅଭିଜ୍ଞଙ୍କୁ ନେଇ ଘୋଷିତ ସନ୍ତୁଳିତ ଦଳ ଅଷ୍ଟ୍ରେଲିଆରେ ଉନ୍ନତ ପ୍ରଦର୍ଶନ କରିବ ବୋଲି ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ୪୩ ବର୍ଷ ବୟସ୍କ ଜୋଏର୍ଡ ମାରିନ୍‌ କହିଛନ୍ତି।
ଏଠାରେ ସୂଚନାଯୋଗ୍ୟ, ଗତ ଦୁଇଟି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଦଳ ଦମ୍‌ଦାର ପ୍ରଦର୍ଶନ କରି ଅଷ୍ଟ୍ରେଲିଆ ପଛକୁ ଦ୍ୱିତୀୟ ସ୍ଥାନରେ ଅଭିଯାନ ଶେଷ କରିଥିଲା। ହେଲେ ଏଥର ତାଲିକାର ଶୀର୍ଷରେ ଅଭିଯାନ ଶେଷ କରିବୁ ବୋଲି ଅଧିନାୟକ ମନ୍‌ପ୍ରୀତ୍‌ ବିଶ୍ୱାସ ପ୍ରକଟ କରିଛନ୍ତି। ପୁଲ୍‌ ପର୍ଯ୍ୟୟରେ ଭଲ ଖେଳିବା ଆମର ପ୍ରଥମ ଲକ୍ଷ୍ୟ ରହିବ। କାରଣ ଆମ ଗ୍ରୁପ୍‌ରେ ଶକ୍ତିଶାଳୀ ଦଳ ରହିଛନ୍ତି। ଏହାକୁ ପାରିକରି ଆମେ ସେମିଫାଇନାଲ୍‌ ପ୍ରବେଶ କଥା ଚିନ୍ତା କରିବୁ। ଆଉ ଯଦି ନକ୍‌ଆଉଟ୍‌ରେ ଆମେ ଅଷ୍ଟ୍ରେଲିଆକୁ ନଭେଟୁ, ତେବେ ଆମେ ବିଜେତା ହେବା ସହଜ ହୋଇଯିବ ବୋଲି ମନ୍‌ପ୍ରୀତ୍‌ କହିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପୁଲ୍‌-ବିରେ ସ୍ଥାନ ପାଇଛି। ଏହି ପୁଲ୍‌ରେ ଭାରତ ସହିତ ପାକିସ୍ତାନ, େଓ୍ଵଲ୍‌ସ, ମାଲେସିଆ ଓ ଇଂଲଣ୍ଡ ରହିଛନ୍ତି। ଭାରତ ୭ ତାରିଖ ଦିନ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ ଖେଳି ଅଭିଯାନ ଆରମ୍ଭ କରିବ। ଏହାପରେ ୮ ତାରିଖରେ େଓ୍ଵଲ୍‌ସ, ୧୦ ତାରିଖରେ ମାଲେସିଆ ଏବଂ ୧୧ ତାରିଖରେ ଇଂଲଣ୍ଡ ସହ ଖେଳି ପୁଲ୍‌ ପର୍ଯ୍ୟାୟ ଅଭିଯାନ ଶେଷ କରିବ।

୧୩ରେ ସେମିଫାଇନାଲ୍‌ ଏବଂ ୧୪ ତାରିଖରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। ଏହି ୧୦ ଦଳୀୟ ପ୍ରତିଯୋଗିତାରେ ପ୍ରତି ପୁଲ୍‌ରେ ତୃତୀୟରୁ ପଞ୍ଚମ ସ୍ଥାନ ପାଇଥିବା ଦଳ କ୍ଲାସିଫିକେସନ୍‌ ପର୍ଯ୍ୟାୟକୁ ଉନ୍ନୀତ ହେବେ। ଏହି ଦଳମାନେ ପଞ୍ଚମରୁ ଦଶମ ସ୍ଥାନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଅନ୍ୟପକ୍ଷରେ ପ୍ରତି ପୁଲ୍‌ର ଶ୍ରେଷ୍ଠ ଦୁଇ ଦଳ ସେମିଫାଇନାଲ୍‌ ଯୋଗ୍ୟତା ହାସଲ କରିବେ।
ଭାରତୀୟ ଦଳ: ପିଆର୍‌ ଶ୍ରୀଜେସ୍‌ ଓ ସୁରଜ କାର୍‌କେରା (ଗୋଲ୍‌ରକ୍ଷକ), ରୂପୀନ୍ଦର ପାଲ୍‌ ସିଂହ, ହର୍‌ମନ୍‌ପ୍ରୀତ୍‌ ସିଂହ, ବରୁଣ କୁମାର, କୋଠାଲଜିତ୍‌ ସିଂହ କଦଙ୍ଗ୍‌ବାମ୍‌, ଗୁରିନ୍ଦର ସିଂହ, ଅମିତ୍‌ ରୋହିଦାସ (ରକ୍ଷଣଭାଗ), ମନ୍‌ପ୍ରୀତ୍‌ ସିଂହ (ଅଧିନାୟକ), ଚିଙ୍ଗ୍‌ଲସାନା ସିଂହ କଙ୍ଗୁଜାମ୍‌ (ଉପଅଧିନାୟକ), ସୁମିତ୍‌, ବିବେକ ସାଗର ପ୍ରସାଦ (ମଧ୍ୟଭାଗ), ଆକାଶଦୀପ୍‌ ସିଂହ, ଏସ୍‌ଭି ସୁନୀଲ, ଗୁର୍‌ଜାନ୍ତ୍‌ ସିଂହ, ମନ୍‌ଦୀପ୍‌ ସିଂହ, ଲଲିତ କୁମାର ଉପାଧ୍ୟାୟ, ଦିଲ୍‌ପ୍ରୀତ୍‌ ସିଂହ (ପୂରୋଭାଗ)।

ସମ୍ବନ୍ଧିତ ଖବର