ରାଜ୍ୟ ଜୁଡ଼ୋ ଉଦ୍‌ଯାପିତ, ଭୁବନେଶ୍ବରକୁ ଦ୍ବିମୁକୁଟ

ଭୁବନେଶ୍ବର/ପାରାଦୀପ: ଓଡ଼ିଶା ରାଜ୍ୟ ଜୁଡ଼ୋ ସଂଘ (ଓଏସଜେଏ) ପକ୍ଷରୁ ରାଜ୍ୟ ଓପନ୍ ଜୁଡ଼ୋ ପ୍ରତିଯୋଗିତା ଏବଂ ଚୟନ ପ୍ରକ୍ରିୟା ବିଗତ ଦୁଇଦିନ ଧରି ପାରାଦୀପଠାରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ବର କନିଷ୍ଠ ଓ ବରିଷ୍ଠ ବର୍ଗରେ ଦଳଗତ ବିଜେତା ହୋଇଥିବାବେଳେ କିସ୍‌ ଉପ କନିଷ୍ଠ ଓ କ୍ୟାଡେଟ୍ ବର୍ଗରେ ବିଜେତା ହୋଇଛି। ମାଲକାନଗିରିର ଲକ୍ଷ୍ମୀ ସୋଡ଼ି ବାଳିକାରେ ଏବଂ ଭୁବନେଶ୍ବରର ରାଜେଶ କୁମାର ସାହୁ ଏବଂ ରାଜେଶ କୁମାର ନାୟକ ବାଳକ ବର୍ଗରେ ମିଳିତ ଭାବେ ଶ୍ରେଷ୍ଠ ଜୁଡ଼ୋକା ବିବେଚିତ ହୋଇଥିଲେ। ଉଦ୍‌ଯାପନୀ ଉତ୍ସବରେ ପୂର୍ବତନ ସାଂସଦ ବିଭୂ ପ୍ରସାଦ ତରାଇ, ପିପିଏଲ୍‌ ଏଚଆର୍ ଆଇଆର୍ ବିଭାଗ ଅଧିକାରୀ ଜଗନ୍ନାଥ ଖୁଣ୍ଟିଆ, ପରାଦୀପ ପୋର୍ଟ ଟ୍ରଷ୍ଟ୍‌ର ପିଆରଓ ପ୍ରକାଶ ମିଶ୍ର, ପିପିଏଲ୍ ଲେଡିଜ୍ କ୍ଲବ୍‌ ସଭାନେତ୍ରୀ ଜ୍ୟୋତି ଖୁଣ୍ଟିଆ, ଭଲିବଲ୍ ପ୍ରଶିକ୍ଷକ ସଂଜୟ କୁମାର ଦାସ, କ୍ରିକେଟ୍ ପ୍ରଶିକ୍ଷକ ରବି ଦାସ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ପ୍ରଥମ ଦିବସରେ ଓଡ଼ିଶା ଜୁଡ଼ୋ ସଂଘ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୀତାଞ୍ଜଳି ପଣ୍ଡା, ବୈଷୟିକ ସମ୍ପାଦକ କନ୍ଦନ ମୁର୍ମୁ, ଆୟୋଜକ ଜଗତସିଂହପୁର ଜୁଡ଼ୋ ସଂଘ ସମ୍ପାଦିକା ଲୋପାମୁଦ୍ରା ପତି ଅତିଥି ଥିଲେ। ଦୁଇ ଦିନିଆ ଏହି ପ୍ରତିଯୋଗିତାର ସମସ୍ତ ବାଉଟ୍ ଗୁଡିକୁ ପୁରୁରବା ମହାପାତ୍ର, ସାଗର ଜେନା, ବସନ୍ତ ଦଳେଇ, ବିଶ୍ବଜିତ୍‌ ମାହାରି ଏବଂ ଓସଜାର ହଅନ୍ୟ ବୈଷୟିକ ଅଧିକାରୀମାନେ ପରିଚାଳନା କରିଥିଲେ। ୨୨ ଜିଲ୍ଲା, ୟୁନିଟ ସହିତ କିସ୍‌ ଏବଂ ଓଡ଼ିଶା ପୁଲିସ୍‌ରୁ ପ୍ରାୟ ୪୦୦ ଖେଳାଳି ଏଥିରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର