ଭୁବନେଶ୍ବର: ଭୁବନେଶ୍ବର ଜୁଡ଼ୋ ସଂଘ ଆନୁକୂଲ୍ୟରେ ଖୋର୍ଦ୍ଧାର ବରୁଣେଇ ନିକଟସ୍ଥିତ କେଟି ଗ୍ଲୋବାଲ ସ୍କୁଲ୍ଠାରେ ଆୟୋଜିତ ରାଜ୍ୟ ଜୁଡ଼ୋ ପ୍ରତିଯୋଗିତା ଶୁକ୍ରବାର ଉଦ୍ଯାପିତ ହୋଇଛି। ଉପକନିଷ୍ଠ ଓ କ୍ୟାଡେଟ୍ରେ କିଟ୍ ଓ କିସ୍ ବିଜେତା ହୋଇଥିଲା ବେଳେ ଭୁବନେଶ୍ବର ଉପବିଜେତା ହୋଇଛି। କନିଷ୍ଠ ଓ ବରିଷ୍ଠ ବର୍ଗରେ ଭୁବନେଶ୍ବର ବିଜେତା ଏବଂ କିଟ୍-କିସ୍ ଉପବିଜେତା ହୋଇଛି। କିଟ୍ ଓ କିସ୍ ଖେଳାଳି ୨୪ ସ୍ବର୍ଣ୍ଣ, ୧୮ ରୌପ୍ୟ ଓ ୨୧ କାଂସ୍ୟ ସହ ମୋଟ ୬୩ ପଦକ ଜିତିଛନ୍ତି।
ଆଶିଷ, ଊର୍ଜା ଶ୍ରେଷ୍ଠ ଜୁଡ଼ୋକା
ସେହିଭଳି ଭୁବନେଶ୍ବର ୨୧ ସ୍ବର୍ଣ୍ଣ, ୧୪ ରୌପ୍ୟ ଓ ୧୭ କାଂସ୍ୟ ସହ ମୋଟ ୫୨ ପଦକ କରାୟତ୍ତ କରିଛନ୍ତି। ପୁରୁଷରେ ସମ୍ବଲପୁରର ଆଶିଷ କୁମାର ସାହୁ ଏବଂ ମହିଳାରେ ଭୁବନେଶ୍ବରର ଊର୍ଜା ଦାଶ ଶ୍ରେଷ୍ଠ ଜୁଡୋକା ବିବେଚିତ ହୋଇଥିଲେ। ଉଦ୍ଯାପନୀ ଉତ୍ସବରେ ଅତିଥି ଭାବେ ସମାଜସେବୀ ତଥା ଉଦ୍ୟୋଗପତି ଅସିତ ପ୍ରଧାନ, ଓଡ଼ିଶା ରାଜ୍ୟ ଜୁଡ଼ୋ ସଂଘ ସମ୍ପାଦକ ପିସି ମିଶ୍ର, ସିଇଓ ଗୀତାଞ୍ଜଳି ପଣ୍ଡା, ବୈଷୟିକ ଅଧିକାରୀ କନ୍ଦନ ମୁର୍ମୁ ଯୋଗ ଦେଇଥିଲେ। ପ୍ରତିଯୋଗିତାକୁ ବସନ୍ତ ଦଳାଇ, ସାଗର ଜେନା, ବିଶ୍ବଜିତ ମହାରି, ଲୋପାମୁଦ୍ରା ପତି, ଆଶରାହି କିସ୍ପଟ୍ଟା, ଛବିଲାଲ ମାଝୀ, ଊର୍ମିଳା ସାହୁ, ପ୍ରଶାନ୍ତ ପ୍ରଧାନ, ତନୀଶା ମନସ୍ବିନୀ ସାହୁ, ପ୍ରଭାସିନି ବରାଡ଼ ପ୍ରମୁଖ ପରିଚାଳନା କରିଥିଲେ। ଏହି ୩ ଦିନିଆ ପ୍ରତିଯୋଗିତାରେ ସାରା ରାଜ୍ୟରୁ ୪୦୦ରୁ ଊର୍ଦ୍ଧ୍ବ ଖେଳାଳି ଅଂଶଗ୍ରହଣ ଦେଇଥିଲେ।