ପୁରୀ: ପୁରୀ ଜିଲ୍ଲା ସ୍କୁଲ୍ ପରିସରରେ ଆୟୋଜିତ ୫୫ତମ ରାଜ୍ୟସ୍ତରୀୟ ଖୋଖୋ ପ୍ରତିଯୋଗିତା ମଙ୍ଗଳବାର ଉଦ୍ଯାପିତ ହୋଇଯାଇଛି। ଏହାର ପୁରୁଷ ବର୍ଗରେ ବାଲେଶ୍ବର ଓ ମହିଳା ବର୍ଗରେ କିଟ୍ ବିଶ୍ବବିଦ୍ୟାଳୟ ବିଜେତା ହୋଇଛନ୍ତି। ବିଜେତା ଦଳଙ୍କୁ ୧୦ ହଜାର ଲେଖାଏଁ ଟଙ୍କାର ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରାଯାଇଛି। ଉପବିଜେତା କିଟ୍ ପୁରୁଷ ଓ ବାଲେଶ୍ବର ମହିଳା ଦଳକୁ ୭ ହଜାର ଲେଖାଏଁ ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଛି। ବାଲେଶ୍ବରର ଲିପୁନ ମୁଖୀ ଶ୍ରେଷ୍ଠ ପୁରୁଷ ଖେଳାଳି, କିଟ୍ ବିଶ୍ବବିଦ୍ୟାଳୟର ସଞ୍ଜିତ ଚଟମ୍ବା ଶ୍ରେଷ୍ଠ ରନର ଓ ପବନି ଶବର ଶ୍ରେଷ୍ଠ ଚେଜର ପୁରସ୍କାର ପାଇଥିଲେ।
କିଟ୍ ବିଶ୍ବବିଦ୍ୟାଳୟର ଅର୍ଚ୍ଚନା ମାଝୀ ଶ୍ରେଷ୍ଠ ମହିଳା ଖେଳାଳି, କାଦମ୍ବିନୀ ମାଝୀ ଶ୍ରେଷ୍ଠ ରନର ଓ ଶୁଭଶ୍ରୀ ସିଂହ ଶ୍ରେଷ୍ଠ ଚେଜର ପୁରସ୍କାର ପାଇଥିଲେ। ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ) ଦିଲୀପ କୁମାର ମହାପାତ୍ର, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତିଶଙ୍କର ମହାପାତ୍ର, ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଡେପୁଟି କଲେକ୍ଟର ରଞ୍ଜନ ବେହେରା, ସହକାରୀ ଜିଲ୍ଲାପାଳ ରାଜବଲ୍ଲଭ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱଜିତ ଘୋଷ, ଖୋ ଖୋ ରାଜ୍ୟ ସଭାପତି ନାରାୟଣ ପାତ୍ର, ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, ଜାତୀୟ ଖୋ ଖୋ ପ୍ରଶିକ୍ଷକ ସଞ୍ଜୀବ ଶର୍ମା, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜ ପ୍ରଧାନ, ନେହେରୁ ଯୁବ କେନ୍ଦ୍ରର ସଂଯୋଜକ ଜୟ ଶଙ୍କର ମିଶ୍ର, ପୁରୀ ଜିଲ୍ଲା କ୍ରୀଡ଼ା ସଂସଦର ସମ୍ପାଦକ ରବିଶଙ୍କର ପ୍ରତିହାରୀ ପ୍ରମୁଖ ଯୋଗଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସଭା ପରିଚାଳନା କରିଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।