ରାଜ୍ୟସ୍ତରୀୟ ସଫ୍‌ଟବଲ୍‌: କିଟ୍‌କୁ ଦ୍ୱିମୁକୁଟ

ସିମୁଳିଆ: ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ୍‌ ମାର୍କୋଣା ସ୍ଥିତ ରଘୁନାରାୟଣ ହାଇସ୍କୁଲ୍‌ ପଡ଼ିଆରେ ଦୁଇଦିନ ଧରି ଅନୁଷ୍ଠିତ ଷୋଡ଼ଶ ରାଜ୍ୟସ୍ତରୀୟ ସଫ୍‌ଟବଲ୍‌ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ଉଭୟ ପୁରୁଷ ଓ ମହିଳା ବିଭାଗରେ ବିଜେତା ହୋଇ ଭୁବନେଶ୍ୱରର କିଟ୍‌ ବିଶ୍ୱବିଦ୍ୟାଳୟ ଦ୍ୱିମୁକୁଟ ହାସଲ କରିଛି। କିଟ୍‌ ପୁରୁଷ ଫାଇନାଲ୍‌ରେ ଭୁବନେଶ୍ୱର ଦଳକୁ ଏବଂ ମହିଳା ଫାଇନାଲ୍‌ରେ ସୁନ୍ଦରଗଡ଼ ଦଳକୁ ପରାସ୍ତ କରିଥିଲା। ପୁରୁଷରେ ରାୟଗଡ଼ା ଓ ମହିଳାଯେର ପୁରୀ ତୃତୀୟ ସ୍ଥାନ ପାଇଥିଲା। ଏହି ପ୍ରତିଯୋଗିତାରେ ରାଜ୍ୟର ୩୦ ଜିଲ୍ଲାରୁ ୨୧ ପୁରୁଷ ଓ ୧୦ ମହିଳା ଦଳ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତା ଶେଷରେ ମଣିପୁରରେ ହେବାକୁ ଥିବା ଆନ୍ତଃରାଜ୍ୟ ସଫ୍‌ଟ ବଲ୍‌ ପ୍ରତିଯୋଗିତା ପାଇଁ ୧୫ ଜଣିଆ ମହିଳା ଓ ପୁରୁଷ ଦଳ ଚୟନ କରାଯାଇଛି।

ଉଦ୍‌ଯାପନୀ ସଭାରେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଡିଏସ୍‌ଓ ପୂର୍ଣ୍ଣଚନ୍ଦ୍ର ଜେନା, ରାଜ୍ୟ ସଫ୍‌ଟ ବଲ୍‌ ସଂଘର ସଂପାଦକ ଦେବେନ୍ଦ୍ର କୁମାର ସାହୁ, ରାଜ୍ୟ ସହ ସଂପାଦକ ରାଜକିଶୋର ପଟ୍ଟନାୟକ, ଜିଲ୍ଲା ସଭାପତି ଗଦାଧର ଜେନା, ଜିଲ୍ଲା ସଂପାଦକ ରମାକାନ୍ତ ପଣ୍ଡା ଓ ଉପ-ସଭାପତି ଗୋଲକ ଚନ୍ଦ୍ର ବେହେରା ଅତିଥି ଭାବେ ଯୋଗଦେଇ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର